ବ୍ରିଟିଶମାନଙ୍କର ଆଗମନ ପରେ ଭାରତରେ ହକି ଖେଳର ଆରମ୍ଭ ହୋଇଥିଲା । କିନ୍ତୁ ଏକ ବିଧିବଦ୍ଧ ଭାବେ ଜାତୀୟ ସଂଘ ଭାରତୀୟ ହକି ଫେଡେରେସନ (ଆଇଏଫ୍ଏଚ୍) ଗଠନ ହୋଇ ଜାତୀୟ ପ୍ରତିଯୋଗିତା ଆୟୋଜନ କରିବା ଏବଂ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପ୍ରତିନିଧିତ୍ୱ କରିବାର ପ୍ରୟାସ ୧୯୨୫ ମସିହାରୁ ଆରମ୍ଭ ହୁଏ । ୧୯୨୫ରୁ ୨୦୦୮ ପର୍ଯ୍ୟନ୍ତ ଆଇଏଫ୍ଏଚ ଏବଂ ୨୦୦୮ରୁ ହକି ଇଣ୍ଡିଆ କାର୍ଯ୍ୟ କରି ଆସୁଛି । ଇତିମଧ୍ୟରେ ଭାରତୀୟ ହକିକୁ ଶହେ ବର୍ଷ ପୂରଣହୋଇଛି ।
ଓଡ଼ିଶା ହକିରେ ବହୁ ସଫଳତା ହାସଲ କରିଛି । ଉଭୟ ପୁରୁଷ ଓ ମହିଳାରେ ସୃଷ୍ଟି କରିଛି ବହୁ ଅନ୍ତର୍ଜାତୀୟ କ୍ରୀଡ଼ାବିତ । ଯେଉଁମାନଙ୍କୁ ନେଇ ଓଡ଼ିଶା ଗର୍ବ କରେ । ଅମିତ ରୋହିଦାସ ଏବଂ ବୀରେନ୍ଦ୍ର ଲାକ୍ରା ଅଲିମ୍ପିକ୍ସ ପଦକ ଜିତି ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି । ଅମିତ କ୍ରମାନ୍ୱୟରେ ଦୁଇ ଥର ଅଲିମ୍ପିକ୍ସ ପଦକ ହାସଲ କରିଛନ୍ତି ।
ଦିଲ୍ଲୀପ ତିର୍କୀ
ପୂର୍ବତନ ଅଧିନାୟକ ଦିଲ୍ଲୀପ ଭାରତୀୟ ହକିରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ଅଲିମ୍ପିକ୍ସ ଠାରୁ ଆରମ୍ଭ କରି ବିଶ୍ୱକପ୍ ପର୍ଯ୍ୟନ୍ତ ସେ ତାଙ୍କର ଚମତ୍କାର ପ୍ରଦର୍ଶନ ଦେଖାଇଛନ୍ତି । ଭାରତର କିଛି ଆଗ ଧାଡ଼ିର ହକି ତାରଙ୍କ ମଧ୍ୟରେ ଦିଲ୍ଲୀପ ସ୍ଥାନ ପାଇଛନ୍ତି । ତାଙ୍କ ଅଧିନାୟକତ୍ୱରେ ଭାରତ ବହୁ ସଫଳତା ପାଇଛି । ସେ ୪୧୨ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ଦିଲ୍ଲୀପ ଥିଲେ ସାଂସଦ । ତାଙ୍କ ଜନ୍ମ ସୁନ୍ଦରଗଡ଼ ଜିଲ୍ଲାର ସାଉନାମରାରେ ।
ଲାଜରୁସ ବାର୍ଲା
ଅଲିମ୍ପିକ୍ସ, ଏସିଆନ୍ ଓ ବିଶ୍ୱ କପ୍ ଭଳି ବହୁ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ଦକ୍ଷତା ରଖିଛନ୍ତି ଲାଜରୁସ ।
ଇଗ୍ନେସ ତିର୍କୀ
ଭାରତୀୟ ଦଳର ଆଉ ଜଣେ ନିର୍ଭର ଯୋଗ୍ୟ ତାରକା ଥିଲେ ଇଗ୍ନେସ । ଜଣେ କଡ଼ା ଡିଫେଣ୍ଡର ଭାବେ ଦଳକୁ ବହୁ ବାର ସଫଳତା ଦେଇଛନ୍ତି । ୨୦୨ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ଦକ୍ଷତା ରଖିଛନ୍ତି ସେ । ଏହା ମଧ୍ୟରେ ରହିଛି ଅଲିମ୍ପିକ୍ସ, ଏସିଆନ୍, ବିଶ୍ୱକପ୍ ଓ ଏସିଆ କପ୍ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ । ସୁନ୍ଦରଗଡ଼ର ଲୁଲକିଡିହିରେ ତାଙ୍କର ଜନ୍ମ ।
ପ୍ରବୋଧ ତିର୍କୀ
ଲୁଲକିଡିହିରେ ଜନ୍ମ ହୋଇଥିଲେ ପ୍ରବୋଧ । ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଏସୀୟ କ୍ରୀଡ଼ା ଓ ଆଜଲନ ଶାହା କପ୍ ଭଳି ବହୁ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି ।
