ଖୋର୍ଦ୍ଧା, ୨୧/୧୦ : ଥମୁନି ଦୀପାବଳି ଅଘଟଣର ଖବର। ଗୋଟିଏ ପରେ ଗୋଟିଏ ଆସୁଛି ଅଶୁଭ ଖବର। କେଉଁଠି ଘର ଜଳି ଯାଇଛି ତ ଆଉ କେଉଁଠି ଗାଡି ଜଳି ଯାଇଛି। ଏବେ ପୁଣି ଏକ ଅଶୁଭ ଖବର ସାମ୍ନାକୁ ଆସିଛି। ଲିଚୁ ଲଗାଇବା ବେଳେ କରେଣ୍ଟ ଲାଗି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଗଡ଼ଭିତର ସାହିରେ ଏଭଳି ଅଘଟଣ ଘଟିଛି।
ସୂଚନାନୁଯାୟୀ, ବୋଲଗଡ଼ ବ୍ଲକ ଗଡ଼ଭିତର ସାହିର ବୁଦ୍ଧିରାମ ଦାସ ଲିଚୁ ଲାଇଟ୍ ଲଗାଉଥିବା ବେଳେ କରେଣ୍ଟ ଲାଗିଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏ ସମ୍ପର୍କରେ ଖବର ପାଇ ବୋଲଗଡ଼ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ବୁଦ୍ଧିରାମଙ୍କ ଶବ ବ୍ୟବଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।