ପାଟ୍ନା,୦୯/୧୧: ବିହାରରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପରେ ଶନିବାର ସମସ୍ତିପୁର ଜିଲ୍ଲା ସରାୟରଞ୍ଜନ ବିଧାନସଭା ଆସନର କେଏସ୍ଆର କଲେଜ ନିକଟରେ ରାସ୍ତାକଡ଼ରୁ ଅନେକ ସଂଖ୍ୟାରେ ଭିଭିପାଟ୍ ସ୍ଲିପ୍ ମିଳିଛି । ଏହି ଘଟଣାକୁ ନେଇ ବିରୋଧୀ ଆର୍ଜେଡି ନିର୍ବାଚନ କମିଶନଙ୍କୁ ଘେରିଛି । ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ ଏକ୍ସରେ ଏକ ଭିଡିଓ ସେୟାର କରି ଦଳ ଲେଖିଛି ଯେ, ସମସ୍ତିପୁର ଆସନର କେଏସ୍ଆର କଲେଜ ନିକଟରେ ରାସ୍ତା କଡ଼ରେ ଅନେକ ସଂଖ୍ୟାରେ ଇଭିଏମ୍ରୁ ବାହାରୁଥିବା ଭିଭିପାଟ୍ ସ୍ଲିପ୍କୁ ଫିଙ୍ଗାଯାଇଛି । କେବେ, କିଭଳି, କାହିଁକି, କାହା ଇଙ୍ଗିତରେ ଏହି ସ୍ଲିପ୍କୁ ରାସ୍ତା ଉପରେ ଫିଙ୍ଗାଗଲା । ନିର୍ବାଚନ କମିଶନ କ’ଣ ତାର ଜବାବ ଦେବେ । ବାହାରୁ ଆସି ବିହାରରେ ଡେରା ପକାଇଥିବା ଗଣତନ୍ତ୍ରର ଡକାୟତଙ୍କ ନିର୍ଦ୍ଦେଶରେ କ’ଣ ଏହି ଭୋଟ୍ ଚୋରି କରାଯାଉଛି ।
ସେପଟେ ନିର୍ବାଚନ କମିଶନ ଏଥିନେଇ ସ୍ପଷ୍ଟୀକରଣ ରଖିଛନ୍ତି । ସିଇସି ଜ୍ଞାନେଶ କୁମାର କହିଛନ୍ତି, ସମସ୍ତିପୁର ଜିଲ୍ଲାପାଳଙ୍କୁ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାସ୍ତା କଡ଼ରୁ ମିଳିଥିବା ଭିଭିପାଟ୍ ସ୍ଲିପ୍ଗୁଡ଼ିକ ଭୋଟିଂ ପୂର୍ବରୁ ହେଉଥିବା ମକ୍ ପୋଲ୍ର ସ୍ଲିପ୍ ହୋଇଥିବାରୁ ମତଦାନ ପ୍ରକ୍ରିୟାର ଅଖଣ୍ଡତା ବଜାୟ ରହିଛି । ଏ ସଂପର୍କରେ ସେହି ଆସନର ପ୍ରାର୍ଥୀମାନଙ୍କୁ ମଧ୍ୟ ଜିଲ୍ଲାପାଳ ସୂଚୀତ କରିଛନ୍ତି । ଦାୟିତ୍ୱହୀନତା ଲାଗି ଜଣେ ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସର(ଏଆର୍ଓ)ଙ୍କୁ ନିଲମ୍ବନ କରାଯାଇଛି । ଏଫ୍ଆଇଆର ମଧ୍ୟ ହୋଇଛି ।
ଗୁରୁବାର ବିହାରରେ ପ୍ରଥମ ପର୍ଯ୍ୟାୟରେ ଯେଉଁ ୧୨୧ଟି ବିଧାନସଭା କ୍ଷେତ୍ରରେ ଭୋଟିଂ ହୋଇଥିଲା ସେଥିମଧ୍ୟରୁ ସରାୟରଞ୍ଜନ ବିଧାନସଭା ଆସନ ଅନ୍ୟତମ । ୨୦୧୦ରୁ ସେହି ଆସନରେ ଜେଡିୟୁର ବିଜୟ କୁମାର ଚୌଧୁରୀ ଜିତିଆସୁଛନ୍ତି । ଚଳିତଥର ସେଠାରେ ତାଙ୍କର ମୁକାବିଲା ଆର୍ଜେଡିର ଅରବିନ୍ଦ କୁମାର ସାହନି ଏବଂ ଜନ ସୁରାଜ ପାର୍ଟିର ସଜନ କୁମାର ମିଶ୍ରଙ୍କ ସହ ହେଉଛି ।