ଫିରିଙ୍ଗିଆ,୧୯/୧0 : ଅସହାୟ ଦୁଇ ନାବାଳକ ଘଟଣା ଖବର ପ୍ରସାରଣ ପରେ ଗାଁରେ ପହଞ୍ଚିଲା ଚାଇଲ୍ଡ ଲାଇନର ସ୍ୱତନ୍ତ୍ର ଟିମ୍ । ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ହସ୍ତକ୍ଷେପ ସହ ବିଭିନ୍ନ ଅଧିକାରୀଙ୍କ ସହିତ ଆଲୋଚନା ପରେ ସଙ୍ଗେସଙ୍ଗେ ଗାଁରେ ଡିସିପି ଓ ରଶ୍ମିତା କରନଙ୍କ ନିର୍ଦ୍ଦେଶରେ ଚାଇଲ୍ଡ ଲାଇନର ସ୍ୱତନ୍ତ୍ର ଟିମ୍ ପହଞ୍ଚି ଗ୍ରାମବାସୀ ଏବଂ ବଡ଼ ବାପାଙ୍କ ସହ ଆଲୋଚନା କରିବା ସହି ବିଭିନ୍ନ କାଗଜପତ୍ରର ତଦାରଖ କରିଥିଲେ l ଏହି ଟିମରେ ଚାଇଲ୍ଡ ଲାଇନର କୋଡ଼ିନେଟର କ୍ଷିରୋଦ ପ୍ରକାଶ ନାୟକ ଓ ସନ୍ତୋଷ କୁମାର ବେହେରା ସାମିଲ ଥିଲେ l
ତୁରନ୍ତ ଅସହାୟ ଦୁଇ ଭାଇଙ୍କ ଥଇଥାନ ସହ ପାଠ ପଢିବା ବ୍ୟବସ୍ଥା କରିବା ସହ ସରକାରଙ୍କ ତରଫରୁ ମିଳୁଥିବା ବିଭିନ୍ନ ସୁବିଧା ସୁଯୋଗ ଯୋଗାଇବାକୁ ଚେଷ୍ଟା କରାଯିବ ବୋଲି ଚାଇଲ୍ଡ ଲାଇନ କୋଡ଼ିନେଟର କ୍ଷିରୋଦ ପ୍ରକାଶ ନାୟକ କହିଛନ୍ତି l ଏହି ଘଟଣାରେ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରା ମଧ୍ୟ ସରକାରଙ୍କ ତରଫରୁ ଦିଆଯାଉଥିବା ସୁବିଧା କିଭଳି ସେମାନେ ପାଇପାରିବେ ସେ ନେଇ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି l
ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପଲାବୃଡ଼ି ପଞ୍ଚାୟତର ୧୪ନମ୍ବର ୱାର୍ଡ଼ ଉପର ଶ୍ରୀଗୁଣୀ ଗାଁର ଲକ୍ଷଣ ବିନ୍ଧାଣିଙ୍କ ସ୍ତ୍ରୀ ମିଲିଙ୍କ ସାପ କାମୁଡ଼ାରେ ମୃତ ହୋଇଥିଲା l ଦୁଇ ମାସ ପରେ ଅର୍ଥାତ ଚଳିତ ମାସ ୧୫ତାରିଖରେ ସ୍ତ୍ରୀକୁ ଝୁରି ଝୁରି ଅସୁସ୍ଥ ହୋଇ ନିଜେ ଲକ୍ଷଣଙ୍କ ମଧ୍ୟ ମୃତ୍ୟୁ ଘଟିଛି l