ଭୁବନେଶ୍ୱର, ୧୯/୯ (ରବି ନାରାୟଣ ଚଲାନ): କୋରାପୁଟ କଫି ଚାଷକୁ ବିଦେଶୀ କୀଟ ଭୟ ରହିଛି । ଏହି କୀଟକୁ ‘କଫି ବେରୀ ବୋରର୍‌’ କୁହାଯାଉଥିବା ବେଳେ ଏହାର ବୈଜ୍ଞାନିକ ନାମ ହେଉଛି ହାଇପୋଥେନେମସ୍‌ ହାମ୍‌ପେଇ । ଏହି କଳା ରଙ୍ଗର ପୋକ କ଼ଫି ଗଛର ଫଳ (ବେରି/ଗୁଟି)ଭିତରକୁ ପ୍ରବେଶ କରି ଗୁଟିକୁ ଖାଇ ଦେଇଥାଏ । ଫଳରେ ଭିତରେ ଫଳ ପଚିଯାଏ । ଏହା ଯୋଗୁଁ କଫିର ମାନ କମିଯାଏ । ଆନ୍ଧ୍ରରେ କୀଟ ବ୍ୟାପୁଥିବା ସ୍ଥାନ କୋରାପୁଟ ଜିଲ୍ଲା ସୀମାରୁ ପ୍ରାୟ ୧୦/୧୫ କିମି ଦୂର । ଆନ୍ଧ୍ର ସରକାର ଏହାକୁ ଗୁରୁତ୍ୱ ଦେଇ ତାଙ୍କ ଅଞ୍ଚଳରେ ହାଇଆଲର୍ଟ ଜାରି କରିଛନ୍ତି ଏବଂ ଚାଷୀଙ୍କୁ କ୍ଷତିପୂରଣ ଦେବାର ବ୍ୟବସ୍ଥା କରିସାରିଛନ୍ତି ହେଲେ କୋରାପୁଟ ଜିଲ୍ଲା ପ୍ରଶାସନ ଚୁପ୍‌ ବସିଥିବା ଅଭିଯୋଗ ହୋଇଛି ।

ଏହି ପୋକ ଆନ୍ଧ୍ରର ଆଲରୁ ସୀତାରାମ ରାଜୁ ଜିଲ୍ଲାର ଆରକୁ ଅଞ୍ଚଳରେ ବ୍ୟାପକ କ୍ଷତି କରୁଛି । ଏପରିକି ଶହେରୁ ଅଧିକ ଏକରରେ କଫି ଚାଷ ନଷ୍ଟ କରି ସାରିଥିବା କୁହାଯାଉଛି । ଆନ୍ଧ୍ର ସରକାର ଏହି କୀଟର ଉତ୍ପତ୍ତି ଅଞ୍ଚଳକୁ ଠାବ କରି ସେଠାରେ ନଷ୍ଟ କରିବା ଏବଂ ଏହାର ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର କଫି ବୋର୍ଡର ବିଶେଷଜ୍ଞ, ଆନ୍ଧ୍ର କୃଷି ବିଶ୍ୱବିଦ୍ୟାଳୟର ବରିଷ୍ଠ ବିଶେଷଜ୍ଞ ଓ ବିଭିନ୍ନ ସଂସ୍ଥାର ପ୍ରାୟ ୫ ଶହ ଜଣଙ୍କୁ ନିୟୋଜିତ କରିଛନ୍ତି । ତେବେ କୋରାପୁଟ ଜିଲ୍ଲାର ପଟାଙ୍ଗୀ, ନନ୍ଦପୁର ଓ ଲମତାପୁଟ ଅଞ୍ଚଳର ଚାଷୀମାନେ ଚିନ୍ତାରେ ଅଛନ୍ତି । କାରଣ ଓଡ଼ିଶା ସରକାର ତଥା କୋରାପୁଟ ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନେଉ ନାହାନ୍ତି ଯାହାକୁ ନେଇ ଚାଷୀକୁଳ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସରକାର