ପାତ୍ରପୁର, ୨୮/୧୦ : ବୁଢା ବୟସରେ ପର କରି ଆରପାରିକୁ ଚାଲିଗଲା ଭେଣ୍ଡିଆ ପୁଅ। ଫାଟି ଯାଉଛି ବାପା-ମାଙ୍କ ଛାତି। ଯେଉଁ ପୁଅ ଦିନେ କାନ୍ଧରେ ବୋହି ମଶାଣିକୁ ନେଇଥାନ୍ତା ଆଜି ସେହି ପୁଅର ଶବ ଧରି ଫେରୁଛି ବୁଢା ବାପା। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଜରଡ଼ା ପଞ୍ଚାୟତ ଅଭୟପୁର ଗ୍ରାମରେ ଘଟିଛି ଏଭଳି ହୃଦୟବିଦାରକ ଘଟଣା। ଛାତିକୁ ପଥର କରି ସୁଦୂର ରାଜସ୍ଥାନର କୋଟାରୁ ପୁଅର ଶବ ଧରି ଫେରୁଛନ୍ତି ରାଧାଶ୍ୟାମ ପାତ୍ର। 

ଅଭୟପୁର ଗ୍ରାମର ରାଧାଶ୍ୟାମ ପାତ୍ରଙ୍କ ଏକମାତ୍ର ପୁଅ ରୋଷନ ରାଜସ୍ଥାନର କୋଟା ସହରରେ ଥିବା ଏକ ଘରୋଇ କୋଚିଂ ସେଣ୍ଟରରେ ନିଟ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ। ରବିବାର ପରିବାର ଲୋକଙ୍କୁ ରୋଷନଙ୍କ ଆକସ୍ମିକ ମୃତ୍ୟୁ ଖବର ମିଳିଥିଲା। ଏକମାତ୍ର ପୁଅକୁ ହରାଇ ପରିବାର ଲୋକେ ଭାଙ୍ଗି ପଡ଼ିଥିଲେ। ହେଲେ ରାଧାଶ୍ୟାମ ଛାତିକୁ ପଥର କରି ନିଜ ଭାଇଙ୍କୁ ସାଥୀରେ ଧରି କୋଟାରେ ପହଞ୍ଚିଥିଲେ। ରୋଷନଙ୍କ ଶବ ବ୍ୟବଚ୍ଛେଦ ପରେ ପୁଲିସ ମୃତଦେହ ହସ୍ତାନ୍ତର କରିଥିଲା। ଏହାପରେ ରାଧାଶ୍ୟାମ ପୁଅର ଶବକୁ ଧରି ଗାଁ ଅଭିମୁଖେ ବାହାରିଛନ୍ତି। ସେ ଏବେ କୋଟାରୁ ବହାରି ଦିଲ୍ଲୀରେ ପହଁଚିଥିବା ବେଳେ ଅପରାହ୍ନ ପ୍ରାୟ ୩ଟା ବେଳେ ଭୁବନେଶ୍ଵର ଏୟାରପୋର୍ଟରେ ପହଞ୍ଚିବେ। ସେଠାରୁ ଆମ୍ବୁଲାନ୍ସ ଯୋଗେ ପୁଅର ଶବ ଧରି ନିଜ ଗାଁ ଅଭୟପୁର ଆସିବେ। 

ରୋଷନଙ୍କ ଶବ ଧରି ବାପା ଫେରୁଥିବା ବେଳେ ଘରେ ଶେଷ ଦର୍ଶନ ପାଇଁ ମାଆ ଓ ଭଉଣୀ ଲୋତକ ଭରା ଆଖିରେ ଚାହିଁ ବସିଛନ୍ତି। ଦିନେ ପୁଅ ଘରକୁ ଫେରିଲେ ଘର ଖୁସିରେ ଫାଟି ପଡ଼ୁଥିଲା। ହେଲେ ଆଜି ରୋଷନ ଘରେ ପହଞ୍ଚିଲା ପରେ ଘର କାନ୍ଦ ବୋବାଳିରେ ଫାଟି ପଡ଼ିବ।