ନୂଆଦିଲ୍ଲୀ ୨୮/୦୯: କୋରିଓଗ୍ରାଫର୍ ଓ କଣ୍ଟେଣ୍ଟ୍ କ୍ରିଏଟର ଧନଶ୍ରୀ ବର୍ମା ଏବେ ରିୟଲିଟି ଶୋ’ ‘ରାଇଜ୍ ଆଣ୍ଡ୍ ଫଲ୍’ରେ ଆସୁଛନ୍ତି । ଶୋ’ରେ ଧନଶ୍ରୀ କ୍ରିକେଟର୍ ଯୁଜବେନ୍ଦ୍ର ଚହଲଙ୍କଠୁ ଭରଣପୋଷଣ ରାଶି ନେବାର ଦାବିକୁ ନେଇ ମୁହଁ ଖୋଲିଛନ୍ତି । ଶୋ’ରେ ଆଦିତ୍ୟ ନାରାୟଣ ଧନଶ୍ରୀଙ୍କୁ ପଚାରିଲେ, ତାଙ୍କ ବିବାହ ବିଚ୍ଛେଦକୁ କେତେ ସମୟ ହୋଇଛି? ସେ କହିଲେ, ଔପଚାରିକ ରୂପେ ପ୍ରାୟ ବର୍ଷେ ହୋଇଗଲାଣି । କିନ୍ତୁ ଲୋକେ ଯେତେବେଳେ ଭରଣପୋଷଣ ରାଶି ବିଷୟରେ ଆଲୋଚନା କରନ୍ତି, ବହୁତ ଖରାପ ଲାଗେ । ଏହା ଭୁଲ୍ କଥା । ଲୋକେ କିଛି ବି କହିଦିଅନ୍ତି, ସେଥିପାଇଁ ମୁଁ ଚୁପ୍ ଅଛି । ମୋ ମା’ବାପା ଶିଖାଇଛନ୍ତି, ସଫେଇ ତାକୁ ଦିଅ ଯିଏ ତୁମ ପାଇଁ ମୂଲ୍ୟବାନ । ଯାହାଙ୍କୁ ଜାଣିନାହଁ, ତାଙ୍କୁ ବୁଝାଇବାରେ ସମୟ ନଷ୍ଟ କରିବା କ’ଣ ଦରକାର?’
ନୟନଦୀପ ରକ୍ଷିତ ତାଙ୍କୁ ପଚାରିଲେ, ଭରଣପୋଷଣ କଥାରେ ଲୋକଙ୍କୁ ଜବାବ ଦେବା ଉଚିତ୍ ବୋଲି ତୁମେ ଅନୁଭବ କରନାହିଁ? ଧନଶ୍ରୀ କହିଲେ, ଏଥିରେ କିଛି ବି ସତ ନାହିଁ । ସେ (ଚହଲ) ଏମିତି କାହିଁକି କଲେ ବୋଲି ଭାବିଲେ ବହୁତ ଖରାପ ଲାଗେ । ଆଗକୁ ମୁଁ ଆଉ କାହାକୁ ଡେଟ୍ କରିପାରିବି ବୋଲି ଲାଗୁନାହିଁ । ସୂଚନାଯୋଗ୍ୟ, ୨୦୨୦ ଡିସେମ୍ବରରେ ଚହଲ-ଧନଶ୍ରୀଙ୍କ ବିବାହ ହୋଇଥିଲା । ୨୦୨୨, ଜୁନ୍ରେ ଦୁହେଁ ଅଲଗା ହେଲେ ଏବଂ ଚଳିତ ବର୍ଷ ମାର୍ଚ୍ଚରେ ଦୁହିଁଙ୍କର ଔପଚାରିକ ବିଚ୍ଛେଦ ହେଲା । ବିଚ୍ଛେଦ ପରେ ଧନଶ୍ରୀଙ୍କୁ ଭରଣପୋଷଣ ବାବଦକୁ ୩ କୋଟି ଟଙ୍କା ମିଳିଥିବା ଖୁବ୍ ଚର୍ଚ୍ଚା ହୋଇଥିଲା ।