ନୂଆଦିଲ୍ଲୀ,୨୨/୧୦: ୫ ମାସ ମଧ୍ୟରେ ପ୍ରଥମ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି ଉତ୍ତର କୋରିଆ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମେତ ଅନେକ ବିଶ୍ୱ ନେତା ଦକ୍ଷିଣ କୋରିଆ ଗସ୍ତ କରିବାର କାର୍ଯ୍ୟକ୍ରମ ଥିବା ବେଳେ ଏହି ପରୀକ୍ଷଣ କରାଯାଇଛି। ଦକ୍ଷିଣ କୋରିଆ ସେନା ଗୋଟିଏ ପରେ ଗୋଟିଏ ଅନେକ କ୍ଷୁଦ୍ର ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଠାବ କରିଛି। ଆଉ ଏହି ସମସ୍ତ କ୍ଷେପଣାସ୍ତ୍ର ଉତ୍ତର କୋରିଆର ରାଜଧାନୀ ପ୍ୟୋଙ୍ଗୟାଙ୍ଗର ଦକ୍ଷିଣ ଅଞ୍ଚଳରୁ ନିକ୍ଷେପ କରାଯାଇଛି।
ସୂଚନା ଅନୁଯାୟୀ, ଉତ୍ତର କୋରିଆ ପୂର୍ବରୁ ଅନେକ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି, କିନ୍ତୁ ଏଗୁଡ଼ିକୁ ସର୍ବଦା କୋରିଆ ଉପଦ୍ୱୀପ ଏବଂ ଜାପାନ ମଧ୍ୟରେ ସମୁଦ୍ରରେ ନିକ୍ଷେପ କରାଯାଇଥିଲା। କିନ୍ତୁ ଏଥର ଉତ୍ତର କୋରିଆ ଉତ୍ତର-ପୂର୍ବ ଦିଗରେ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା। ତଥାପି, କ୍ଷେପଣାସ୍ତ୍ରର ନିର୍ଦ୍ଦିଷ୍ଟ ଦିଗ ଏବଂ ଦୂରତା ଜଣାନାହିଁ। ଆମେରିକା ଏବଂ ଜାପାନ ସହିତ ଦକ୍ଷିଣ କୋରିଆ ଉତ୍ତର କୋରିଆର କାର୍ଯ୍ୟକଳାପ ଉପରେ ନଜର ରଖିଛି। ଜାପାନର ନୂତନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି କହିଛନ୍ତି ଯେ, ଜାପାନ ଆମେରିକା ଏବଂ ଦକ୍ଷିଣ କୋରିଆ ସହିତ ରିଅଲ୍-ଟାଇମ୍ ମିସାଇଲ୍ ଚେତାବନୀ ତଥ୍ୟ ବାଣ୍ଟିଛି। ତଥାପି କୌଣସି ମିସାଇଲ୍ ଜାପାନୀ ଅଞ୍ଚଳରେ ପଡ଼ିନାହିଁ। ତେବେ ଆସନ୍ତା ସପ୍ତାହରେ, ଦକ୍ଷିଣ କୋରିଆ ବାର୍ଷିକ ଏସିଆ-ପ୍ରଶାନ୍ତ ମହାସାଗରୀୟ ଆର୍ଥିକ ସହଯୋଗ ସମ୍ମିଳନୀ ଆୟୋଜନ କରିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏଥିରେ ଯୋଗଦେବାର ଆଶା କରାଯାଉଛି।