ଖଲ୍ଲିକୋଟ, ୨୨।୬ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ମଥୁରା ଗାଁରେ ଏକ ହୃଦୟବିଦାରକ ଘଟଣା ଘଟିଛି। ପାରିବାରିକ କଳହକୁ ନେଇ ପେଟ୍ରୋଲ ଢାଳି ନିଆଁ ଲଗାଇ ଦମ୍ପତି ପୋଡି ହୋଇ ଯାଇଛନ୍ତି। ଏଥିରେ ସ୍ତ୍ରୀର ମୃତ୍ୟୁ ଘଟିଥିବା ବେଳେ ସ୍ବାମୀ ଗୁରୁତର ହୋଇଛି। ମୃତକ ଜଣକ ହେଲେ ଅନିତା ପ୍ରଧାନ। ସ୍ବାମୀ ରମେଶ ପ୍ରଧାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମଥୁରା ଗ୍ରାମର ରମେଶ ପ୍ରଧାନ ଓ ଅନିତା ପ୍ରଧାନଙ୍କ ମଧ୍ୟରେ ଗତ ୨ ବର୍ଷ ତଳେ ବିବାହ ହୋଇଥିଲା। ତେବେ ବିବାହ ଦିନଠାରୁ ହିଁ ଉଭୟଙ୍କ ଦାମ୍ପତ୍ୟ ଜୀବନରେ କଳହ ଲାଗି ରହୁଥିଲା। ରବିବାର ବିଳମ୍ବିତ ରାତିରେ ମଧ୍ୟ କୌଣସି କାରଣକୁ ନେଇ ଦମ୍ପତିଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଅନିତା ନିଜ ଶରୀରରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରୁଥିବା ବେଳେ ସ୍ୱାମୀ ତାଙ୍କୁ ଉଦ୍ଧାର କରିବାକୁ ଯାଇ ପୋଡ଼ି ହୋଇଯାଇଥିବା କୁହାଯାଉଥିଲା। ଗୁରୁତର ଅବସ୍ଥାରେ ଉଭୟଙ୍କୁ ପ୍ରଥମେ ଖଲ୍ଲିକୋଟ୍ ପରେ ବ୍ରହ୍ମପୁର mkcg ଭର୍ତ୍ତି କରାଇଥିଲା. ବ୍ରହ୍ମପୁର ମେଡିକାଲ ରେ ସ୍ତ୍ରୀ ଅନିତା ମୃତ୍ୟୁ ବରଣ କରିଥିବା ବେଳେ ବର୍ତ୍ତମାନ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲ ରେ ରମେଶ ଙ୍କୁ ଭର୍ତ୍ତି କରାଯାଇଛି।
ମାତ୍ର ଏହାକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି ମୃତ ଅନିତାଙ୍କ ପରିବାର ଲୋକେ। ଝିଅ ଘର ଲୋକେ ଅଭିଯୋଗ କରିଛନ୍ତି ଯେ, ସ୍ୱାମୀ ରମେଶ ପ୍ରଧାନ ହିଁ ଅନିତାଙ୍କ ଶରୀରରେ ପେଟ୍ରୋଲ ଢାଳି ତାଙ୍କୁ ଜୀବନ୍ତ ମାରିଦେଇଛନ୍ତି। ଏ ନେଇ ଝିଅ ପରିବାର ପକ୍ଷରୁ ଖଲ୍ଲିକୋଟ ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି।
ଆହୁରି ପଢନ୍ତୁ : ସଂଘବଦ୍ଧ ଆକ୍ରମଣ : ଟାଙ୍ଗିଆ ଚୋଟରେ ଜଣେ ମୃତ, ୩ ଗୁରୁତର