ଭୁବନେଶ୍ୱର,୧୨/୧୦:ମାନବିକ ଚିନ୍ତାଧାରା ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଉଜ୍ଜଳ କରିବ । ତେଣୁ ପାଠପଢ଼ା ସହିତ ସମାଜର ଅବହେଳିତ ଶିଶୁମାନଙ୍କ ଉନ୍ନତି କ୍ଷେତ୍ରରେ ଛାତ୍ରଛାତ୍ରୀ ନିଜକୁ ସାମିଲ କରିବା ଆବଶ୍ୟକ ବୋଲି ଶିକ୍ଷା ଓ ଅନୁସନ୍ଧାନର ଉପସଭାପତି ଶାଶ୍ୱତୀ ଦାସ କହିଛନ୍ତି । ସୋଆର ସାମାଜିକ ଅନୁଷ୍ଠାନ ‘ଜାଗୋ’ର ୧୯ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀମତି ଦାସ କହିଲେ, ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ନିକଟବର୍ତ୍ତୀ ବସ୍ତି ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ପଢ଼ାଇବା ସହ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଲକ୍ଷ୍ୟ ନେଇ କାର୍ଯ୍ୟ କରୁଥିବା ସୋଆ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବେଶ୍‌ ଉଜ୍ଜଳ । 

ପାଠପଢ଼ା ସହ ଏଭଳି ମହାନ କାର୍ଯ୍ୟରେ ନିଜକୁ ସାମିଲ କରୁଥିବାରୁ ତାଙ୍କ ମନରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାନ ରହିଛି ବୋଲି ଶ୍ରୀମତି ଦାସ କହିଥିଲେ । ୨୦୦୭ରେ ଟିମ୍‌ ଜାଗୋର ପ୍ରତିଷ୍ଠା ହୋଇଥିଲା । ବସ୍ତିର ଛୋଟଛୋଟ ପିଲାମାନଙ୍କ ସାମଗ୍ରିକ ବିକାଶ ଦିଗରେ ଏହା କାର୍ଯ୍ୟ କରୁଛି । ସୋଆର ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀ ନିଜର ବୃତ୍ତିଗତ ଶିକ୍ଷା ସହ ସମାଜର ମଙ୍ଗଳ ପାଇଁ ଏଭଳି ମହାନ କାର୍ଯ୍ୟରେ ନିଜକୁ ସାମିଲ କରିଛନ୍ତି । ଏହି ଛାତ୍ରଛାତ୍ରୀଙ୍କୁ ସେ ଆନ୍ତରିକ ଶୁଭେଚ୍ଛା ଜଣାଇଥିଲେ । ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜାଗୋ ଅଭିଯାନକୁ ସାରା ବିଶ୍ୱବିଦ୍ୟାଳୟରେ ସମ୍ପ୍ରସାରିତ କରାଯିବ ବୋଲି କହିଥିଲେ । ଛାତ୍ର ମଙ୍ଗଳ ଡିନ୍‌ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ସ୍ୱାଗତ ଭାଷଣ ଦେଇଥିଲେ । ସୋଆର ଉପକୁଳପତି ପ୍ରଫେସର ଡା. ନୀତା ମହାନ୍ତି, କଣ୍ଟ୍ରୋଲର ଅଫ୍‌ ଏଗ୍‌ଜାମିନେସନ ପ୍ରଫେସର ମଞ୍ଜୁଳା ଦାସ ଓ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନିକାଲ୍‌ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ଡିନ୍‌ ପ୍ରଫେସର ପ୍ରଦୀପ କୁମାର ସାହୁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଜାଗୋର ମେଣ୍ଟର ପ୍ରଫେସର ଅନୀତା ପଣ୍ଡା କହିଲେ, ଅନେକ ସମୟରେ ଦାରିଦ୍ର‌୍ୟ ଯୋଗୁଁ ଅନେକ ପ୍ରତିଭା ଲୁକ୍କାୟିତ ହୋଇ ରହିଯାନ୍ତି । ଏଭଳି ପ୍ରତିଭାଙ୍କୁ ବାହାରକୁ ଆଣିବାର ଲକ୍ଷ୍ୟ ନେଇ ପ୍ରୟାସ ଆରମ୍ଭ କରିଥିବା ଟିମ ଜାଗୋ ୧୮ ବର୍ଷ ଅତିକ୍ରମ କରି ୧୯ ବର୍ଷରେ ପାଦ ଥାପିଛି । ଉପଯୁକ୍ତ ଶିକ୍ଷା ଓ ସାମଗ୍ରିକ ବିକାଶ ଜରିଆରେ ସେମାନଙ୍କ ବ୍ୟକ୍ତିତ୍ୱ ନିର୍ମାଣ ପାଇଁ ଟିମ୍‌ ଜାଗୋ ପ୍ରତିଶ୍ରୁତିବଦ୍ଧ । ଏହି ଅବସରରେ ଶିଶୁମାନଙ୍କ ଦ୍ୱାରା ଏବଂ ଟିମ୍‌ ଜାଗୋର ସଦସ୍ୟମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।