ଚାନ୍ଦପୁର,୧୭।୫, ଚାନ୍ଦପୁର ଥାନା ଅଧିନସ୍ଥ ରାଇପଡା ଜଙ୍ଗଲରୁ ଜଣେ ନିଖୋଜ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଏପଟେ ଏହାକୁ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ମୃତ ଯୁବକ ଜଣକ ହେଲେ ନୟାଗଡ଼ ଜିଲ୍ଲାର ଚାନ୍ଦପୁର ଥାନା ଅଧିନସ୍ଥ ନୂଆପଡ଼ା ଗ୍ରାମର ପ୍ରତାପ କୁମାର ପାଟ୍ଟଶାଣୀ ।
ଆଜକୁ ୨ ଦିନ ପୂର୍ବେ ହଠାତ୍ ଘରୁ ପ୍ରତାପ ନିଖୋଜ ହୋଇଥିବା ନେଇ ପରିବାର ଲୋକେ ଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ନୂଆପଡ଼ା ଗାଁର ଏହି ଯୁବକଙ୍କ ମୃତଦେ ରାଇପଡା ଗ୍ରାମର ଏକ ଜଙ୍ଗଲ ମଧ୍ୟରେ ଥିବା ଖଣି ନିକଟରେ ମୃତ ଦେହ ପଡିଥିବା ରବିବାର ଦେଖିବାକୁ ମିଳିଥିଲା । ମୃତ୍ୟୁ ର କାରଣ ଅସ୍ପଷ୍ଟ ଥିଲେ ହେଁ ଏହା ଏକ ହତ୍ୟାକାଣ୍ଡ ବୋଲି ମୃତକ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଆଧାରରେ ୨ ଜଣ ଯୁବକଙ୍କୁ ଅଟକ ରଖିଛି ଚାନ୍ଦପୁର ପୋଲିସ । ଚାନ୍ଦପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ୍ ଟିମ୍ ସହିତ ସନ୍ଧାନୀ କୁକୁରର ସାହାଯ୍ୟ ନେଇଛନ୍ତି ଚାନ୍ଦପୁର ପୋଲିସ । ମୃତ ପ୍ରତାପ କୁମାର ପାଟ୍ଟଶାଣୀ ସେହି ସ୍ଥାନକୁ କିପରି ଗଲେ , ସେଠାରେ ତାଙ୍କର କିପରି ମୃତ୍ୟୁ ହେଲା , ନା' ଏହି ମୃତ୍ୟୁ ପଛରେ କିଛି ରହସ୍ୟ ରହିଛି କି' ... ତାହାର ଖୋଳତାଡ଼ ଆରମ୍ଭ କରିଛି ଚାନ୍ଦପୁର ପୋଲିସ । ଶବ ବ୍ୟବଚ୍ଛେଦ ରିପୋର୍ଟ ଖୋଲିବ ହତ୍ୟା ରହସ୍ୟ ବୋଲି ଶରଣକୂଳ SDPO ଦିପ୍ତୀକାନ୍ତ ପ୍ରଧାନ କହିଛନ୍ତି । ଏହା ଏକ ହତ୍ୟାକାଣ୍ଡ ଓ ଯୋଜନା ଅନୁସାରେ ହତ୍ୟା କରାଯାଇଛି ବୋଲି ମୃତକ ପରିବାର ଲୋକେ ଅଭିଯୋଗ କରିଛନ୍ତି ।