ଓଡ଼ିଆ ସଂସ୍କୃତିର ପଟ୍ଟଭୂମିରେ ଏକ ବିଶେଷ ଦିନ ରହିଛି ଯାହା ଜୀବନର ତ୍ୟାଗ ଓ ଭୋଗ, ଶୃଙ୍ଖଳା ଓ ମୁକ୍ତି, ଧର୍ମ ଓ କର୍ମ ମଧ୍ୟରେ ସମତାକୁ ସୁନ୍ଦର ଭାବରେ ଅଭିବ୍ୟକ୍ତ କରେ । ସେହି ଦିନଟି ହେଉଛି ଛାଡ଼ଖାଇ । ସାଧାରଣ ଅର୍ଥରେ ଏହା ଏକ ଲୋକାଚାର, ଯେଉଁଥିରେ ଲୋକେ କାର୍ତ୍ତିକ ମାସରେ ଏକମାସ ଧରି ଆମିଷ ଭୋଜନରୁ ବିରତ ହେବା ପରେ ପୁନଃ ତାହା ଖାଇବା ଆରମ୍ଭ କରନ୍ତି । କିନ୍ତୁ ଏହି ସାଧାରଣ ଖାଦ୍ୟ ଅଭ୍ୟାସର ପଛରେ ଥିବା ଦାର୍ଶନିକ ଅର୍ଥ ଅତ୍ୟନ୍ତ ଗଭୀର । ଏହା ଜୀବନର ଗତି, ମାନବୀୟ ସ୍ୱଭାବ ଓ ଆତ୍ମାନୁଶାସନ ମଧ୍ୟରେ ସମତାର ପ୍ରତୀକ ।
କାର୍ତ୍ତିକ ମାସ ଓଡ଼ିଆ ସଂସ୍କୃତିରେ ସବୁଠାରୁ ପବିତ୍ର ମାସ ବୋଲି ଗଣାହୁଏ । ଏହି ସମୟରେ ଭକ୍ତଜନ ଭଗବାନ ଶ୍ରୀବିଷ୍ଣୁଙ୍କ ଉପାସନା କରନ୍ତି ତଥା ସଂସାରୀ ସାଧୁ ଭାବରେ ଜୀବନ ଯାପନ କରନ୍ତି, ମାଂସାହାର ତ୍ୟାଗ କରନ୍ତି । ଦାନ, ଧର୍ମ, ପୂଜା ଓ ପରିହାର ଦ୍ୱାରା ନିଜ ମନକୁ ପବିତ୍ର କରନ୍ତି । ଏହି ମାସରେ ଲୋକେ ନିଜ ଇଚ୍ଛା, ରୁଚି ଓ ଭୋଗ ପ୍ରବୃତ୍ତିକୁ ନିୟନ୍ତ୍ରଣ କରି ନିଜର ଆତ୍ମାକୁ ଶୁଦ୍ଧ କରିବାରେ ନିୟୋଜିତ ହୁଅନ୍ତି । ଗାଁ ଓ ସହର ସବୁଠି ପ୍ରାତଃ ପ୍ରାର୍ଥନା ଓ ସନ୍ଧ୍ୟା ଆଳତି ଅଲୋକରେ ପୂର୍ଣ୍ଣ ହୋଇଯାଏ । କାର୍ତ୍ତିକ ପୂର୍ଣ୍ଣିମା ଦିନ ସେହି ଭକ୍ତିମୟ ମାସର ଶେଷ ହୋଇଥାଏ, ଯେଉଁ ଦିନ ଲୋକେ ନଦୀ ବା ପୋଖରୀରେ ଛୋଟ ଛୋଟ ବୋଇତ ଭସାଇ ଓଡ଼ିଶାର ପୁରାତନ ନୌବାଣିଜ୍ୟ ଐତିହ୍ୟକୁ ସ୍ମରଣ କରନ୍ତି । ପରବର୍ତ୍ତୀ ଦିନ ହେଉଛି ଛାଡ଼ଖାଇ । ଏହି ଦିନ ଓଡ଼ିଆ ଘରେ ଆମିଷାଦି ଦ୍ରବ୍ୟର ରନ୍ଧନ କରାଯାଏ । ଦୀର୍ଘ ନିୟମ ପରେ ଆହାରରେ ଆନନ୍ଦ ଫେରେ । ଲୋକମାନେ ପରିବାର ଓ ସମ୍ପ୍ରଦାୟ ସହିତ ଏକତ୍ର ହୋଇ ଖାଇବାର ଆନନ୍ଦ ଉପଭୋଗ କରନ୍ତି । ଯେପରି ଛାଡ଼ଖାଇର ଅର୍ଥ "ଛାଡ଼ିବା୍ମଖାଇବା' । ସେପରି ଏହି ଦିନ ହେଉଛି ତ୍ୟାଗ ପରେ ଉପଭୋଗର ଦିନ । କିନ୍ତୁ ଏହା କେବଳ ମାତ୍ର ଭୋଗ ନୁହେଁ, ଏହା ହେଉଛି ଜୀବନର ସମତାର ପର୍ବ ।
