ପଟ୍ଟାମୁଣ୍ଡାଇ,୧୨/୦୭; ନଦୀରେ ଗାଧୋଉଥିବା ଜଣେ ମହିଳାଙ୍କ ପିନ୍ଧା ଶାଢ଼ି କାନିକୁ ଝାମ୍ପି ମହିଳାଙ୍କୁ ପାଣି ଭିତରକୁ ଘୋଷାରି ନେବାକୁ ବସିଥିଲା କୁମ୍ଭୀର । ମହିଳା ଜଣକ ସାହସର ସହ ଉପସ୍ଥିତ ବୁଦ୍ଧି ଖଟାଇ ଶାଢ଼ିକୁ ଫିଙ୍ଗି କୂଳକୁ ଧାଇଁ ପଳାଇ ଆସିବାରୁ ଅଳ୍ପକେ କୁମ୍ଭୀର ମୁହଁରୁ  ବର୍ତ୍ତି ଯାଇଛନ୍ତି । ଘଟଣାଟି ଘଟିଛି କେନ୍ଦ୍ରାପଡ଼ା ଜିଲ୍ଳା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ଅମୃତମଣୋହି ସ୍କୁଲ ସମ୍ମୁଖ ବ୍ରାହ୍ମଣୀ ନଦୀ ତୁଠରେ । ଏ ଖବର ପ୍ରଚାରିତ ହେବା ପରେ ସମଗ୍ର ପଟ୍ଟାମୁଣ୍ଡାଇ ଓ ଆଳି ବ୍ଲକ୍‌ ବ୍ରାହ୍ମଣୀ ନଦୀକୂଳିଆ ଗ୍ରାମରେ ଆତଙ୍କ ଖେଳିଯାଇଛି ।

ମିଳିଥିବା ବିବରଣୀରୁ ପ୍ରକାଶ, ଅମୃତମଣୋହି ଗ୍ରାମର ସ୍ୱର୍ଗତ ରମେଶ ସେଠୀଙ୍କ ପତ୍ନୀ ବେଙ୍ଗୁଲି(୫୯) ଆଜି ମଧ୍ୟାହ୍ନରେ କପଡ଼ା ସଫା କରି ଗାଧୋଇବାକୁ ବ୍ରାହ୍ମଣୀ ନଦୀ ତୁଠକୁ ଯାଇଥିଲେ । ସେ ନଦୀରେ ଗାଧୋଉଥିବା ବେଳେ କୁମ୍ଭୀର ତାଙ୍କ ଶାଢ଼ି କାନିକୁ କାମୁଡ଼ି ଟାଣି ନେବାକୁ ବସିଥିଲା । ବେଙ୍ଗୁଲି ତୁରନ୍ତ ଶାଢ଼ିକୁ ଖୋଲି କୂଳକୁ ଆଖି ପିଛୁଳାକେ ଦୌଡ଼ି ପଳାଇ ଆସିବା ଫଳରେ କୁମ୍ଭୀରର ନିଶ୍ଚିତ ଆକ୍ରମଣରୁ ବର୍ତ୍ତି ଯାଇଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଯଦି ସେ ପିନ୍ଧିଥିବା ଶାଢ଼ିକୁ ଖୋଲି ଫିଙ୍ଗି ନଥାନ୍ତେ, ତେବେ ମୁହୂର୍ତ୍ତକ ଭିତରେ କୁମ୍ଭୀର ତାଙ୍କୁ ଟାଣି ନେଇଥାଆନ୍ତା ।

ଏହା ବି ପଢନ୍ତୁ...Crime News: ଯୁବତୀଙ୍କୁ ଚାକିରି ଆଶା ଦେଇ ଦୁଷ୍କର୍ମ, ଅପହରଣ କରି ଦଲାଲ୍‌କୁ ବିକ୍ରି ଦେଲା ଗଞ୍ଜେଇ ବେପାରୀ, ରହିଛି ପ୍ରେମିକାର ହାତ...

ଖବର ପାଇ ଅମୃତମଣୋହି, ଅଣ୍ଢରା ଗାଁର ଶତାଧିକ ଲୋକ ସାହି ତୁଠରେ ପହଞ୍ଚି ବେଙ୍ଗୁଲିଙ୍କଠାରୁ ସବୁ କଥା ପଚାରି ବୁଝିଥିଲେ । ଅନ୍ୟପକ୍ଷରେ ବ୍ରାହ୍ମଣୀ ନଦୀରେ ବାରମ୍ବାର କୁମ୍ଭୀର ଆତଙ୍କ ଖେଳାଉଥିଲେ ହେଁ ପ୍ରଶାସନ ସେଭଳି କୌଣସି ଠୋସ୍‌ ପଦକ୍ଷେପ ନେଉ ନଥିବାରୁ ଜନଅସନ୍ତୋଷ ଦେଖିବାକୁ ମିଳିଥିଲା । ନଦୀକୂଳିଆ ଲୋକମାନେ ସବୁ କାମ ପାଇଁ ବ୍ରାହ୍ମଣୀ ଉପରେ ନିର୍ଭର କରୁଥିବା ବେଳେ ସେମାନଙ୍କ ସୁରକ୍ଷା ପାଇଁ ପ୍ରଶାସନ ଓ ବନ ବିଭାଗ ମୁଣ୍ଡ ଖେଳାଉନଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା । ବନ ବିଭାଗ ଅତ୍ୟାବଶ୍ୟକ ସ୍ଥାନମାନଙ୍କରେ ଯଥାଶୀଘ୍ର ମଜଭୁତ ତାରବାଡ଼ ନିର୍ମାଣ କରିବା ଲାଗି ମତ ପ୍ରକାଶ ପାଇଥିଲା ।