କେନ୍ଦୁଝର, ୦୨/୦୬: ସାପ କାମୁଡାରେ ଚାଲିଗଲା ଯୁବକଙ୍କ ଜୀବନ। ଘରେ ମାଟି ହାଣ୍ଡିରେ ସାପକୁ ବନ୍ଦ କରି ରଖିଲେ ପରିବାର । ବିଶ୍ବାସ ରହିଛି ସାପଟି ବଞ୍ଚିଥିଲେ ମୃତ ପୁଅ ପୁଣି ଜୀବନ ଫେରି ପାଇବ। ଏମିତି ଅନ୍ଧ ବିଶ୍ବାସର ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଗିଲିରିଦୁମା ଗାଁରେ। ସାପ କାମୁଡାରେ ଯୁବକଙ୍କ ମୃତ୍ୟୁ ପରେ ଦେଖିବାକୁ ମିଳିଛି ଏମିତି ଚିତ୍ର। ପୁଅକୁ ହରାଇଥିବା ପରିବାର ଲୋକଙ୍କ ଆଖିର ଲୁହ ସୁଖୁନି।
କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଗିଲିରିଦୁମା ଗାଁର ଶାଖାଇ ମାଝୀଙ୍କ ପୁଅ ମୋହନ ମାଝୀ, ଗତକାଲି ରାତିରେ ଘର ବାହାରେ ଶୋଇଥିବା ବେଳେ ଏକ ବିଷଧର ସାପ ତାଙ୍କୁ କାମୁଡ଼ି ଦେଇଥିଲା। ପରିବାର ଲୋକେ ତୁରନ୍ତ ତାଙ୍କୁ ପାଟଣା ଓ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସକାଳେ ଚିକିତ୍ସାଧୀନ ଅବସ୍ଥାରେ ମୋହନଙ୍କ ମୃତ୍ୟୁ ହୋଇଥିଲା । ତେବେ ପୁଅର ଅକାଳ ବିୟୋଗକୁ ସହଜରେ ଗ୍ରହଣ କରିପାରି ନଥିବା ପରିବାର ଲୋକେ । ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଯେଉଁ ସାପ କାମୁଡ଼ିଥିଲା ସେହି ସାପକୁ ଧରି ମାଟି ହାଣ୍ଡି ଭିତରେ ଘୋଡ଼ାଇ ଘରେ ରଖିଛନ୍ତି । ସାପଟି ବଞ୍ଚିଥିଲେ ମୋହନ ପୁଣି ଜୀବନ ଫେରି ପାଇବେ ବୋଲି ସେମାନେ ଆଶା ବାନ୍ଧି ବସିଛନ୍ତି।
ଅଧିକ ପଢନ୍ତୁ- ପୋଷା ବିଲେଇ ଗେହ୍ଲୀ ନିଖୋଜ: ସହର ସାରା ପୋଷ୍ଟର ମାରି ଖୋଜୁଛନ୍ତି ମାଲିକାଣୀ, ଖୋଜି ଆଣିଲେ ଲକ୍ଷେ ଟଙ୍କା ପୁରସ୍କାର