ମାଲକାନଗିରି,୪/୧୦ : ପୁଲିସ ସୂଚନା ଦାତା ସନ୍ଦେହରେ ଘରୁ ଜଣେ ଯୁବକକୁ ଉଠାଇ ନେଇ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦେଇଛନ୍ତି ମାଓବାଦୀମାନେ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ସୁକମା ଜିଲ୍ଲାରେ ପୁଲିସ ସୂଚନାଦାତା ଦର୍ଶାଇ ଜଣେ ଗ୍ରାମବାସୀକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ମାଓବାଦୀ।
ସୂଚନା ଅନୁଯାୟୀ, ସୁକୁମା ଜିଲ୍ଲାର କିଷ୍ଟରାମ ଥାନା ଅନ୍ତର୍ଗତ ସଲାତୋଙ୍ଗ ଗ୍ରାମର ରାବା ସୋନା ନାମକ ଯୁବକଙ୍କୁ କିଛି ସଶସ୍ତ୍ର ମାଓବାଦୀ ଘରୁ ଉଠାଇ ନେଇ ନିସ୍ତୁକ ମାଡ଼ ମାରିଥିଲେ । ଗ୍ରାମବାସୀ ଏବଂ ପରିବାର ଲୋକେ ରାବାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ମାଓବାଦୀମାନେ ରାବାଙ୍କୁ ଜଙ୍ଗଲକୁ ନେଇ ପ୍ରଜାକୋର୍ଟରେ ନିର୍ମମ ଭାବେ ହତ୍ୟା କରି ମୃତଦେହକୁ ସେଠାରେ ଛାଡ଼ି ଚାଲି ଯାଇଥିଲେ। ତେବେ ଏ ନେଇ ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାକୁ ନେଇ ଅଞ୍ଚଳରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି ।