ଭୁବନେଶ୍ବର,୧୧/୧୦ : ଗଣ୍ଡମୁଣ୍ଡା ତାରିଣୀ ବସ୍ତି ଉଚ୍ଛେଦବେଳେ ବିଦ୍ୟୁତ୍ ତାର ଲାଗି ଚାଲିଗଲା ଜୀବନ । ସ୍ଥାନୀୟ ବାସିନ୍ଦା ନିଆଁ ଜାଳି ଦୁଇ ପାଖ ରାସ୍ତା ଅବରୋଧ କରିଛନ୍ତି । ମୃତକ ନାରାୟଣ ସାହୁ(୨୫) । ବିଡିଓ ଓ ବିଦ୍ୟୁତ୍ ବିଭାଗର ଅବହେଳା ଯୋଗୁଁ ନାରାୟଣ ବିଦ୍ୟୁତ୍ ଆଘାତରେ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ, ଗଣ୍ଡମୁଣ୍ଡା ତାରିଣୀ ବସ୍ତିରେ ବିଡିଏ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଉଥିଲା । ବିଦ୍ୟୁତ୍ ବିଭାଗ ପକ୍ଷରୁ ସେଠାରେ ବିଦ୍ୟୁତ୍ ସଂଯୋଗ କଟାଯାଇଥିଲା । ଉଚ୍ଛେଦ ପରେ ବିଦ୍ୟୁତ ବିଭାଗ ବିଦ୍ୟୁତ୍ ସଂଯୋଗ ଦେଇ ଦେଇଥିଲେ । ଅପରାହ୍ନରେ ନାରାୟଣ ସେଠାରେ ଭାଇବ୍ରେଟର କଟର ମେସିନ ସହାୟତାରେ କିଛି ଲୁହା ରଡ୍କୁ କାଟୁଥିଲେ । ତେବେ କୌଣସି କାରଣବଶତଃ ଉକ୍ତ ଲୁହା ରଡ୍ରେ ବିଦ୍ୟୁତ ସଂଯୋଗ ହୋଇ ଯାଇଥିଲା । ଯାହା ସଂସ୍ପର୍ଶରେ ଆସି ଯାଇଥିଲେ ନାରାୟଣ।
ସେହିଠାରେ ସେ ଟଳି ପଡ଼ିଥିଲେ । ଏହା ଦେଖି ବସ୍ତିରେ ହୋ-ହାଲ୍ଲା ପଡ଼ି ଯାଇଥିଲା । ଖବରପାଇ ବିଦ୍ୟୁତ୍ ବିଭାଗ ପକ୍ଷରୁ ସେଠାରୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯାଇଥିଲା । ନାରାୟଣଙ୍କ ମୃତ୍ୟୁକୁ ନେଇ ବସ୍ତିରେ ଉତ୍ତେଜନା ପ୍ରକାଶ ପାଇଥିଲା ।