ଭୁବନେଶ୍ୱର, ୧୫।୧୧ : ଝାରପଡା ସ୍ୱତନ୍ତ୍ର କାରାଗାରରେ ମାଓ ନେତା ଆଜାଦ ଅନଶନରେ ବସିଛନ୍ତି । ତାଙ୍କ ବିରୋଧରେ ଥିବା ମାମଲାଗୁଡିକ ଯଥାଶୀଘ୍ର ଫଇସଲା କରିବାକୁ ସେ ଦାବି କରିଛନ୍ତି।
ଝାରପଡା ଜେଲ ୱାର୍ଡ ନମ୍ବର ୬ ରେ ଆଜାଦ ରହୁଛନ୍ତି । ବୁଧବାର ସକାଳେ ଜଳଖିଆ ଖାଇବା ପାଇଁ ସେ ଆସିନଥିଲେ । ଜେଲ କର୍ମଚାରୀ ତାଙ୍କୁ ଖାଇବାକୁ ଡାକିଥିଲେ । ହେଲେ ସେ ଖାଦ୍ୟ ଗ୍ରହଣ କରିବେନି ବୋଲି ରୋକଠୋକ ଶୁଣେଇଥିଲେ । ତାଙ୍କ ଦାବି ପୂରଣ ନ ହେବା ଯାଏ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି ।
ତାଙ୍କ ବିରୋଧରେ ଥିବା ସମସ୍ତ ମାମଲାକୁ ଏକ ସ୍ୱତନ୍ତ୍ର ଅଦାଲତ ଜରିଆରେ ତ୍ୱରିତ ଫଇସଲା କରିବାକୁ ସୁପ୍ରିମକୋର୍ଟ ପୂର୍ବରୁ ନିର୍ଦେଶ ଦେଇଥିଲେ । ଗତ ଅଗଷ୍ଟ ଶେଷ ସୁଦ୍ଧା ଏହାର ପ୍ରକ୍ରିୟା ସାରିବାକୁ ନିର୍ଦେଶନାମାରେ ଦର୍ଶାଯାଇଥିଲା । ଅଗଷ୍ଟ ପରେ ଦେଢ଼ ମାସ ବିତିବା ସତ୍ତେ୍ ସରକାର କୌଣସି ପଦକ୍ଷେପ ନେଲେନି । ସେଥିପାଇଁ ଆଜାଦ ଜେଲରେ ଆମରଣ ଅନଶନର ପନ୍ଥା ବାଛିଛନ୍ତି । ସୂଚନାଯୋଗ୍ୟ, ୨୦୧୬ ମସିହାରେ ମଧ୍ୟ ଆଜାଦ ଅନ୍ୟ ୬ କଏଦୀଙ୍କ ସହ ଜେଲରେ ଅନଶନରେ ବସିଥିଲେ ।