ପୁରୀ, ୮/୧୧ : ପୁରୀ ଗୁଣ୍ଡିଚା ମନ୍ଦିର ଦଳାଚକଟା ଘଟଣା। କାର୍ଯ୍ୟରେ ଅବହେଳା ପାଇଁ ୭ ପୁଲିସ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସୁପାରିସ୍। ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ପୁଲିସ ଡିଜିପିଙ୍କୁ ରିପୋର୍ଟ ଦିଆଯାଇଛି। ଦଳାଚକଟା ପାଇଁ ୭ ଅଧିକାରୀ ଦାୟୀ ବୋଲି ଏହି ରିପୋର୍ଟରେ ଉଲ୍ଲେଖ କରାଯାଇ। ଏହି ଅଧିକାରୀମାନେ ହେଲେ OSAP ଥାର୍ଡ ବାଟାଲିୟନର କମାଣ୍ଡାଣ୍ଟ ଅଜୟ ପାଢୀ, ଡିସିପି ବିଷ୍ଣୁ ପତି, ସ୍ୱତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ କମାଣ୍ଡାଣ୍ଟ ତାପସ ରଞ୍ଜନ ଦାସ, ଡେପୁଟି କମାଣ୍ଡାଣ୍ଟ କେ.କେ ନାୟକ, ପୁରୀ ସିଟି ଡିଏସପି ପ୍ରଶାନ୍ତ ସାହୁ, କୁମ୍ଭାରପଡା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଓ OSAP 8th ବାଟାଲିୟନ କମାଣ୍ଡାଣ୍ଟ ସାରଦା ପ୍ରସାଦ ଦାସ୍। 

ସୂଚନାନୁଯାୟୀ, ଜୁନ୍ ୨୯ ତାରିଖରେ ରଥଯାତ୍ରା ସମୟରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦଳାଚକଟା ହୋଇଥିଲା। ଏହି ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ରାଜ୍ୟ ସରକାର  ଉନ୍ନୟନ କମିଶନର ଅନୁ ଗର୍ଗଙ୍କୁ ତଦନ୍ତ ଦାୟିତ୍ବ ଦେଇଥିଲେ। ତଦନ୍ତ ରିପୋର୍ଟ ଆଧାରରେ ଏହି ୭ ଜଣ ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପାରିସ୍ କରାଯାଇଛି।