କୀଟ ଦାଉରୁ କଫି ଚାଷକୁ ସୁରକ୍ଷା ଦେବାକୁ ଚାଷୀ ସୁଲୋଚନା ଗୁଣ୍ଠା, ମାନିକ ଗୁଣ୍ଠା, ହରି ଖରା, ପର୍ଶୁରାମ ଗୁଣ୍ଠା, ଦଶରଥ ଗୁଣ୍ଠା, ମଙ୍ଗରାଜ ଖରା, ରଘୁରାମ ଗୁଣ୍ଠା, ରାଜନାଥ ସୀସଦା, ଜିନୁ ମାଝୀ ପ୍ରମୁଖ ଦାବି କରିଛନ୍ତି ।

ପ୍ରକାଶ ଯେ, କୋରାପୁଟ ଜିଲ୍ଲାରେ ୨,୭୫୯ ହେକ୍ଟର ଜମିରେ କଫି ଚାଷ ହୋଇଛି । କଫି ବୋର୍ଡର ଏସ୍‌ଏଲ୍‌ଓ (ସିନିୟର ଲିଆସିନିଙ୍ଗ ଅଫିସର) ଉପେନ୍ଦ୍ର ପ୍ରସାଦ ସାହା କହନ୍ତି, ଏ ପର୍ଯ୍ୟନ୍ତ କୋରାପୁଟ ଜିଲ୍ଲାରେ ଏହି କୀଟ ସଙ୍କ୍ରମଣ ହୋଇନାହିଁ । ତଥାପି ଜିଲ୍ଲାର ନନ୍ଦପୁର ବ୍ଳକ ଚାଟୁଆ ପଞ୍ଚାୟତ ସୀମାନ୍ତରୁ ପ୍ରାୟ ୧୦ କିମି ଦୂର ଆନ୍ଧ୍ରର ଆରକୁ ଅଞ୍ଚଳରେ ଏହି କୀଟର ପ୍ରାଦୁର୍ଭାବ ଦେଖିବାକୁ ମିଳିଛି । ଆନ୍ଧ୍ର ସରକାରଙ୍କ ପକ୍ଷରୁ ନିୟୋଜିତ ଟିମ୍‌ରେ ସେ ସାମିଲ ହୋଇଥିଲେ । ତେବେ ଏ ପର୍ଯ୍ୟନ୍ତ ଓଡ଼ିଶାକୁ କୌଣସି ଭୟ ନାହିଁ । କୀଟ ବିଶେଷଜ୍ଞ ବଳରାମ ସାହୁଙ୍କ କହିବା ଅନୁସାରେ, ଭାରତରେ ପ୍ରଥମେ ୧୯୯୦ରେ ତାମିଲନାଡ଼ୁ ରାଜ୍ୟର ନୀଳଗିରି ଜିଲ୍ଲାର ଗୁଦାଲୁରଠାରେ ଏହି କୀଟକୁ ଠାବ କରାଯାଇଥିଲା । ଏହି କୀଟର ପ୍ରକୋପ ଥିବା ଗଛକୁ ନଷ୍ଟ କରିବା ଜରୁରି । ଏହା ନ କଲେ ଅନ୍ୟ ଗଛକୁ ଏହା ସଂକ୍ରମିତ ହୋଇଯାଇଥାଏ । କୀଟ ଥିବା ଗଛରୁ ଫଳ ତୋଳିବା ଉଚିତ ନୁହେଁ । କୀଟ ପାଇଁ ଫାନ୍ଦ କିମ୍ବା କୀଟନାଶକ ବ୍ୟବହାର କରାଯାଇପାରିବ କିମ୍ବା ସରକାର ଦେଉଥିବା ଔଷଧ ବ୍ୟବହାର କରାଯିବା ଆବଶ୍ୟକ । ସଚେତନ ହେଲେ କ୍ଷତିରୁ ଚାଷୀ ବଞ୍ଚି ପାରିବ ବୋଲି ଶ୍ରୀ ସାହୁ କହିଛନ୍ତି । ତେବେ ଅଭିଯୋଗ ସମ୍ପର୍କରେ କୋରାପୁଟ ଜିଲ୍ଲା ଉଦ୍ୟାନ କୃଷି ବିଭାଗର ଉପକ୍ଷେତ୍ର ନିର୍ଦ୍ଦେଶକ ସୁଦାମ ବିଶ୍ୱାଳଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।