ଭୁବନେଶ୍ୱର,୧୪/୧୦: ଗତ କିଛି ଦିନ ତଳେ ସରକାର ସବ୍ ପ୍ଲଟ୍ ବା ପାର୍ଟ ପ୍ଲଟ୍କୁ ନେଇ ସଂଶୋଧିତ ବିଜ୍ଞପ୍ତି ଆଣିଥିଲେ । ଓଡିଏ ରୁଲସ୍ର ଦ୍ୱିତୀୟ ସଂଶୋଧନ-୨୦୨୫ ଜାରି କରିଥିଲା ନଗର ଉନ୍ନୟନ ବିଭାଗ । କିନ୍ତୁ ଏଥିରେ କିଛି ଦ୍ୱନ୍ଦ୍ୱ ଥିବା କାରଣରୁ ପାର୍ଟ ପ୍ଲଟ୍ ବିକ୍ରି ହେଉନଥିଲା । ସବ୍ ରେଜିଷ୍ଟ୍ରାରମାନେ ଲୋକଙ୍କୁ ଫେରାଇ ଦେଉଥିଲେ । ଏହି ଦ୍ୱନ୍ଦ୍ୱ ଦୂର କରିବା ତଥା ପାର୍ଟ ପ୍ଲଟ୍ ବିକ୍ରିକୁ ଅନୁମତି ଦେବାକୁ ନୂଆ ମାର୍ଗଦର୍ଶିକା (ଏସ୍ଓପି) ଜାରି ହୋଇଛି । ଏହି ଏସ୍ଓପି ଅନୁସାରେ ତତ୍କାଳ ଜମି ପଞ୍ଜୀକରଣ କରିବାକୁ ସବୁ ସବ୍ରେଜିଷ୍ଟ୍ରାରଙ୍କୁ ନିର୍ଦ୍ଦେଶ ଦେଇଛି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ।
ନୂଆ ଏସ୍ଓପି ଅନୁସାରେ ଏଣିକି ଚାଷ ଜମିକୁ ପାର୍ଟ କରି ବା ଭାଗ କରି ବିକ୍ରି କଲେ ଏହାର କିସମ ଆଉ ପରିବର୍ତ୍ତନ କରିହେବନି । ଚାଷ ଜମିକୁ ଭାଗ ଭାଗ କରି ବିକ୍ରି ପରେ ଏହାର କିସମକୁ ଆଉ ଘର ବାଡ଼ିରେ ବଦଳାଇ ହେବନି । ଏଥିରେ ରୋକ୍ ଲଗାଯାଇଛି । ଚାଷ ଜମି ବିକ୍ରି କରିବା ସମୟରେ ବିକ୍ରେତା ବା ‘ହସ୍ତାନ୍ତରକାରୀ’ ଓ କ୍ରେତା ବା ‘ଗ୍ରହୀତା’ ଦଲିଲ ମାଧ୍ୟମରେ ହସ୍ତାନ୍ତର କରୁଥିବା ସମ୍ପତ୍ତିକୁ କେବଳ ଚାଷ କାମରେ ବ୍ୟବହାର କରିବେ ବୋଲି ଘୋଷଣନାମା ସବ୍ ରେଜିଷ୍ଟ୍ରାରଙ୍କ ପାଖରେ ଦାଖଲ କରିବେ ।
ସେହିଭଳି ଗ୍ରାମାଞ୍ଚଳରେ ଥିବା ଜମିକୁ ଭାଗ ଭାଗ କରି (ପାର୍ଟ ପ୍ଲଟ୍) ବିକ୍ରି କରିବା ପାଇଁ କୌଣସି ଲେ ଆଉଟ୍ ପ୍ଲାନ୍ ଅନୁମୋଦନ ଦରକାର ପଡ଼ିବନି । ସହରାଞ୍ଚଳ, ଉନ୍ନୟନ କର୍ତ୍ତୃପକ୍ଷ ଓ ଟାଉନ୍ ପ୍ଲାନିଂ କର୍ତ୍ତୃପକ୍ଷଙ୍କ ଅଞ୍ଚଳ ବାହାରେ ଥିବା ଜମିକୁ ଭାଗ କରି ବିକ୍ରି କରିବାକୁ ଲେ ଆଉଟ୍ ପ୍ଲାନ୍ ଆବଶ୍ୟକ ପଡ଼ିବନି । ଜମି ମାଲିକ ଚାହିଁଲେ ନିଜ ଜମିକୁ ଯେତେ ଭାଗ କରି ବିକ୍ରି କରିପାରିବେ ବୋଲି ଏସ୍ଓପିରେ ସ୍ପଷ୍ଟ କରାଯାଇଛି । କେବଳ ଏହି ଅଞ୍ଚଳରେ ଥିବା ଜଳାଶୟ କିସମକୁ ଭାଗ କରିହେବନି ଓ ସମ୍ପୂର୍ଣ୍ଣ ପ୍ଲଟ୍କୁ ଏକାସାଙ୍ଗରେ ବିକ୍ରି କରିହେବ ।
