ମାଲକାନଗିରି,୫/୧୧ : ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଯାଇଛି । ଏହା ବ୍ୟତିତ ଶ୍ରୀଜୀଉଙ୍କ ରାଜାଧିରାଜ ଓ ସୁନାବେଶକୁ ଶ୍ରଦ୍ଧାଳୁମାନେ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଛନ୍ତି। ଆଜି ଭୋରରୁ ୧୧୯କଲୋନୀ, ସତିଗୁଡା ଜଳଭଣ୍ଡାର, ବାଲିସାଗର, ବଣ୍ଡା ବାକୁଲିଗୁଡ଼ା, ସପ୍ତଧାରା, ବିଭିନ୍ନ ନଦୀ ପୋଖରୀ ଓ ଜଳାଶୟ, ଗୁଡ଼ିକରେ ବୋଇତ ବନ୍ଦାଣ ଉତ୍ସବ ସହ କଦଳୀପଟୁଆ, ସୋଲରେ ନିର୍ମିତ ଡଙ୍ଗା ଭସାଣି ହୋଇଥିଲା। ବିଭିନ୍ନ ଦେବାଳୟମାନଙ୍କରେ ବୃଦ୍ଧବୃଦ୍ଧା ଓ ଶ୍ରଦ୍ଧାଳୁ ଭକ୍ତମାନେ ପୁଜା ପାଠ କରି ଦେବାଦେବୀଙ୍କୁ ଦର୍ଶନ କରିଥିଲେ ।
ମନ୍ଦିର ପରିସରରେ ଅଷ୍ଟପ୍ରହର, ଚବିଶ ପ୍ରହର, ବତିଶ ପ୍ରହର ନାମ ଯଜ୍ଞ ସଂଙ୍କୀର୍ତ୍ତନ ଗତକାଲିଠାରୁ ଆରମ୍ଭ ହୋଇ ଆଜି ରାତ୍ରରେ ଶେଷ ହୋଇଛି । ବିଶେଷ କରି ମାଲକାନଗିରି ଜିଲ୍ଲା ସଦର ମହକୁମା ଶ୍ରୀଜଗନ୍ନାଥ ମନ୍ଦିରରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ ଅବସରରେ ତିନି ଠାକୁରଙ୍କ ସୁନା ବେଶ ଦେଖିବା ପାଇଁ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଭିଡ଼ ଲାଗିଥିଲା । ଠିକ୍ ସେହିପରି ୧୧୯କଲୋନୀ ଆଖଣ୍ଡଳମଣୀ ମନ୍ଦିର, ତାରିଣି ପୀଠ, ଶିବାନନ୍ଦ ଆଶ୍ରମ, ଏମଭି୩ ମା’ମଙ୍ଗଳା ପିଠ, ତଳ ସାହି ଶିବ ମନ୍ଦିର, ହାଟପଦା ଚୁଟିଗୁଡା ବିଶେଶ୍ଵର ଶିବ ମନ୍ଦିରlର ଭିଡ଼ ଲାଗିଥିଲା । ଗତ ପାଞ୍ଚ ଦିନ ଧରି ଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ପାଇଁ ଅର୍ଣ୍ଣ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ପରାୟଣ, ପ୍ରବଚନ ଓ ନାମ ସଂକୀର୍ତ୍ତନରେ ସମଗ୍ର ମାଲକାନଗିରି ସହରରେ ପରିବେଶ ଭକ୍ତିମୟ ହୋଇ ଉଠିଛି । ଆଜି ଭୋରରୁ ଭକ୍ତମାନେ ନଦୀ ପୋଖରୀରେ ସ୍ନାନ କରି ଦେବାଦେବୀଙ୍କୁ ଦର୍ଶନ କରିଛନ୍ତି । ଠିକ୍ ସେହିପରି କାଲିମେଳା, ପଡ଼ିଆ, ମୋଟୁ, ଏମଭି ୭୯, ମାଲକାନଗିରି, ଯଦୁଗୁଡା, ବାଲିମେଳା, ଚିତ୍ରକୋଣ୍ଡା, କୋରକୁଣ୍ଡା, ଗୁମ୍ଫା, ଖଇରପୁଟ, ଗୋବିନ୍ଦପାଲି, ମାଥିଲି ଅଞ୍ଚଳରେ ଥିବା ଦେବାଦେବୀ ପୀଠରେ ଶ୍ରଦ୍ଧାଳୁ ଭକ୍ତମାନେ କାର୍ତ୍ତିକ ପୂର୍ଣ୍ଣିମା ଡଙ୍ଗା ଭସାଣି ଉତ୍ସବ ପାଳନ କରି ପୂଜା ପାଠ କରିଛନ୍ତି । ଅନୁରୂପ ଭାବେ ମାଲକାନଗିରି ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଆନୁକୂଲ୍ୟରେ ଓଡିଶାର ଧର୍ମ, ସଂସ୍କୃତି, ଐତିହ୍ୟ ଓ ପରମ୍ପରା ପର୍ବ କାର୍ତ୍ତିକ ପୂର୍ଣ୍ଣିମା ବୋଇତ ବନ୍ଧାଣ ପର୍ବ ମହାସମାରୋହରେ ପାଳନ କରାଯାଇଛି।
ଏହି ଉପଲକ୍ଷେ ସଂଘର ସଦସ୍ୟମାନେ ମୃଦଙ୍ଗ, ଖୋଳ, ଶଙ୍ଖ, ଗିନି ବଜାଇ କୀର୍ତ୍ତନ କରି ଏକ ବଡ଼ବୋଇତ ଓ ବ୍ୟାନର ଧରି ସଭାପତି ବାଲା ରାଜୁ ପାଢ଼ିଙ୍କ ନେତୃତ୍ବରେ ଏକ ଶୋଭାଯାତ୍ରାରେ ନଗର ପରିକ୍ରମା କରି ବଣ୍ଡାବାକିଲି ଗୁଡା ପୁଷ୍କରଣୀରେ ପହଞ୍ଚିଥିଲେ। କୂଳରେ ବୋଇତ ରଖି ଧୂପ, ଦୀପ ଜଳାଇ ପୂଜା କରି ଭସାଇଥିଲେ। ୭ଜଣ ସଦସ୍ୟ ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ଉପସଭାପତି ରବିନାରାୟଣ ପାଣିଗ୍ରାହୀ, ସମ୍ପାଦକ ଅଶୋକ କୁମାର ସାମଲ, ବାବାଜୀ ଚରଣ ସ୍ବାଇଁ, ଏମ୍. ଧବଳେଶ୍ଵର ରାଓ, ସୁରେନ୍ଦ୍ର କୁମାର ମଲ୍ଲିକ, ଗଣେଶ ଚନ୍ଦ୍ର ଜେନା, ଜଗନ୍ନାଥ ତିଆଡ଼ିଙ୍କୁ ସାଧବ ବେଶ ପୋଷାକରେ ସଜ୍ଜିତ କରାଯାଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ଚିରଞ୍ଜିବୀ ମହାପାତ୍ର, ଜୟଦେବ ରାଉଳ, କାଳୁ ମହାରଣା, ମାଧବାନନ୍ଦ ବିଶ୍ବାଳ, ଅଭିମନ୍ୟୁ ବେହେରା, ଗିରି ଧାରୀ ପାଣିଗ୍ରାହୀ, ରବିନ୍ଦ କୁମାର ମହାରଣା, କୀର୍ତ୍ତନ ରେ ଢୋଲ କଳ୍ପତରୁ ନାୟକ ଓ ଗିନି ଅଲେଖ ପାତ୍ର ବାଦନ କରିଥିଲେ।