ପୁରୀ, ୨୪/୧୦ : ଆସନ୍ତା ରଥଯାତ୍ରାଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କୋଠ ଭୋଗ ଜୈବିକ ଚାଉଳରୁ ପ୍ରସ୍ତୁତ କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ଜୈବିକ ଚାଉଳରେ କୋଠ ଭୋଗ ପ୍ରସ୍ତୁତ କରାଯାଇ ସମସ୍ତ ପରୀକ୍ଷା ନିରୀକ୍ଷା ସରିଥିବାବେଳେ ଆସନ୍ତା ରଥଯାତ୍ରାରୁ ଜୈବିକ ଚାଉଳରେ ପ୍ରତ୍ୟେକ ଦିନ ମହାପ୍ରଭୁଙ୍କ କୋଠ ଭୋଗ ପ୍ରସ୍ତୁତ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହି ସୂଚନା ଦେଇଛନ୍ତି। ସେପଟେ ମହାପ୍ରଭୁଙ୍କ କୋଠ ଭୋଗ ସମ୍ପୂର୍ଣ୍ଣ ଭାବେ ଜୈବିକ ଚାଉଳରେ ପ୍ରସ୍ତୁତ ହେବା ନିଷ୍ପତ୍ତିକୁ ମଧ୍ୟ ସ୍ବାଗତ କରିଛି ସୁଆର ମହାସୁଆର ନିଯୋଗ। ତେବେ ମହାପ୍ରସାଦ ପାଇଁ ଆବଶ୍ୟକ ଥିବା ଜୈବିକ ଚାଉଳ ଶ୍ରୀମନ୍ଦିର ପ୍ରଶାସନ ଯୋଗାଇ ଦେଲେ ମହାପ୍ରଭୁଙ୍କ କୋଠ ଭୋଗକୁ ସମ୍ପୂର୍ଣ୍ଣ ଭାବେ ଜୈବିକ ଚାଉଳରେ ପ୍ରସ୍ତୁତ କରାଯିବ ବୋଲି ସୁଆର ମହାସୁଆର ନିଯୋଗ କହିଛି।
ରାସାୟନିକ ସାର ବିନା ଉତ୍ପାଦନ ହୁଏ ଜୈବିକ ଚାଉଳ। କୃଷି ବିଭାଗ ପକ୍ଷରୁ ଜୈବିକ ଚାଉଳ ପ୍ରସ୍ତୁତ ପାଇଁ ବିଭିନ୍ନ ଜିଲ୍ଲାର ଚାଷୀଙ୍କ ସହିତ ଚୁକ୍ତି କରାଯାଇଛି। ଜୈବିକ ଚାଉଳ ପ୍ରସ୍ତୁତ ହେବା ପରେ ଚାଷୀଙ୍କଠାରୁ ସିଧାସଳଖ ରାଜ୍ୟ କୃଷି ବିଭାଗ ଚାଉଳ ସଂଗ୍ରହ କରି ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରିବ। ତେବେ ଶ୍ରୀମନ୍ଦିରରେ ଦୈନିକ ମହାପ୍ରଭୁଙ୍କର କୋଠ ଭୋଗ ପାଇଁ ଦୁଇ କୁଇଣ୍ଟାଲ ଚାଉଳର ବ୍ୟବହାର ହେଉଛି । ସେହିପରି ପ୍ରତିଦିନ ବରାଦି ଭୋଗ ଏବଂ କୋଠ ଭୋଗ ପାଇଁ ଶ୍ରୀମନ୍ଦିରରେ ୨ଶହ କୁଇଣ୍ଟାଲ ଚାଉଳ ଆବଶ୍ୟକ ହେଉଛି । ତେବେ ସୀମିତ ପରିମାଣର ଜୈବିକ ଚାଉଳ ଉତ୍ପାଦନ ହେଉଥିବାରୁ ପ୍ରାଥମିକ ପର୍ଯ୍ୟାୟରେ ଆଗାମୀ ରଥଯାତ୍ରାଠାରୁ ମହାପ୍ରଭୁଙ୍କ କୋଠ ଭୋଗ ପ୍ରସ୍ତୁତିରେ ସବୁଦିନ ଜୈବିକ ଚାଉଳ ବ୍ୟବହାର ହେବ।
ଜୈବିକ ଚାଉଳରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବହୁ ପୂର୍ବରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହି କ୍ରମରେ କିଛି ଜୈବିକ ଚାଉଳକୁ କୋଠ ଭୋଗରେ ପ୍ରସ୍ତୁତ କରି ଚାଉଳର ମାନ ପରୀକ୍ଷା କରାଯାଇଥିଲା। ତେବେ ନୂଆ ଚାଉଳ ଯୋଗୁଁ କୋଠ ଭୋଗ ଅନ୍ନ ପ୍ରସ୍ତୁତିରେ କିଛି ସମସ୍ୟା ଦେଖାଦେଇଥିଲା। ଏଣୁ ପୁରୁଣା ଜୈବିକ ଚାଉଳକୁ ବ୍ୟବହାର ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏବଂ ସୁଆର ମହାସୁଆର ନିଯୋଗ ନିଷ୍ପତ୍ତି ନେଇଛି। ସେପଟେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତିରେ ଜୈବିକ ଚାଉଳ ବ୍ୟବହାରକୁ ସ୍ବାଗତ କରିଛନ୍ତି ଜଗନ୍ନାଥ ପ୍ରେମୀ ଓ ଶ୍ରଦ୍ଧାଳୁ। ତେବେ ରାସାୟନିକ ସାର ମୁକ୍ତ ଚାଉଳ ଶରୀର ପାଇଁ ଉପକାରୀ ହୋଇଥିବାବେଳେ ଜୈବିକ ଚାଉଳରେ ମହାପ୍ରସାଦ ପ୍ରସ୍ତୁତ ସ୍ବାଗତଯୋଗ୍ୟ ପଦକ୍ଷେପ। ଦୈବିକ ଚାଉଳ ଆଳରେ ମହାପ୍ରସାଦର ଦର ଯେଭଳି ଅହେତୁକ ବୃଦ୍ଧି ନହୁଏ ସେ ଦିଗରେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଭକ୍ତ ଓ ସେବାୟତ।
ଆଗାମୀ ଦିନରେ ଜୈବିକ ଚାଉଳ ବହୁଳ ପରିମାଣରେ ଉତ୍ପାଦନ ହେଲେ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ମଧ୍ୟ ପ୍ରସ୍ତୁତ ହେଉଥିବା ମହାପ୍ରସାଦ ଜୈବିକ ଚାଉଳରେ ପ୍ରସ୍ତୁତ ନେଇ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ପକ୍ଷରୁ କୁହାଯାଇଛି।