ତେବେ ଓଡିଏ ଆକ୍ଟ, ଓଡ଼ିଶା ଟାଉନ୍ ପ୍ଲାନିଂ ଓ ଇମ୍ପ୍ରୁଭମେଣ୍ଟ ଟ୍ରଷ୍ଟ୍ର(ଓଟିପି ଆଣ୍ଡ ଆଇଟି) ଯେଉଁ ପ୍ଲଟ୍ର ଭାଗ କରିବା ଉପରେ କଟକଣା ଲଗାଇଛି ଓ ଲିଖିତ ଅନୁମତି ନ ଦେଇଛି, ତାକୁ ସବ୍ ପ୍ଲଟ୍ କରି ବିକ୍ରି କରିହେବନି । ୨୦୨୫ରେ ଜାରି ହୋଇଥିବା ଓଡ଼ିଏ ପ୍ଲାନିଂ ଓ ବିଲ୍ଡିଂ ଷ୍ଟାଣ୍ଡାର୍ଡସ୍ର ଦ୍ୱିତୀୟ ସଂଶୋଧିତ ରୁଲ୍ସ ଏବଂ ଓଡ଼ିଶା ଟାଉନ୍ ପ୍ଲାନିଂ ଓ ଇମ୍ପ୍ରୁଭମେଣ୍ଟ ଟ୍ରଷ୍ଟ୍ ପ୍ଲାନିଂ ଆଣ୍ଡ ବିଲ୍ଡିଂ ଷ୍ଟାଣ୍ଡାର୍ଡସ୍ର ସଂଶୋଧିତ ରୁଲ୍ସରେ ପାର୍ଟ ପ୍ଲଟ୍ର ବିକ୍ରି ପାଇଁ ଯେଉଁ ନିୟମ କୋହଳ ହୋଇଛି, ତାହା ଜାରି ରହିବ ।
କୌଣସି ପରିବାର ଭିତରେ ଜାଗା ବଣ୍ଟା ସମୟରେ ବା ପାର୍ଟ ପ୍ଲଟ୍ ବିକ୍ରି ପାଇଁ କୌଣସି କଟକଣା ନାହିଁ ବା ଲେ ଆଉଟ ପ୍ଲାନ୍ ଅନୁମୋଦନ ଆବଶ୍ୟକ ନାହିଁ । ସେହିଭଳି ଅନ୍ୟମାନେ ବି ପାର୍ଟ ପ୍ଲଟ୍ ବିକ୍ରି କରିପାରିବେ । କିନ୍ତୁ ମୂଳ ପ୍ଲଟ୍ରୁ ମାତ୍ର ଥରୁଟିଏ ପାର୍ଟ ପ୍ଲଟ୍ ବିକ୍ରି କରିହେବ । ମୂଳ ପ୍ଲଟ୍ ଯେତେ ବଡ଼ ହୋଇଥାଉନା କାହିଁକି, ବିକ୍ରି ହେବାକୁ ଥିବା ପାର୍ଟ ପ୍ଲଟ୍ଟି ୫୦୦ ବର୍ଗମିଟରରୁ କମ୍ ହୋଇଥିବା ଦରକାର । କିନ୍ତୁ ବିକ୍ରି ପରେ ଏହି ପାର୍ଟ ପ୍ଲଟ୍କୁ ରିଅଲ ଇଷ୍ଟେଟ୍ ପ୍ରକଳ୍ପ ଉଦ୍ଦେଶ୍ୟରେ ବ୍ୟବହାର କରିହେବନି । ଏ ନେଇ ଉଭୟ ବିକ୍ରେତା ଓ କ୍ରେତା ଘୋଷଣାନାମା ଦେବେ ।
ସେହିଭଳି ମୂଳ ପ୍ଲଟ୍ରୁ ଗୋଟିଏ ଥର ଜମି ଭାଗ କରି ବିକିଲା ପରେ ଆଉ ପାର୍ଟ ପ୍ଲଟ୍ କରି ବିକି ପାରିବେନି । ପୂର୍ବରୁ ୫୦୦ ବର୍ଗମିଟରରୁ କମ୍ ଜମି କିଣିଥିବା ଲୋକେ ଏବେ ଏହାକୁ ସାନି ଭାଗ କରିପାରିବେ ବୋଲି ଏସଓପିରେ ଉଲ୍ଲେଖ ରହିଛି । ପାର୍ଟ ପ୍ଲଟ୍ ବିକ୍ରିକୁ ପଞ୍ଜିକରଣ କରିବା ସମୟରେ ଅଧିକାରୀମାନେ ଜମି ରହିଥିବା ମ୍ୟାପ୍ ଠିକ୍ ଅଛି ନା, ଜମିର ସୀମା ଓ ଘୋଷଣାନାମାକୁ ଭଲ ଭାବେ ଯାଞ୍ଚ କରି ପଞ୍ଜିକରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କ୍ରେତା ଓ ବିକ୍ରେତାଙ୍କ ଦେଉଥିବା ଘୋଷଣାନାମା ସେଲ୍ ଡିଡ୍ରେ ଯୋଡ଼ାଯିବ । ଏହାର ଏକ ନକଲ ମଧ୍ୟ ରଖାଯିବ ।