ରାଉରକେଲା, ୧୪/୧୦ : ରାଉରକେଲାରେ ଉପସ୍ଥିତି ଜାହିର କଲେ ମାଓବାଦୀ। ଛୋଟାନାଗରା ଥାନା ଅନ୍ତର୍ଗତ ବହଦା ଗ୍ରାମରେ ଉଡ଼ାଇଦେଲେ ଏୟାରଟେଲ୍ ଟାୱାର। ଲଗାଇଲେ ମାଓ ପୋଷ୍ଟର। ଗତ ୨ ଦିନ ତଳେ ମାଓବାଦୀମାନେ ଜରେଇକେଲା ଥାନା ଅନ୍ତର୍ଗତ କୋଲବଙ୍ଗାରେ ଏକ ମୋବାଇଲ ଟାୱାର ଉଡ଼ାଇ ଦେଇଥିଲେ। ଏହି ଘଟଣାର ୪୮ ଘଣ୍ଟା ପରେ ଗତକାଲି ବିଳମ୍ଵିତ ରାତିରେ ମାଓବାଦୀମାନେ ପୁଣି ଏକ ଟାୱାର ଉଡ଼ାଇ ଦେଇଛନ୍ତି । 

ବହଦା ଗ୍ରାମବାସୀଙ୍କ କହିବା ଅନୁଯାୟୀ, ସୋମବାର ରାତି ପ୍ରାୟ ୧ଟାରେ ୧୨ରୁ ୧୫ଜଣ ସଶସ୍ତ୍ର ମାଓବାଦୀ ଗାଁକୁ ଆସିଥିଲେ। ଗ୍ରାମବାସୀଙ୍କୁ ଘରୁ ନ ବାହାରିବା ଲାଗି କହିଥିଲେ। ଏହା ପରେ ସେମାନେ ମୋବାଇଲ ଟାୱାରକୁ ପେଟ୍ରୋଲ ଢ଼ାଳି ଜାଳି ଦେଇଥିଲେ। ଏହି ସମୟରେ ଜୋରଦାର୍ ବିସ୍ଫୋରଣ ହୋଇଥିଲା। ପ୍ରଚଣ୍ଡ ଶବ୍ଦରେ ଆଖପାଖ ଅଞ୍ଚଳ କମ୍ପଥିଲା। ମାଓବାଦୀମାନେ ସେଠାରେ ପୋଷ୍ଟର ଲଗାଇବା ସହ ଆମ ସାଥୀମାନଙ୍କ ମୃତ୍ୟୁର ପ୍ରତିଶୋଧ ନେବୁ ବୋଲି ନାରା ଦେଇ ଜଙ୍ଗଲ ଭିତରକୁ ଚାଲି ଯାଇଥିଲେ। ଏହି ଘଟଣା ପରେ ଗ୍ରାମବାସୀମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ଆଜି ସକାଳେ ଯବାନମାନେ ସେଠାରେ ପହଞ୍ଚି ତଲାସୀ ଅଭିଯାନ ଆରମ୍ଭ କରିଛନ୍ତି।

​​​​​​​raurkela