ପୁରୀ, ୨୩/୦୯: ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ଫେରିବ ମହାପ୍ରଭୁଙ୍କ ଗଚ୍ଛିତ ରତ୍ନ ଅଳଙ୍କାର । ଦିନ ୧୦ଟା ପରେ ମାହେନ୍ଦ୍ର ବେଳାରେ ଏହି କାର୍ଯ୍ୟ ସମାପନ ହେବ । ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ ସମସ୍ତ କାର୍ଯ୍ୟ ସମାପନ ହେବ ବୋଲି ସୋମବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ମଙ୍ଗଳବାର ଦିନ ୧୦ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ହେବ । ଶ୍ରୀମନ୍ଦିର ନାଟମଣ୍ଡପ ଏବଂ ଜଗମୋହନ ଶୋଧ କରାଯିବ । ଏହି ସମୟ ପରଠାରୁ ଶ୍ରୀମନ୍ଦିର ମୁଖ୍ୟ ଦେଉଳ ତଥା ଝୁଲଣ ମଣ୍ଡପ ପରିସରକୁ ଭକ୍ତଙ୍କ ପ୍ରବେଶ ବାରଣ ରହିବ । ମହାପ୍ରଭୁଙ୍କ ନୀତିକାନ୍ତି ପରିଚାଳନାରେ କୌଣସି ପ୍ରଭାବ ପଡ଼ିବନାହିଁ । ମହାପ୍ରସାଦ ପାଇବାକୁ ଇଚ୍ଛୁକ ଭକ୍ତମାନେ ଆନନ୍ଦ ବଜାର ଯାଇ ମହାପ୍ରସାଦ ନେଇପାରିବେ । ରତ୍ନ ସ୍ଥାନାନ୍ତର କାର୍ଯ୍ୟ ଶେଷ ପରେ କଟକଣା ପ୍ରତ୍ୟାହାର ହେବ । ଶ୍ରଦ୍ଧାଳୁମାନଙ୍କ ଶ୍ରୀଜିଉ ଦର୍ଶନ ସ୍ୱାଭାବିକ ହେବ । ମହାପ୍ରଭୁଙ୍କ ସେବାରେ କରାଯାଉଥିବା ଏହି ଦର୍ଶନ କଟକଣାକୁ ମାନିବା ଓ ରତ୍ନଭଣ୍ଡାରକୁ ରତ୍ନ ସ୍ଥାନାନ୍ତର କରିବା ବ୍ୟବସ୍ଥାବଳୀକୁ ପାଳନ କରିବାରେ ଭକ୍ତମାନେ ସହଯୋଗ କରନ୍ତୁ ବୋଲି ଶ୍ରୀମନ୍ଦିର ପ୍ରଶାସନ ନିବେଦନ କରିଛି ।
ସୂଚନାଥାଉକି, ଖଟଶେଜ ଘରେ ଥିବା ଭିତର ରତ୍ନଭଣ୍ଡାରର ଅଳଙ୍କାର ସହିତ ଫୁଲ ଘରେ ଓ ଚାଙ୍ଗଡ଼ା ଘରେ (ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍) ରହିଥିବା ବାହାର ରତ୍ନଭଣ୍ଡାରର ଅଳଙ୍କାର ରତ୍ନଭଣ୍ଡାରର ଯଥା ସ୍ଥାନକୁ ନିଆଯିବ । ନୂଆ ଆଲମିରା ଓ ସିନ୍ଦୁକରେ ଏହି ରତ୍ନଅଳଙ୍କାରଗୁଡ଼ିକ ରଖାଯାଇଛି । ଅଳଙ୍କାର ସ୍ଥାନାନ୍ତର ପୂର୍ବରୁ ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ସ୍ୱତନ୍ତ୍ର ଆଜ୍ଞା ଓ ଭଣ୍ଡାରଘର ରକ୍ଷକ ଲୋକନାଥଙ୍କ ପୂଜା ସହ ଆଜ୍ଞା ନେଇ କାର୍ଯ୍ୟ କରିବାକୁ ନିଷ୍ପତ୍ତି ହୋଇଛି । ରତ୍ନ ସ୍ଥାନାନ୍ତରରେ ନିୟୋଜିତ ବ୍ୟକ୍ତିମାନେ ନୂଆ ଲୁଗା ପିନ୍ଧି ସମସ୍ତ କାର୍ଯ୍ୟ କରିବେ ।
ଭୋରୁ ୪ଟାରୁ ଦ୍ୱାରଫିଟା ସହ ମାହେନ୍ଦ୍ର ବେଳା ଭିତରେ ରତ୍ନଅଳଙ୍କାର ସ୍ଥାନାନ୍ତର ଆରମ୍ଭ ହେବ । ଦିନ ୭ଟା ୧୭ରୁ ୧୧ଟା ୧୭ ମଧ୍ୟରେ ମାହେନ୍ଦ୍ର ବେଳା ରହିଛି । ମୂଳ ରତ୍ନଭଣ୍ଡାରକୁ ଅଳଙ୍କାର ସ୍ଥାନାନ୍ତର ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଲା ପଡ଼ି ଚାବି ଟ୍ରେଜେରିରେ ରହିବ । ଯଦି ସ୍ଥାନାନ୍ତର ପ୍ରକ୍ରିୟା ୨୩ରେ ନ ସରେ ୨୪ ତାରିଖରେ ମଧ୍ୟ ହେବ ।