କାର୍ତ୍ତିକ ମାସର ନିୟମ ଆମକୁ ନିଜ ଇଚ୍ଛା ଓ ଭୋଗ ପ୍ରବୃତ୍ତି ଉପରେ ନିୟନ୍ତ୍ରଣ କରିବା ଶିଖାଏ । ଛାଡ଼ଖାଇ ଆମକୁ ଏହା ମନେ ପକାଏ ଯେ ଜୀବନ କେବଳ ତ୍ୟାଗରେ ନୁହେଁ, ଆନନ୍ଦରେ ମଧ୍ୟ ପୂର୍ଣ୍ଣ ହୁଏ । ଯେପରି ଦିନ ଓ ରାତି, ବର୍ଷା ଓ ଖରା, ଅନ୍ଧାର ଓ ଆଲୋକର ନିଜସ୍ୱ ଚକ୍ର ଅଛି, ସେପରି ମାନବ ଜୀବନ ମଧ୍ୟ ନିୟମ ଓ ମୁକ୍ତିର ଚକ୍ରରେ ଚାଲେ । ଏହି ଗତିରେ ଯେତେବେଳେ ମନୁଷ୍ୟ ନିଜର ସୀମାକୁ ଜାଣି ନିର୍ଦ୍ଦିଷ୍ଟ ସମୟ ପାଇଁ ନିୟମରେ ବାସ କରେ ଓ ପରେ ନିଜ ନିୟମର ଅବସାନ ଘଟାଏ, ସେଥିରେ ଜୀବନର ଦାର୍ଶନିକ ଅର୍ଥ ପରିପ୍ରକାଶ ହୁଏ ।
ଛାଡ଼ଖାଇ ଆମକୁ ଏକ ସତ୍ୟ ସ୍ମରଣ କରାଏ ଯେ, ଆମେ ମାନବ । ଆତ୍ମା ଓ ଶରୀରର ମିଶ୍ରଣରେ ଆମର ଅସ୍ତିତ୍ୱ ଗଠିତ । ଆମେ ଉପବାସ କରିପାରୁ, ନିୟମ ରକ୍ଷା କରିପାରୁ, ତଥାପି ଆମେ ରସନା ଓ ଇଚ୍ଛାର ପ୍ରାଣୀ । ଛାଡ଼ଖାଇ ଏହି ଦୁଇ ପକ୍ଷର ସମନ୍ୱୟ । ଏହା ଆମକୁ ଶିଖାଏ ଯେ ନିଜର ସଂଯମ ଓ ଆନନ୍ଦ ଦୁଇଟି ଅବିଭାଜ୍ୟ ଅଂଶ । ଏକକୁ ଅସ୍ୱୀକାର କଲେ ଅନ୍ୟଟି ଅସମ୍ପୂର୍ଣ୍ଣ ହୁଏ । ଯେପରି ଅତି ଭୋଗ ଦୁଃଖ ଦେଇଥାଏ, ଅତି ତ୍ୟାଗ ମନକୁ ଶୁଷ୍କ କରିଦିଏ । ସମତା ହିଁ ଜୀବନର ସାର ।
ସ୍ୱାମୀ ବିବେକାନନ୍ଦଙ୍କ କଥାରେ-ତ୍ୟାଗ ଓ ଭୋଗର ସଠିକ୍ ସମନ୍ୱୟ ହେଉଛି ଆଧ୍ୟାତ୍ମିକ ଜୀବନର ଆଧାର । ଏହି ପର୍ବ ଏକ ପ୍ରାକୃତିକ ଗତି ସହିତ ମିଳିଥାଏ । କାର୍ତ୍ତିକ ମାସ ହେଉଛି ବର୍ଷା ଶେଷର ସମୟ । ଯେତେବେଳେ ଜଳାଧାର ସବୁ ଶାନ୍ତ, ପ୍ରାଣୀ ଓ ପରିବେଶ ପୁନଃ ସଜୀବ ହୁଏ । ଏହି ସମୟରେ ମାଛଧରା ବନ୍ଦ ରଖିବା, ପଶୁଜନ୍ତୁ ନଖାଇବା ଏକ ପ୍ରକୃତି ସହିତ ମାନବ ସମ୍ବନ୍ଧର ଉଦାହରଣ । ପରେ ଛାଡ଼ଖାଇ ଦିନ ଯେତେବେଳେ ଲୋକେ ମାଂସ ବା ମାଛ ଖାଆନ୍ତି, ଏହା ଅତ୍ୟଧିକ ଭୋଗ ନୁହେଁ, ଏହା ହେଉଛି ଉଚିତ ସମୟରେ ନିୟମାନୁମୋଦିତ ଭୋଗ । ଏହିପରି ଭାବରେ ଛାଡ଼ଖାଇ ମାନବ ଓ ପ୍ରକୃତିର ଅନ୍ତର୍ନିହିତ ସମ୍ପର୍କକୁ ସ୍ଥିର କରେ । ଏହା ମନେପକାଏ ଯେ ଆମେ ପ୍ରକୃତିର ଅଂଶ ଏବଂ ଆମର ଆନନ୍ଦ, ତାହା ସହିତ ସମନ୍ୱୟ ରଖିଲେ ମାତ୍ର ସମ୍ଭବ । ଏହି ଅର୍ଥରେ ଛାଡ଼ଖାଇ ହେଉଛି ଏପରି ଏକ ଭୋଗ ଯାହାକୁ ନୈତିକ ଦାୟିତ୍ୱ ସହିତ ଯୋଡ଼ାଯାଇଛି ।
ସାମାଜିକ ଭାବରେ ମଧ୍ୟ ଏହି ପରମ୍ପରା ଏକତା ଓ ଆନନ୍ଦର ପର୍ବ । ଏକମାସ ଧରି ନିୟମ ଓ ଉପବାସ ପରେ ଲୋକେ ପରିବାର, ପଡ଼ୋଶୀ ଓ ବନ୍ଧୁବାନ୍ଧବମାନଙ୍କ ସହିତ ଏକତ୍ର ହୋଇ ଭୋଜନ କରି ଆନନ୍ଦିତ ହୁଅନ୍ତି । ଏହା ମାତ୍ର ଖାଇବା ନୁହେଁ । ଏହା ହେଉଛି ପ୍ରକୃତି ଓ ଜୀବନ ପ୍ରତି କୃତଜ୍ଞତା ଜଣାଇବାର ଏକ ସମୂହ ଅନୁଭବ । ଯେପରି ଉପବାସ ଆତ୍ମାକୁ ପବିତ୍ର କରେ, ତେଣୁ ଏହି ସାଧାରଣ ଭୋଜନ ମନକୁ ପୁନଃ ସଜୀବ କରେ । ଆଧୁନିକ ଜୀବନର ଦ୍ରୁତ ଗତି ମଧ୍ୟରେ ଛାଡ଼ଖାଇର ଶିକ୍ଷା ଅଧିକ ପ୍ରାସଙ୍ଗିକ । ଆଜି ଆମେ ଅନେକ ସମୟ ଅସମାନତା ମଧ୍ୟରେ ଝୁଲୁଛୁ- କେବେ ଅତି ଭୋଗ, କେବେ ଅତି ତ୍ୟାଗ । ଆମେ କେବେ ଅତି କାମ କରୁଛୁ, ପୁନଃ ଥକିଗଲେ ଅନେକ ସମୟ ଆଳସ୍ୟପଣ ଧରୁଛୁ ।
କାର୍ତ୍ତିକ ଓ ଛାଡ଼ଖାଇର ପ୍ରସଙ୍ଗ ଆମକୁ ଏକ ଶାନ୍ତ, ସଚେତନ ବିକଳ୍ପ ଦେଉଛି ଯେଉଁଠି ନିୟମ ଓ ଆନନ୍ଦ ଏକା ସହିତ ତାଳ ଦେଇ ଚାଲେ । ଏହା ଆମକୁ ଶିଖାଏ ଯେ ଉପବାସ ଅର୍ଥ- ଇଚ୍ଛା ଉପରେ ନିୟନ୍ତ୍ରଣ, ଭୋଜନ ମାନେ- ଜୀବନ ପ୍ରତି ଆଭାର । ଏହି ଦୁଇଟି ମିଶି ହିଁ ସତ୍ୟଜ୍ଞାନ ଦିଏ । ଯେପରି ଆଲୋକ ଅନ୍ଧକାର ବିନା ଅସ୍ତିତ୍ୱ ଦେଇପାରେ ନାହିଁ । ତେଣୁ ଆନନ୍ଦ ଓ ନିୟମ ଦୁଇଟି ମିଶିଲେ ହିଁ ଜୀବନ ପୂର୍ଣ୍ଣହୁଏ । ଛାଡ଼ଖାଇ ସେହି ମିଶ୍ରଣର ପ୍ରତୀକ । ଏହା ଆମକୁ ଶିଖାଏ ଯେ, ଆଧ୍ୟାତ୍ମିକତା ହେଉଛି ଜଗତ ଛାଡ଼ି ନୁହେଁ ବରଂ ଜଗତ ସହିତ ସମନ୍ୱୟରେ ଜୀବନ ଯାପନ କରିବା । ଜୀବନ ହେଉଛି ଉପବାସ ଓ ଭୋଜନ, ଶାନ୍ତି ଓ ଉଲ୍ଲାସ, ତ୍ୟାଗ ଓ ଭୋଗ । ଏହି ଦୁଇ ପ୍ରାନ୍ତର ମଧ୍ୟରେ ଚାଲିଥିବା ଏକ ସୁନ୍ଦର ସମତା । ଛାଡ଼ଖାଇ ଆମକୁ ସେହି ସମତାର ଦାର୍ଶନିକ ଅର୍ଥ ମନେପକାଏ, ଯେଉଁଠି ମନୁଷ୍ୟ ଜୀବନର ସମସ୍ତ ରୂପକୁ ସ୍ୱୀକାର କରି ଆନନ୍ଦର ସହିତ ଜୀବନ ଯାପନ କରିବ ।