ଭୁବନେଶ୍ୱର,୧୯/୧୦: ‘ଆମେ ପାଳିବା ଗାଁ ଦିବସ ଦୀପାବଳିରେ ଏହି ବର୍ଷ, ଆମେ ପାଳିବା ଗାଁ ଦିବସ ଦୀପାବଳିରେ ସବୁ ବର୍ଷ' । ଗାଁକୁ ଯିବା, ଗାଁକୁ ଭଲପାଇବା ସ୍ଲୋଗାନ ସହ ଭାଇଚାରାର ବାର୍ତ୍ତା ନେଇ ଦୀପାବଳିରେ ଗାଁ ଦିବସ ପାଳିବାକୁ ଓଡ଼ିଶାର ବିଭିନ୍ନ ଗାଁକୁ ଯାଉଛି କଳାକ୍ଷେତ୍ର ଅନୁଷ୍ଠାନ । ଶନିବାର ଅପରାହ୍ଣରେ ଲୋହିଆ ଏକାଡେମୀଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି ପ୍ରତିଷ୍ଠାତା ତଥା ଆବାହକ ବାସୁଦେବ ମାଳବିଶୋଇ ।

 କହିଛନ୍ତି, ଆଜି ସମସ୍ତେ ଗାଁ ଛାଡି ସହର ମୁହାଁ ହେଉଥିଲା ବେଳେ ଏହିଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ କଳାକ୍ଷେତ୍ର ନିଷ୍ପତ୍ତି ନେଇଛି ଓଡ଼ିଶାର ୩୦ ଜିଲ୍ଲା, ୧୦୦ ବ୍ଲକ୍‌, ୩୦୦ ଗ୍ରାମରେ ଗାଁ ଦିବସ ପାଳନ ହେବ ଏବଂ ୩୦ ହଜାର ଗାଁକୁ ଏ ଦିବସ ପାଳନର ବାର୍ତ୍ତା ଯିବ । ଆମ ଦେଶରେ ବିଭିନ୍ନ ଦିବସକୁ ମିଶାଇ ପ୍ରାୟ ୪୦୦ଟି ଦିବସ ପାଳନ ହେଉଛି । ଆମ ଦେଶ ଓ ରାଜ୍ୟରେ ଏତେ ଗାଁ ଥାଇ ବି ଗାଁ ଦିବସ ନାହିଁ । ତେଣୁ କଳାକ୍ଷେତ୍ର ୩ ଦିନ ଧରି ଅକ୍ଟୋବର ୨୧ରୁ ୨୩ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ସହ ଗାଁ ଗାଁରେ ଉତ୍ସବ ପାଳନ ହେବ । ସମସ୍ତଙ୍କୁ ମା’, ମାଟି ଓ ମାତୃଭୂମିମନସ୍କ କରାଇବା ସହ ଗ୍ରାମ୍ୟ ସଂସ୍କୃତିକୁ ପୁନର୍ଜୀବିତ କରିବା ପାଇଁ ଏଥିରେ ସରକାର, ପ୍ରଶାସନଠୁ ନେଇ ସାଧାରଣ ଲୋକ, କଳାକାର, ସାହିତ୍ୟିକ, ସଂସ୍କୃତିପ୍ରେମୀ ସମସ୍ତେ ଯୋଗଦେବେ । ଗାଁର ଗାଁର ଲୋକକଳା, ପାରମ୍ପରିକ ଖାଦ୍ୟ, ପାନୀୟ, ବେଶପୋଷାକଠୁ ନେଇ ବିଭିନ୍ନ ପ୍ରତିଯୋଗିତା ତଥା ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଅସ୍ମିତାକୁ ନେଇ କାର୍ଯ୍ୟକ୍ରମମାନ ଆୟୋଜିତ ହେବ ବୋଲି ଶ୍ରୀ ମାଳବିଶୋଇ କହିଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନୀରେ କଳାକ୍ଷେତ୍ରର ଉପସଭାପତି ନିହାରିକା ପଟ୍ଟନାୟକ, ସଦସ୍ୟା ପଦ୍ମାବତୀ ଖେମୁଣ୍ଡ, ଚିତ୍ରା ମିଶ୍ର, ସଦସ୍ୟ ପଞ୍ଚାନନ ପ୍ରଧାନ, ନାରାୟଣ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ବଡ଼ କଥା ହେଲା³ ଏହି ଅଭିଯାନର ସଭାପତି ରହିଛନ୍ତି ଗାଁ ଗାଁ ରେ ‘ଛୋଟ ମୋର ଗାଁ’ ପାଇଁ ପରିଚିତ ପ୍ରତିଷ୍ଠିତ ଅଭିନେତା ଅଶ୍ରୁମୋଚନ ମହାନ୍ତି ।