ସୁଭନ୍ଦ୍ରା ପ୍ରଧାନ
ମହିଳା ଭାରତୀୟ ଦଳର ଜଣେ ନିର୍ଭର ଯୋଗ୍ୟ ଖେଳାଳି ଥିଲେ । ସେ ବିଶ୍ୱକପ୍, ଏସିଆନ୍ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭଳି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଖେଳିବାର ଦକ୍ଷତା ରଖିଛନ୍ତି।
ୱିଲିୟମ ଖାଲକୋ
ରେଙ୍ଗାଲବାହାଲରେ ଖାଲକୋଙ୍କ ଜନ୍ମ । ଅଲିମ୍ପିକ୍ସଠାରୁ ବହୁ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି ।
ଦୀପଗ୍ରେସ ଏକ୍କା
ବର୍ତ୍ତମାନ ଭାରତୀୟ ମହିଳା ଦଳର ନିର୍ଭର ଯୋଗ୍ୟ ଖେଳାଳି। ରିଓ ଅଲିମ୍ପିକ୍ସ ଦଳରେ ସାମିଲ ଥିଲେ । କ୍ୟାରିୟରରେ ୧୦୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ଦକ୍ଷତା ସେ ରଖିଛନ୍ତି ।
ନମିତା ଟପ୍ପୋ
ରିଓ ଅଲିମ୍ପିକ୍ସ ଦଳରେ ସାମିଲ ହୋଇଥିଲେ ନମିତା । ପୂର୍ବରୁ ବହୁ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ଦକ୍ଷତା ରଖିଛନ୍ତି । ସେ ଦଳର ନିୟମିତ ତାରକା ହୋଇଛନ୍ତି ।
ଲିଲିମା ମିଞ୍ଜ
ଭାରତୀୟ ମହିଳା ଦଳର ଜଣେ ଦକ୍ଷ ଫରୱାର୍ଡ । ରିଓ ଅଲିମ୍ପିକ୍ସରେ ମଧ୍ୟ ସେ ତାଙ୍କର ଚମତ୍କାରିତା ଦେଖାଇଛନ୍ତି । ଦୀପ୍, ନମିତା ଓ ଲିଲିମାଙ୍କ ଭଳି ସେ ମଧ୍ୟ ବହୁ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଖେଳିବାର ଦକ୍ଷତା ରଖିଛନ୍ତି ।
ସୁନୀତା ଲାକ୍ରା
ଭାରତୀୟ ଦଳର ଜଣେ ଟାଣୁଣା ଖେଳାଳି । ପ୍ରତିପକ୍ଷ ଉପରେ ଆକ୍ରମଣ କରିବାରେ ମାହିର । ରିଓ ଅଲିମ୍ପିକ୍ସ ଦଳରେ ସେ ସାମିଲ ଥିଲେ ।
ଅନୁପା ବାର୍ଲା
ଦୁର୍ବଳ ଫର୍ମ ଯୋଗୁ ଜାତୀୟ ଦଳରୁ ଦୂରେଇ ରହିଛନ୍ତି । ମାତ୍ର ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଜୁନିୟର ବିଶ୍ୱକପ୍ ଖେଳିବାର ଦକ୍ଷତା ରଖିଛନ୍ତି ।
ବୀରେନ୍ଦ୍ର ଲାକ୍ରା
ଅଲିମ୍ପିକ୍ସ, ବିଶ୍ୱକପ୍ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଖେଳିବାର ଦକ୍ଷତା ରଖିଛନ୍ତି ସେ । ଶେଷରେ ୨୦୨୦ରେ ତାଙ୍କର ଅଲିମ୍ପିକ୍ସ ପଦକ ଜିତିବାର ସ୍ୱପ୍ନ ସାରକାର ହୋଇଥିଲା ।
ଅମିତ ରୋହିଦାସ
ଓଡ଼ିଶା ହକିର ସବୁଠୁ ସଫଳ ତାରକା ହେଉଛନ୍ତି ଅମିତ । ଅଲିମ୍ପିକ୍ସ, ବିଶ୍ୱକପ୍, ଏସିଆଡ୍ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରତିନିଧିତ୍ୱ କରିଛନ୍ତି । କ୍ରମାନ୍ୱୟରେ ସେ ୨୦୨୦ ଓ ୨୦୨୪ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିବାରେ ସଫଳ ହୋଇଛନ୍ତି । ୨୦୨୮ ଅଲିମ୍ପିକ୍ସ ଖେଳିବାକୁ ସେ ଲକ୍ଷ୍ୟ ରଖିଛନ୍ତି