ଦୁବାଇ, ୧୧।୯ : ଦୁବାଇର ଯୁବରାଜ ଶେଖ୍ ହମଦାନ୍ ବିନ୍ ମହମ୍ମଦ ବିନ୍ ରସିଦ୍ ଅଲ୍ ମକତୁମ୍ଙ୍କ ଦ୍ବାରା ଆଇଆଇଏମ ଅହମ୍ମଦବାଦର ଦୁବାଇ କ୍ୟାମ୍ପସ ଉଦଘାଟିତ ହୋଇଛି । ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ୟୁଏଇର ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅବଦୁଲ ରେହମାନ ଅଲ ଆୱାର ଉପସ୍ଥିତ ଥିଲେ।
ଦୁଇ ଦିନିଆ ୟୁଏଇ ଗସ୍ତରେ ଥିବା ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପରିକଳ୍ପିତ ଭାରତର ଶିକ୍ଷାର ଅନ୍ତର୍ଜାତୀୟକରଣ ଦିଗରେ ଏହା ଆଉ ଏକ ବଡ଼ ପଦକ୍ଷେପ । ଏହି ନୂଆ କ୍ୟାମ୍ପସ ବିଶ୍ୱକୁ ଭାରତର ନୂଆ ପରିଚୟ ପ୍ରଦାନ କରିବ । ଏହି ଅନ୍ତର୍ଜାତୀୟ କ୍ୟାମ୍ପସ୍ ଜାତୀୟ ଶିକ୍ଷା ନୀତିରେ କଳ୍ପନା କରାଯାଇଥିବା ‘ଆତ୍ମାରେ ଭାରତୀୟ, ଆଉଟଲୁକରେ ବିଶ୍ୱ’ ନୀତିକୁ ଏକ ସର୍ବୋତ୍ତମ ଲଞ୍ଚପ୍ୟାଡ୍ ପ୍ରଦାନ କରିଛି । ଏହି କ୍ୟାମ୍ପସ ଭାରତ-ୟୁଏଇ ଶିକ୍ଷା ସମ୍ପର୍କରେ ଏକ ଗୌରବମୟ ଅଧ୍ୟାୟ ଯୋଡି ହୋଇଛି । ଏହି ଅବସରରେ କ୍ୟାମ୍ପସରେ ପ୍ରଥମ ଏମବିଏ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବା ଅବସରରେ ମଧ୍ୟ ଶ୍ରୀ ପ୍ରଧାନ ଶୁଭେଚ୍ଛା ଜଣାଇଥିଲେ।
ଏହା ପୂର୍ବରୁ ଶ୍ରୀ ପ୍ରଧାନ ୟୁଏଇର ଉଚ୍ଚଶିକ୍ଷା ଏବଂ ବୈଜ୍ଞାନିକ ଗବେଷଣା ମନ୍ତ୍ରୀ ଡକ୍ଟର ଅବଦୁଲ ରେହମାନ ଅଲ ଆୱାରଙ୍କ ସହିତ ଆଲୋଚନା କରିଥିଲେ । ଉଚ୍ଚଶିକ୍ଷାରେ ଦୁଇ ଦେଶର ଦ୍ୱିପାକ୍ଷିକ ସହଯୋଗ ଉପରେ ସମୀକ୍ଷା କରାଯିବା ସହ ଦୁଇ ଦେଶର ଜ୍ଞାନ ସେତୁକୁ ମଜଭୂତ୍ କରିବା ଉପରେ ଆଲୋଚନା ହୋଇଥିଲା । ଜ୍ଞାନ, ନବସୃଜନ ଏବଂ ଗବେଷଣା କ୍ଷେତ୍ରକୁ ଅଧିକ ବ୍ୟାପକ କରିବା ଦିଗରେ ମଧ୍ୟ ଉଭୟ ମନ୍ତ୍ରୀ ଆଲୋଚନା କରିଥିଲେ । ସେହିପରି ବର୍ତ୍ତମାନ ସମୟରେ ଗୁରୁତ୍ୱପୂର୍ଣ୍ଣ ଓ ଉଭା ହେଉଥିବା କ୍ଷେତ୍ରରେ ମିଳିତ ଗବେଷଣା, କାପାସିଟି ବିଲଡିଂ, ଦ୍ୱିପାକ୍ଷିକ ସାଂସ୍କୃତିକ ଏବଂ ଶୈକ୍ଷିକ ଆଦାନପ୍ରଦାନ ଉପରେ ମଧ୍ୟ ବୈଠକରେ ବିଚାରବିମର୍ଶ ହୋଇଥିଲା । ଦୁବାଇରେ ଭାରତୀୟ ଶିକ୍ଷାନୁଷ୍ଠାନଗୁଡ଼ିକରେ ସହଯୋଗୀ ହୋଇଥିବାରୁ ଶ୍ରୀ ପ୍ରଧାନ ୟୁଏଇର ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଶେଷ ଭାବରେ ଉଭୟ ପକ୍ଷର ପ୍ରାଥମିକତାକୁ ଆଗକୁ ବଢାଇବା, ବିଶ୍ୱ ସହିତ ଯୋଡିହେବା ଏବଂ ୟୁଏଇରେ ଉଚ୍ଚତର ଭାରତୀୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠାଦିଗରେ ମନ୍ତ୍ରୀଙ୍କ ସହଯୋଗକୁ ଶ୍ରୀ ପ୍ରଧାନ ପ୍ରଶଂସା କରିଥିଲେ । ସେ କହିଥିଲେ, ଭାରତ ହେଉଛି ପ୍ରତିଭାବାନ ମାନବସମ୍ବଳର ପେଣ୍ଠସ୍ଥଳି ଏବଂ ୟୁଏଇ ବିଶ୍ୱସ୍ତରୀୟ ଆର୍ଥିକ କ୍ଷେତ୍ରର ପେଣ୍ଠସ୍ଥଳି । ଭାରତ ଏବଂ ୟୁଏଇ ନାଗରିକଙ୍କ ମଧ୍ୟରେ ଥିବା ସମ୍ପର୍କକୁ ସୁଦୃଢ଼ କରିବା ତଥା ପୁରୁଣା ସମ୍ବନ୍ଧକୁ ବଜାୟ ରଖିବା ପାଇଁ ବଦ୍ଧପରିକର ।
