ପୁରୀ,୨୪/୧୦ :  ପୁରୀ ସହର ଓ ସମୁଦ୍ରତଟ ଅଞ୍ଚଳରେ ଆସନ୍ତା ପର୍ଯ୍ୟଟନ ଋତୁକୁ ଦୃଷ୍ଟିରେ ରଖି, ପୁରୀ ପୋଲିସ ପକ୍ଷରୁ ସମସ୍ତ ହୋଟେଲ ମାଲିକ, ପରିଚାଳକ ଓ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ପାଇଁ ଏକ ବିସ୍ତୃତ ବୈଠକ କରାଯାଇଛି। ପର୍ଯ୍ୟଟକ ସୁରକ୍ଷା, ହୋଟେଲ ଶୃଙ୍ଖଳା, ଏବଂ ଅନଲାଇନ ଠକେଇ ରୋକିବା ଉଦ୍ଦେଶ୍ୟରେ ଏହି ବୈଠକ ହୋଇଥିଲା। ପ୍ରତ୍ୟେକ ହୋଟେଲରେ ପ୍ରବେଶଦ୍ୱାର, ପ୍ରତ୍ୟେକ ତଳ, କରିଡର, କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ CCTV କ୍ୟାମେରା ଲଗାଇବା ସହ । CCTV ଫୁଟେଜ୍‌କୁ ଅତି କମରେ ୩୦ଦିନ ପର୍ଯ୍ୟନ୍ତ ସଂରକ୍ଷିତ କରି ରଖିବା ପାଇଁ କୁହାଯାଇଛି।

ସମସ୍ତ ହୋଟେଲରେ ବୈଧ Fire Safety Electrical Safety ସାର୍ଟିଫିକେଟ ରଖିବାକୁ କୁହାଯାଇଛି। ହୋଟେଲରେ ନିଯୁକ୍ତି ପାଇଥିବା ପ୍ରତ୍ୟେକ କର୍ମଚାରୀଙ୍କର ନିରୀକ୍ଷଣ କରିବାକୁ କୁହାଯାଇଛି । ପ୍ରତିଦିନ ଅତିଥି ତାଲିକା (Log Book) ରଖିବା ସହ ଆଧାର ସଂଖ୍ୟା ଓ ଯୋଗାଯୋଗ ନମ୍ବର ଲେଖିବା ଆବଶ୍ୟକ ଅଭିଭାବକ ବିନା କୌଣସି ଅପ୍ରାପ୍ତ ବୟସ୍କ (minor) ଅତିଥିଙ୍କୁ ରଖାଯିବ ନାହିଁ। ଚେକ୍-ଇନ ସମୟରେ ଯଦି କୌଣସି ଅତିଥି ଉପରେ ସନ୍ଦେହ ଆସେ, ସଙ୍ଗେ ସଙ୍ଗେ ସ୍ଥାନୀୟ IICଙ୍କୁ ସୂଚନା କରିବାକୁ କୁହାଯାଇଛି। ଯଦି କୌଣସି ବିଦେଶୀ ନାଗରିକ ହୋଟେଲରେ ରହନ୍ତି, ତେବେ ତାଙ୍କ ସୂଚନା FRO ମାଧ୍ୟମରେ SP ପୁରୀ କାର୍ଯ୍ୟାଳୟକୁ ପଠାଇବା କୁହାଯାଇଛି। ପ୍ରତ୍ୟେକ ହୋଟେଲ ମାଲିକ ନିଜ ହୋଟେଲ ନାମରେ ନକଲି ୱେବସାଇଟ କିମ୍ବା ଅନଲାଇନ ଲିଷ୍ଟିଂ ଥିଲେ ନିୟମିତ ଭାବେ ଯାଞ୍ଚ କରିବାକୁ କୁହାଯାଇଛି। ଯଦି କୌଣସି ଠକେଇ ୱେବସାଇଟ ଚିହ୍ନଟ ହୁଏ, ତେବେ ସଙ୍ଗେ ସଙ୍ଗେ ସାଇବର ପୋଲିସ ଷ୍ଟେସନ ପୁରୀ (୮୨୮୦୪୯୧୩୦୦) ନମ୍ବରକୁ ଅବଗତ କରାଇବେ।

ସମୁଦ୍ରତଟ ସୀମାରେ ଥିବା ହୋଟେଲମାନେ ପ୍ରଯ୍ୟଟକଙ୍କୁ ସମୁଦ୍ର ସ୍ନାନ କରିବାକୁ ଗଲାବେଳେ ସତର୍କ କରାଇବେ କି ବେଶୀ ଗଭୀରକୁ ଯିବେ ନାହିଁ । ହୋଟେଲ ଆଖପାଖରେ ଯଦି କୌଣସି ଅସାମାଜିକ କାର୍ଯ୍ୟ ହୁଏ, ସଙ୍ଗେ ସଙ୍ଗେ ସ୍ଥାନୀୟ ଥାନା କିମ୍ବା ୧୧୨ ନମ୍ବରକୁ ଖବର ଦେବା କୁହାଯାଇଛି। ଏହା ସହ ପୋଲିସ ପର୍ଯ୍ୟଟକ ସହାୟତା ନମ୍ବର ୬୩୭୦୯୬୭୧୦୦ସହ ସ୍ଥାନୀୟ ଥାନା ଯୋଗାଯୋଗ ନମ୍ବର ପ୍ରତ୍ୟେକ ଟୁରିଷ୍ଟଙ୍କୁ ଦେବା ପାଇଁ କୁହାଯାଇଛି। ପର୍ଯ୍ୟଟକ ସୁରକ୍ଷା ଓ ପୁରୀର ସକାରାତ୍ମକ ପର୍ଯ୍ୟଟନ ପରିଚୟ ରକ୍ଷା ପାଇଁ ସମସ୍ତ ହୋଟେଲ ମାଲିକ, ପରିଚାଳକ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶର ପାଳନ କରିବାକୁ ଅନୁରୋଧ କରାଯାଉଛି।