ନୂଆଦିଲ୍ଲୀ ୧୧/୦୯: ବିଭିନ୍ନ ସମୟରେ  ଭାରତ ଆଗରେ ଦବ୍‌ଦବା ଦେଖାଇଥାଏ ଚୀନ ।  ଭାରତର ବିନିର୍ମାଣ କ୍ଷେତ୍ରକୁ ହାନି ପହଞ୍ଚାଇବା  ପାଇଁ ଏହା କେତେକ ସାମଗ୍ରୀର ରପ୍ତାନି ବ୍ୟାନ୍‌ କରିଦିଏ କିମ୍ବା ରପ୍ତାନି ପରିମାଣକୁ କମ୍‌ କରିଦିଏ ।  ନିକଟରେ ଚୀନ୍‌ ରେୟାର୍‌ ଆର୍ଥ ଧାତବର ରପ୍ତାନି  ଉପରେ ରୋକ୍‌ ଲଗାଇଥିଲା । ଏବେ ଭାରତ ଏଭଳି  ପରିସ୍ଥିତିର ମୁକାବିଲା ପାଇଁ ବିକଳ୍ପ ଖୋଜିସାରିଲାଣି । ଚୀନ୍‌ ଉପରୁ ନିର୍ଭରତା କମାଇବାକୁ ଏହା ଅନ୍ୟ ବାଟ ବାହାର କରୁଛି ।  

ରୟଟର୍ସର ଏକ ତଥ୍ୟ ଅନୁସାରେ, ଭାରତ  ମ୍ୟାନ୍‌ମାର୍‌ର ଏକ ଶକ୍ତିଶାଳୀ ବିଦ୍ରୋହୀ ଗୋଷ୍ଠୀଙ୍କ  ସାହାଯ୍ୟରେ ଦୁର୍ଲଭ ଖଣିଜର ନମୁନା ନେବାକୁ  ଉଦ୍ୟମ କରୁଛି । ଭାରତର ଖଣି ମନ୍ତ୍ରାଳୟ ରାଷ୍ଟ୍ରାୟତ୍ତ  ଏବଂ ଘରୋଇ କମ୍ପାନିଗୁଡ଼ିକୁ ମ୍ୟାନ୍‌ମାରର ଉତ୍ତର  ପୂର୍ବ ଅଞ୍ଚଳରେ ଥିବା ଖଣିଗୁଡ଼ିକରୁ ନମୁନା ଆଣିବା  ପାଇଁ କହିଛି । ଏହି ଖଣିଗୁଡ଼ିକ କଚୀନ ଇଣ୍ଡିପେଣ୍ଡେନ୍ସ  ଆର୍ମୀ(କିଆ)ର ନିୟନ୍ତ୍ରଣରେ ଅଛି । ମନ୍ତ୍ରାଳୟ  ଚାହେଁ ଯେ, କମ୍ପାନିଗୁଡ଼ିକ ଏହି ଖଣିଜଗୁଡ଼ିକର  ନମୁନା ପରୀକ୍ଷଣ କରନ୍ତୁ । ନମୁନାରେ ଭାରୀ  ଦୁର୍ଲଭ ଖଣିଜ ରହିଛି ଅବା ନାହିଁ ତାହା ସୁନିଶ୍ଚିତ  କରନ୍ତୁ । ଏହି ଖଣିଜର ବ୍ୟବହାର ଇଲେକ୍ଟ୍ରିକ୍‌ ଯାନ  ଏବଂ ଅନ୍ୟ ଆଧୁନିକ ଉପକରଣରେ ବ୍ୟବହାର  ହେଉଥିବା ଚୁମ୍ବକ ତିଆରିରେ କରାଯାଇଥାଏ ।

ସୂତ୍ର  ଅନୁସାରେ, ସରକାରୀ କମ୍ପାନି ଆଇଆର୍‌ଇଏଲ୍‌  ଏବଂ ଘରୋଇ କମ୍ପାନି ମିଡ୍‌ୱେଷ୍ଟ ଆଡ୍‌ଭାନ୍ସଡ  ମାଟେରିଆଲ୍ସ ଏହି ଆଲୋଚନାରେ ସାମିଲ ଅଛନ୍ତି ।  ଗତବର୍ଷ ମିଡ୍‌ୱେଷ୍ଟ ଆଡ୍‌ଭାନ୍ସଡ ମାଟେରିଆଲ୍ସକୁ  ଦୁର୍ଲଭ ଖଣିଜରୁ ଚୁମ୍ବକ ତିଆରି କରିବା ପାଇଁ ସରକାରୀ ପାଣ୍ଠି ମିଳିଥିଲା ।