ୟୁଏଇରେ ଭାରତୀୟ ଉଚ୍ଚ ଶିକ୍ଷାନୁଗୁଡ଼ିକର ଏକ ଗୋଲଟେବୁଲ ସମ୍ମିଳନୀରେ ମଧ୍ୟ ଯୋଗ ଦେଇଥିଲେ ଶ୍ରୀ ପ୍ରଧାନ । ଉଚ୍ଚ ଶିକ୍ଷାନୁଷ୍ଠାନର ଲିଡରମାନଙ୍କ ସହ ଶ୍ରୀ ପ୍ରଧାନ ଭବିଷ୍ୟତ ପାଇଁ ଥିବା ସେମାନଙ୍କର ଆଭିମୁଖ୍ୟ ଏବଂ ଯୋଜନା ବିଷୟରେ ଆଲୋଚନା କରିଥିଲେ । ବିଶ୍ୱ ଶିକ୍ଷା, ନବସୃଜନ ଏବଂ ଉଦ୍ୟମିତା ମାନଚିତ୍ରରେ ‘ବ୍ରାଣ୍ଡ ଇଣ୍ଡିଆ’କୁ ସୁଦୃଢ଼ କରିବା ଉପରେ ମଧ୍ୟ ଶ୍ରୀ ପ୍ରଧାନ ବୈଠକରେ ମତପ୍ରକାଶ କରିଥିଲେ । ଏହାବ୍ୟତୀତ ଶ୍ରୀ ପ୍ରଧାନ ଗସ୍ତର ଅନ୍ତିମ ଦିନରେ ଦୁବାଇର ଭାରତୀୟ କନସୁଲେଟ୍ରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେବା ସହ 'ଏକ ପେଡ୍ ମା’ କେ ନାମ' ଅଭିଯାନ ଅଧୀନରେ ବୃକ୍ଷରୋପଣ କରିଥିଲେ । ସେଠାରେ ଶିକ୍ଷକ ଦିବସ ପାଳନ ଅବସରରେ ଶ୍ରୀ ପ୍ରଧାନ ସିବିଏସଇ ସ୍କୁଲର ପ୍ରିନ୍ସିପାଲଙ୍କ ସହିତ ଆଲୋଚନା କରିବା ସହ ୟୁଏଇରେ ଥିବା ଭାରତୀୟ ସ୍କୁଲଗୁଡ଼ିକରେ ଅଟଳ ଟିଙ୍କରିଂ ଲ୍ୟାବର ମଧ୍ୟ ଶୁଭାରମ୍ଭ କରିଛନ୍ତି ।
ବୁଧବାର ଶ୍ରୀ ପ୍ରଧାନ ଆବୁଧାବିର ବାପ୍ସ ହିନ୍ଦୁ ମନ୍ଦିର ପରିଦର୍ଶନ କରିବା ସହ ସିମ୍ବିୟୋସିସ୍ ବିଶ୍ୱବିଦ୍ୟାଳୟ, ଦୁବାଇ କ୍ୟାମ୍ପସର ପ୍ରଥମ ବାର୍ଷିକ ଉତ୍ସବରେ ଯୋଗ ଦେଇଥିଲେ । ସିମ୍ବିୟୋସିସ୍ କ୍ୟାମ୍ପସର ଏହି ବାର୍ଷିକ ଉତ୍ସବରେ ଶ୍ରୀ ପ୍ରଧାନ କହିଥିଲେ ଏହି ବାର୍ଷିକ ଉତ୍ସବ କେବଳ ମାଇଲଖୁଣ୍ଟର ଉତ୍ସବ ନୁହେଁ ବରଂ ବିଶ୍ୱ ଶିକ୍ଷା ମାନଚିତ୍ରରେ ଭାରତର ବର୍ଦ୍ଧିତ ଉପସ୍ଥିତିର ଉତ୍ସବ । ସିମ୍ବିୟୋସିସ୍ ଗୁଣବତ୍ତା ଏବଂ ଉତ୍କର୍ଷତାର ସମାର୍ଥକ । ସେହିପରି ବାପ୍ସ ହିନ୍ଦୁ ମନ୍ଦିର ପାର୍ଶ୍ୱରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସମେତ ଅନ୍ୟାନ୍ୟ କାରୁକାର୍ଯ୍ୟଗୁଡ଼ିକୁ ଶ୍ରୀ ପ୍ରଧାନ ପ୍ରଶଂସା କରିଥିଲେ ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଆଇଆଇଟି ଦିଲ୍ଲୀ ଆବୁଧାବି କ୍ୟାମ୍ପସରେ କେମିକାଲ ଇଞ୍ଜିନିୟରିଂ ଓ ଏନର୍ଜି ଏବଂ ସଷ୍ଟେନବିଲିଟି ବିଷୟରେ ବି.ଟେକ୍ ଏବଂ ପିଏଚ.ଡି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ବିଦେଶରେ ସର୍ବପ୍ରଥମ ଅଟଳ ଇନକ୍ୟୁବେସନ୍ ସେଣ୍ଟରର ଉଦଘାଟନ କରିଥିଲେ ।