ବ୍ରହ୍ମପୁର ୮।୭: ଟ୍ରେନରେ ଯାଉଥିବା ବେଳେ ଜଣେ ଯାତ୍ରୀଙ୍କ ସୁନା ଅଳଙ୍କାର ଚୋରି ଘଟଣାରେ ବ୍ରହ୍ମପୁର ଜିଆରପି ପୁଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ପୁଲିସ ୬୩.୬୨ ଗ୍ରାମ୍ ସୁନା ଅଳଙ୍କାର ଜବତ କରିଛି। ଗିରଫ ୨ ଅଭିଯୁକ୍ତ ହେଲେ ସୁରଜ କୁମାର ପ୍ରସାଦ ଓ ସଞ୍ଜୟ କୁମାର ନାୟକ।
କେଦାରନାଥ ସବର ନାମକ ଜଣେ ବ୍ୟକ୍ତି ଭୁବନେଶ୍ବରରୁ ରାୟଗଡ଼ା ଟ୍ରେନରେ ଯାଉଥିଲେ। ଏହି ସମୟରେ ତାଙ୍କ ବ୍ୟାଗ ଚୋରି ହୋଇଯାଇଥିଲା। ବ୍ୟାଗରେ ସୁନା ଅଳଙ୍କାର ସହ ବିଭିନ୍ନ ସାମଗ୍ରୀ ଥିଲା। ଏ ନେଇ ସେ ବ୍ରହ୍ମପୁର ଜିଆରପିରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ସ୍ଥିତ ଲୋକୋ କଲୋନୀରେ ବ୍ରହ୍ମପୁର ଜିଆରପି ଚଢ଼ାଉ କରିଥିଲା । ସେଠାରୁ ମୁଖ୍ୟ ଅଭିଯୁକ୍ତ ସୁରଜ କୁମାର ପ୍ରସାଦକୁ ପୁଲିସ ଗିରଫ କରିଥିଲା । ପରେ ତା’ ସୂଚନା ଆଧାରରେ ଅନ୍ୟ ଅଭିଯୁକ୍ତ ସଞ୍ଜୟ କୁମାର ନାୟକକୁ ମଧ୍ୟ ଗିରଫ କଲା ଜିଆରପି ।
ଗିରଫ ଅଭିଯୁକ୍ତ ମାନଙ୍କ ନିକଟରୁ ପ୍ରାୟ ୬୩.୬୨ ଗ୍ରାମ୍ ଚୋରି ହୋଇଥିବା ସୁନା ଅଳଙ୍କାର ଉଦ୍ଧାର କରିଛି ପୋଲିସ । ଯାହାର ଆନୁମାନିକ ମୂଲ୍ୟ ବର୍ତ୍ତମାନ ୭ ଲକ୍ଷ ୨୮ ହଜାର ୨୧୬ ଟଙ୍କା ହେବ ବୋଲି ପୋଲିସ ଆକଳନ କରିଛି । ଅବଶିଷ୍ଟ ଚୋରି ସାମଗ୍ରୀ ଉଦ୍ଧାର ଓ ଏହି ଚୋରି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେ ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛି ବ୍ରହ୍ମପୁର ଜିଆରପି।
ଆହୁରି ପଢନ୍ତୁ : ସାଇବର ଠକେଇର ଶୀଘ୍ର ତଦନ୍ତ ପାଇଁ ଇ-ଜିରୋ ଏଫଆଇଆର ବ୍ୟବସ୍ଥା