ନୂଆଦିଲ୍ଲୀ,୦୪/୧୦: ସେପ୍ଟେମ୍ବର ମାସରେ କେନ୍ଦ୍ର  ସରକାର ୧.୮୯ ଲକ୍ଷ କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ  (ଜିଏସ୍‌ଟି) ଆଦାୟ କରିଛନ୍ତି । ନୂଆ ଜିଏସ୍‌ ଟି ହାର ଲାଗୁ  ହେବା ପରେ ଜିଏସ୍‌ଟି ସଂଗ୍ରହ ଡାଟା ଜାରି କରିଛନ୍ତି କେନ୍ଦ୍ର  ସରକାର । ବାର୍ଷିକ ଭିତ୍ତିରେ ପରୋକ୍ଷ ଟିକସ ଆଦାୟ ୯.୧%  ବୃଦ୍ଧି ହୋଇଛି । ଗତ ବର୍ଷ ସେପ୍ଟେମ୍ବରରେ ସରକାର ୧.୭୩  ଲକ୍ଷ କୋଟିର ପରୋକ୍ଷ ଟିକସ ଆଦାୟ କରିଥିଲେ । ଓଡ଼ିଶାରେ  ଜିଏସ୍‌ଟି ଆଦାୟ ୬% ବୃଦ୍ଧି ହୋଇ ୪୮୬୫ କୋଟି ରହିଛି ।  

ଅନ୍ୟପଟେ ଚଳିତ ବର୍ଷ ଅଗଷ୍ଟ ତୁଳନାରେ  ସେପ୍ଟେମ୍ବରରେ ପରୋକ୍ଷ ଟିକସ ଆଦାୟ ୩ ହଜାର କୋଟି  ବଢ଼ିଛି । ଅଗଷ୍ଟରେ ପରୋକ୍ଷ ଟିକସ ଆଦାୟ ବାର୍ଷିକ ଭିତ୍ତିରେ  ୬.୫% ବୃଦ୍ଧି ହୋଇ ୧.୮୬ ଲକ୍ଷ କୋଟି ଟଙ୍କା ଛୁଇଁଥିଲା । ଏହା  ପୂର୍ବରୁ ଏପ୍ରିଲ ୨୦୨୫ରେ ରେକର୍ଡ ୨.୩୭ ଲକ୍ଷ କୋଟିର  ପରୋକ୍ଷ ଟିକସ ଆଦାୟ କରିଥିଲେ କେନ୍ଦ୍ର ସରକାର । ଯାହା  ମେ ମାସରେ ୨.୦୧ ଲକ୍ଷ କୋଟି ଟଙ୍କା ରହିଥିଲା ।

୨୨ ସେପ୍ଟେମ୍ବରରେ କେନ୍ଦ୍ର ସରକାର ଅତ୍ୟାବଶ୍ୟକ  ସାମଗ୍ରୀ ଉପରେ କେବଳ ୨ ସ୍ଲାବ ଯଥା ୫% ଏବଂ ୧୮%  ଜିଏସ୍‌ଟି ଲାଗୁ କରିଥିଲେ । ଟିକସ ବ୍ୟବସ୍ଥାକୁ ସରଳୀକରଣ  କରିବା ଦିଗରେ ଏଭଳି କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ଏହା  ଦ୍ୱାରା ୟୁଏଚ୍‌ଟି ଦୁଗ୍ଧ, ପନିର, ଘିଅ, ସାମ୍ପୁ, ସାବୁନ, ଏସି,  କାର୍‌ ଭଳି ବିଭିନ୍ନ ବର୍ଗର ସାମଗ୍ରୀ ଶସ୍ତା ହୋଇଛି ।

ଜୁଲାଇରେ ଜିଏସ୍‌ଟି କାର୍ଯ୍ୟକାରି ହେବାର ୮ ବର୍ଷ ପୂର୍ତ୍ତି  ହୋଇଛି । ଏହି ଅବଧିରେ ଟିକସ ସଂଗ୍ରହ ନୂଆ ରେକର୍ଡ  ସ୍ତର ଛୁଇଁଛି । ଆର୍ଥିକ ବର୍ଷ ୨୦୨୪-୨୫ରେ ୨୨.୦୮ ଲକ୍ଷ  କୋଟିର ପରୋକ୍ଷ ଟିକସ ରାଜକୋଷକୁ ଆସିଛି । ଏହା ୫  ବର୍ଷ ପୂର୍ବେ ୨୦୨୦-୨୧ରେ ୧୧.୩୭ ଲକ୍ଷ କୋଟି ଟଙ୍କା  ରହିଥିଲା । ୫ ବର୍ଷରେ ପରୋକ୍ଷ ଟିକସ ଆଦାୟ ୨ ଗୁଣ  ବଢ଼ିଛି । ୨୦୨୪-୨୫ରେ ପ୍ରତି ମାସ ହାରାହାରି ୧.୮୪ ଲକ୍ଷ  ପରୋକ୍ଷ ଟିକସ ଆଦାୟ ହୋଇଥିଲା । ୫ ବର୍ଷ ପୂର୍ବେ ଏହା  ପ୍ରତି ମାସ ୯୫ ହଜାର କୋଟି ଟଙ୍କା ରହିଥିଲା । ୮ ବର୍ଷରେ  ଜିଏସ୍‌ଟି ବ୍ୟବସ୍ଥାରେ ଟିକସଦାତାଙ୍କ ସଂଖ୍ୟା ୬୫ ଲକ୍ଷରୁ  ୧.୫୧ କୋଟିକୁ ବୃଦ୍ଧି ହୋଇଛି ।