ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ଉପକୂଳରେ ଆରମ୍ଭ ହୋଇଛି ବାତ୍ୟା ମୋନ୍‌ଥାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା। IMD ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ ମଛଲିପଟନମ୍ ଏବଂ କାକିନାଡା ମଧ୍ୟରେ ହିଁ ସ୍ଥଳଭାଗକୁ ପ୍ରବେଶ କରୁଛି ବାତ୍ୟା ମୋନ୍‌ଥା। ଅନ୍ୟପଟେ ତାମିଲନାଡୁର ପୁଡୁଚେରୀରେ ମଧ୍ୟ ବାତ୍ୟାର ପ୍ରଭାବ ଅନୁଭୂତ ହେବାରେ ଲାଗିଛି। ତେବେ ବିଳମ୍ୱିତ ରାତିରେ ଏହି ବାତ୍ୟାର ପ୍ରଭାବ ଓଡ଼ିଶା ଏବଂ ଛତିଶଗଡ଼ ଉପରେ ଅନୁଭୁତ ହେବ ବୋଲି ଅନୁମାନ କରାଯାଉଛି।

ବାତ୍ୟା ମୋନ୍‌ଥା ଆନ୍ଧ୍ର ପ୍ରଦେଶ ଉପକୂଳରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରଖିଛି। ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଆଗାମୀ ଘଣ୍ଟା ମଧ୍ୟରେ ମଛଲିପଟନମ୍ ଏବଂ କଳିଙ୍ଗପଟନମ୍ ମଧ୍ୟରେ କାକିନାଡା ପାଖାପାଖି ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିବ। ଏହି ସମୟରେ ଉକ୍ତ ଅଞ୍ଚଳରେ ପବନର ଘଣ୍ଟା ପ୍ରତି ୧୧୦ କିଲୋମିଟର ପର୍ଯ୍ୟନ୍ତ ରହିବ ବୋଲି ଅନୁମାନ କରାଯାଉଛି। ଆଇଏମଡି ଏନେଇ ସୂଚନା ଦେଇ କହିଛି ଯେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆଗାମୀ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ।

ତେବେ ବାତ୍ୟା ମୋନ୍‌ଥାର ଗତିପଥରେ ପରିବର୍ତ୍ତନ ଯୋଗୁଁ ଚିଲିକା ହ୍ରଦ ଅଶାନ୍ତ ହେବାରେ ଲାଗିଛି। ଏନେଇ ବାଲୁଗାଁ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ କହିଛନ୍ତି ଯେ "ଆମେ ଯେକୌଣସି ପରିସ୍ଥିତିର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଅଛୁ ଏବଂ ଶୂନ୍ୟ ଜୀବନହାନି ଲକ୍ଷ୍ୟରେ ସମସ୍ତେ କାମ କରୁଛି।,"

ସମଗ୍ର ଦେଶରେ ବାତ୍ୟା ମୋନ୍‌ଥାର ଯୋଗୁଁ ୫୨ଟି ବିମାନ ବାତିଲ କରାଯାଇଛି। ଏହା ବ୍ୟତୀତ ୧୦୦ରୁ ଅଧିକ ଟ୍ରେନ୍ ବାତିଲ ହୋଇଥିବା ନେଇ ସୂଚନା ମଧ୍ୟ ରହିଛି। ଏହି ସମୟରେ ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ ଓଡ଼ିଶାର ଅନେକ ଜିଲ୍ଲାରେ ଘଣ୍ଟା ପ୍ରତି ୮୦-୯୦ କିଲୋମିଟର ବେଗରେ ପବନ ବହିବା ନେଇ ପାଣିପାଗ ବିଭାଗ ଅନୁମାନ କରୁଥିବାରୁ ଲୋକଙ୍କୁ ସମୁଦ୍ର ନିକଟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ମୋନ୍ଥାକୁ ଦୃଷ୍ଟିରେ ରଖି, ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ୪୫ଟି ଦଳ ନିୟୋଜିତ କରାଯାଇଛି। ଏଥିମଧ୍ୟରୁ ଆନ୍ଧ୍ର ପ୍ରଦେଶରେ ୧୦ଟି, ଓଡ଼ିଶାରେ ୬ଟି, ତାମିଲନାଡୁ ଏବଂ ତେଲେଙ୍ଗାନାରେ ୩ଟି ଲେଖାଏଁ, ଛତିଶଗଡ଼ରେ ୨ଟି ଏବଂ ପୁଡୁଚେରୀରେ ଗୋଟିଏ ଦଳ ନିୟୋଜିତ କରାଯାଇଛି।

ଗୋପାଳପୁରରେ ରାଜ୍ୟ ମୁଖ୍ୟ ଅଗ୍ନିଶମ ଅଧିକାରୀ ରମେଶ ଚନ୍ଦ୍ର ମାଝୀ କହିଛନ୍ତି ଯେ ବାତ୍ୟା ମୋନ୍‌ଥାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ୧୨୩ଟି ଅଗ୍ନିଶମ ବାହିନୀ ନିୟୋଜିତ କରାଯାଇଛି। ଆମ ଦଳ ବାତ୍ୟା ଯୋଗୁଁ ପ୍ରଭାବିତ ରାସ୍ତା ସଫା କରୁଛନ୍ତି। ଏହାସହ ଅନେକ ଦଳକୁ ଜରୁରିକାଳିନ ଉଦ୍ଧାରକାରୀ ଦଳରେ ମଧ୍ୟ ନିୟୋଜିତ କରାଯାଇଛି।