ନୂଆଦିଲ୍ଲୀ,୧୨/୧୦: ଯେତେବେଳେ ବର୍ଲ ଇଭ୍‌ସ ରୁପା ଓ ସୁନାରେ କ୍ରିସ୍‌ମାସ ଟ୍ରିର ସାଜସଜା ବିଷୟରେ ଗୀତ ଗାଇଥିଲେ, ସେ ଜାଣିନଥିଲେ ଯେ କ୍ରିସମାସ ଗଛର ଛୁଞ୍ଚି ଭଳି ମୁନିଆ ପତ୍ର ଭିତରେ ସତରେ ସୁନା ଅଛି । ନୂଆ ଅଧ୍ୟୟନ ଏହା ଆବିଷ୍କାର କରିଛି । ଏନ୍‌ଭିରନମେଣ୍ଟାଲ ମାଇକ୍ରୋବାୟୋମ୍‌ ନାମକ ପତ୍ରିକାରେ ଅଧ୍ୟୟନଟି ପ୍ରକାଶ ପାଇଛି । ଏହାର ରିପୋର୍ଟ ଅନୁସାରେ, ‘ନରୱେ ସ୍ପୁର୍ସ ଟ୍ରି’  ବା ପିସିଆ ଏବିସ୍‌ ଗଛ) ନିଜର ବ୍ୟାକ୍ଟେରିଆ ସାହାଯ୍ୟରେ ସୁନାର ସୂକ୍ଷ୍ମ କଣିକା ଜମା କରନ୍ତି ।

ଅଧ୍ୟୟନର ମୁଖ୍ୟ ଲେଖକ ଫିନ୍‌ଲାଣ୍ଡ ସ୍ଥିତ ଓଉଲୁ ବିଶ୍ୱବିଦ୍ୟାଳୟର ପରିବେଶବିତ୍‌ କୈସା ଲେହୋସ୍‌ମା କହିଛନ୍ତି, ସ୍ପୁର୍ସ ଗଛ ଭିତରେ ବାସ କରୁଥିବା ବ୍ୟାକ୍ଟେରିଆ ଓ ଅନ୍ୟ ସୂକ୍ଷ୍ମଜୀବ ଗଛ ପତ୍ରରେ ସୁନା ଜମା କରିବାରେ ପ୍ରଭାବଶାଳୀ ହୋଇପାରନ୍ତି । ଏହି ବ୍ୟାକ୍ଟେରିଆଙ୍କୁ ‘ଏଣ୍ଡୋଫାଇଟ୍ସ’ କୁହାଯାଏ । ଏମାନେ ହେଉଛନ୍ତି ସହଜୀବୀ ସୂକ୍ଷ୍ମଜୀବ । ଅନ୍ୟ କାର୍ଯ୍ୟ ସମେତ ହରମୋନ ଉତ୍ପନ୍ନ ଓ ପୋଷକତ୍ତତ୍ୱ ଅବଶୋଷଣକୁ ସୁଗମ କରିଥାନ୍ତି । ସ୍ପୁର୍ସ ଗଛରେ ଏହି ବ୍ୟାକ୍ଟେରିଆ ଦ୍ରବଣୀୟ ସୁନା କଣିକାଗୁଡ଼ିକୁ ଅଲଗା କରନ୍ତି, ଯାହାକୁ ଗଛ ସେମାନଙ୍କ ମୂଳ ମାଧ୍ୟମରେ ପାଣିରେ ଗ୍ରହଣ କରିଥାନ୍ତି । ଏହି ପ୍ରକ୍ରିୟା ବାୟୋମିନେରାଲାଇଜେସନ୍‌ର ଏକ ରୂପ, ଯେଉଁଥିରେ ଜୀବିତ ପ୍ରାଣୀମାନେ ଏକ ବ୍ୟାପକ ପ୍ରକ୍ରିୟା ମାଧ୍ୟମରେ ନିଜ ଟିସ୍ୟୁରେ ଖଣିଜ ପ୍ରସ୍ତୁତିକୁ ନିୟନ୍ତ୍ରଣ କରିଥାନ୍ତି । ଏ ମାମଲାରେ ଏଣ୍ଡୋଫାଇଟ୍ସ ବ୍ୟାକ୍ଟେରିଆ ନିଜର ବିଷାକ୍ତ ତତ୍ତ୍ୱକୁ କମାଇବା ପାଇଁ ସମ୍ଭବତଃ ଉକ୍ତ କଣିକାଗୁଡ଼ିକୁ ଜମା କରନ୍ତି । ଅଧ୍ୟୟନ ପାଇଁ ଗବେଷକମାନେ ଉତ୍ତର ଫିନ୍‌ଲାଣ୍ଡରେ କିଟ୍ଟିଲା ଖଣି ନିକଟରେ ଥିବା ସ୍ପୁର୍ସ ଗଛଗୁଡ଼ିକୁ ଯାଞ୍ଚ୍‌ କରିଥିଲେ । ଏହି ଖଣି ୟୁରୋପର ସର୍ବବୃହତ ସୁନା ଉତ୍ପାଦକ ଭାବେ ପରିଚିତ । ୨୩ ସ୍ପୁର୍ସ ଗଛରୁ ସେମାନେ ଛୁଞ୍ଚି ଭଳି ୧୩୮ ପତ୍ରର ନମୁନାକୁ ପରୀକ୍ଷା କରିଥିଲେ । ୪ଟି ଗଛର ପତ୍ରରୁ ସୁନାର ସୂକ୍ଷ୍ମ କଣିକା ମିଳିଲା ।

ଏହି ସୂକ୍ଷ୍ମ କଣିକାଗୁଡ଼ିକ ପି୩୦ବି-୪୨, କ୍ୟୁଟିବ୍ୟାକ୍ଟେରିୟମ୍‌ ଓ କୋରିନେବ୍ୟାକ୍ଟେରିୟମ୍‌ ଭଳି ବ୍ୟାକ୍ଟେରିଆ ପ୍ରଜାତିଙ୍କ ଦ୍ୱାରା ସୃଷ୍ଟ ବାୟୋଫିଲ୍ମସ ଦ୍ୱାରା ଆବୃତ୍ତ ଥିଲା । ଏହି ଫିଲ୍ମ ହେଉଛନ୍ତି ବ୍ୟାକ୍ଟେରିଆ ଦ୍ୱାରା ଉତ୍ପନ୍ନ ପଲିସାକ୍‌ଚାରାଇଡ୍‌ (ଜଟିଳ ଶର୍କରା) ଓ ପ୍ରୋଟିନ୍‌ ଯୌଗିକ, ଯାହା ସେମାନଙ୍କୁ ଗଛର ଟିସ୍ୟୁ ମଧ୍ୟରେ ରହିବାରେ ସାହାଯ୍ୟ କରେ । ଏହି ଖଣିଜକୁ ଅଲଗା କରିବାରେ ବ୍ୟାକ୍ଟେରିଆ ଦାୟୀ ବୋଲି ସୂକ୍ଷ୍ମକଣିକା ଓ ବ୍ୟାକ୍ଟେରିଆ ବାୟୋଫିଲ୍ମଗୁଡ଼ିକ ମଧ୍ୟରେ ଥିବା ନିବିଡ଼ ସମ୍ପର୍କ ଦର୍ଶାଇଲା । ସୁନା ଥିବା ମୁନିଆ ପତ୍ରରେ ବ୍ୟାକ୍ଟେରିଆ ପ୍ରଜାତିମାନଙ୍କର ବିବିଧତା କମ୍‌ ଥିଲା । ଟିସ୍ୟୁରେ ଉଚ୍ଚ ମାତ୍ରାର ଧାତୁ ଧାରଣ କରିଥିବା ଉଦ୍ଭିଦରେ ମଧ୍ୟ ସୂକ୍ଷ୍ମଜୀବ ବିବିଧତା ହ୍ରାସ ପାଇଥିବା ଅନ୍ୟ ଅଧ୍ୟୟନରୁ ଜଣାପଡ଼ିଲା ।