ଗୋଷାଣି, ୨୧/୧୦ : କାଜୁ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ। ଜଳିପୋଡ଼ି ପାଉଁଶ ହୋଇଗଲା ୫୦ ଲକ୍ଷ ଟଙ୍କାର ସମ୍ପତ୍ତି। ଫ୍ୟାକ୍ଟ୍ରି ମାଲିକ ଗୁରୁତର। ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଜଗନ୍ନାଥପୁର କାଜୁ ଫ୍ୟାକ୍ଟ୍ରିରେ ସୋମବାର ରାତିରେ ଅଗ୍ନିକାଣ୍ଡ ଘଟିଛି। ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ସୂଚନା ଅନୁଯାୟୀ, ଗୋଷାଣି ବ୍ଲକର ଲାବଣ୍ଯ ଗଡ଼ ପଞ୍ଚାୟତର ଜଗନ୍ନାଥପୁର ଗାଁ ନିକଟରେ ଥିବା ଶ୍ରୀଜଗନ୍ନାଥ କାଜୁ ଇଣ୍ଡଷ୍ଟ୍ରିରେ ସୋମବାର ରାତ୍ରି ସାଢ଼େ ୯ଟା ସମୟରେ ବିଦ୍ୟୁତ୍ ସଟ୍ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି। ସୋମବାର ଦୀପାବଳି ଥିବାରୁ ଅପରାହ୍ନରେ ଶୀଘ୍ର ଫ୍ୟାକ୍ଟ୍ରି ବନ୍ଦକରି ମାଲିକଙ୍କ ସମେତ ସମସ୍ତେ ଚାଲି ଯାଇଥିଲେ। ରାତିରେ ହଠାତ୍ ନିଆଁ ଲାଗିଥିବା ଖବର ପାଇ ମାଲିକ ଜଗନ୍ନାଥ ରାଓ ଆସି ଗୋଦାମର କବାଟ ଖୋଲି ଦେବାରୁ ଅଗ୍ନି ଧାସ ବାଜି ଗୁରୁତର ହୋଇଥିଲେ। ପ୍ରଥମେ ତାଙ୍କୁ ପଲାସା ଏବଂ ପରେ ବିଶାଖାପାଟଣା ସ୍ଥିତ ମେଡିକେର୍ ହସ୍ପିଟାଲରେ ଚିକିତ୍ସା କରାଯାଉଛି। କାଜୁ ତେଲଯୁକ୍ତ ଥିବାରୁ ଦେଖୁ ଦେଖୁ ନିଆଁ ଚାରିଆଡ଼େ ବ୍ଯାପି ଯାଇଥିଲା। ଗୋଦାମରେ ଗଚ୍ଛିତ ଥିବା ୧୨୦୦ ରୁ ୧୩୦୦ ପେଟି କାଜୁ ପୋଡ଼ି ଯାଇଛି । ଯାହାର ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ହେବ ବୋଲି ଅନୁମାନ କରାଯାଉଛି। ଏହା ସହିତ ଅନ୍ୟ ସାମଗ୍ରୀ ମଧ୍ଯ ପୋଡ଼ି ପାଉଁଶ ହୋଇଯାଇଛି। ଘଟଣା ସ୍ଥଳରେ ପାରଳା ଅଗ୍ନିଶମ ବିଭାଗର ଯବାନମାନେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ କରୁଥିବା ବେଳେ ୩ଟି ଗାଡ଼ି ଲିଭାଇବା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ମଙ୍ଗଳାବାର ମଧ୍ଯାହ୍ନ ପର୍ଯ୍ୟନ୍ତ ନିଆଁ ଲିଭା କାର୍ଯ୍ୟ ଚାଲିଥିଲା।