ଭୁବନେଶ୍ୱର,୧୭/୦୯: ଯିଏ ନିଜକୁ ଯେଭଳି ଗଢ଼ିଥିଲେ ଠିକ୍ ସେହିଭଳି କ୍ଷମତାର ଅଧିକାରୀ ହୋଇପାରିଲେ । ଦେଶ ତାଙ୍କ ଉପରେ ବିଶ୍ୱାସ ସ୍ଥାପନ କରିବା କୌଣସି ଦୁର୍ଘଟଣା ନଥିଲା । ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ମଙ୍ଗଧରି ସେ ଦେଶକୁ ଆଗେଇ ନେଇଥିଲେ । ଏଭଳି ଜଣେ ପ୍ରତିଭା ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ୱାଧୀନ ଭାରତର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ । ଏପରିକି ସମାଲୋଚକମାନେ ମଧ୍ୟ ମୋଦିଙ୍କ କାର୍ଯ୍ୟକୁ ପ୍ରଶଂସା ନକରି ରହିପାରୁ ନାହାନ୍ତି । ୧୯୫୦ ଜାନୁଆରୀ ୨୬ରେ ଭାରତର ସମ୍ବିଧାନ କାର୍ଯ୍ୟକାରୀ ହେଲା । ସେହିବର୍ଷ ସେପ୍ଟେମ୍ବର ୧୭ରେ ନରେନ୍ଦ୍ର ମୋଦିଙ୍କ ଜନ୍ମ । ଚଳିତବର୍ଷ ସେ ୭୫ ବର୍ଷରେ ପଦାର୍ପଣ କରିଛନ୍ତି । ଏହି ବୟସରେ ମୋଦି ଯୁବ ସମାଜରେ ସବୁଠାରୁ ଲୋକପ୍ରିୟ ନେତା ହୋଇପାରିଛନ୍ତି ।
ଭାରତରେ ନେତାଙ୍କ ଅଭାବ ନାହିଁ, କିନ୍ତୁ ରାଷ୍ଟ୍ରନେତା ବିରଳ । କିନ୍ତୁ ମୋଦିଙ୍କ କାହାଣୀ ଗୋଟିଏ ରାଷ୍ଟ୍ରରେ ଅଟକି ନାହିଁ । ବିରଳ ବିଶ୍ୱ ନେତାର ଛାପ ତାଙ୍କ ନାମରେ ପଡ଼ିସାରିଛି । ବୈଶ୍ୱିକ କୋଭିଡ-୧୯ ମହାମାରୀ ସମୟରେ ମୋଦି କେବଳ ଭାରତକୁ ସୁରକ୍ଷା ଦେଇନଥିଲେ ବରଂ ପ୍ରଭାବିତ ଦେଶମାନଙ୍କୁ ଟିକା ପଠାଇ ବିଶ୍ୱନେତା ଭାବେ ଭାରତର ଛବିକୁ ମଜଭୁତ କରିଥିଲେ । ଭାରତକୁ ବିଶ୍ୱ ଦରବାରରେ ଦୃଢ଼ ଭାବେ ଠିଆ କରାଇବାର ତାଙ୍କର ଯେଉଁ ଅଭିଳାଷ ତାହା ତାଙ୍କୁ ଜଣେ କେବଳ ସାଧାରଣ ରାଷ୍ଟ୍ର ନେତା ନୁହେଁ,ବରଂ ବିଶ୍ୱନେତାରେ ପରିଣତ କରିଛି । କେବଳ ସୁଖ ସମୟରେ ନୁହେଁ, ବରଂ ପ୍ରତିକୂଳ ପରିସ୍ଥିତିରେ ମୁଣ୍ଡ ଉଠାଇ ଠିଆ ହେବା ହିଁ ଜଣେ ପ୍ରକୃତ ନେତା ବୋଲି ନିଜକୁ ପ୍ରମାଣିତ କରିଥାଏ । ଭାରତର ମହାନ ରଣନୀତିକାର ଚାଣକ୍ୟ ଏକଦା କହିଥିଲେ ଜଣେ ରାଜା ଲୋକଙ୍କ ଆସ୍ଥା ଓ ବିଶ୍ୱାସ ଜିତିବାକୁ ହେଲେ କଠୋର ନିଷ୍ପତ୍ତି ନେବାକୁ ପଛଘୁଞ୍ଚା ଦେଇନଥାନ୍ତି । ଯେତେ ସଙ୍କଟ ଆସିଲେ ମଧ୍ୟ ନିଜ ନିଷ୍ପତ୍ତିରେ ଅଟଳ ରହିଥାନ୍ତି । ଡୋନାଲ୍ଡ ଟ୍ରମ୍ପ ଓ ଅନ୍ୟ ବିଶ୍ୱଶକ୍ତିମାନଙ୍କ ଭିତରେ ସମତୁଲ ଭାବେ କାର୍ଯ୍ୟ କରି ମୋଦି ତାହା ପ୍ରମାଣିତ କରିଛନ୍ତି ।
୨୦୧୪ରେ ରାଷ୍ଟ୍ରନେତା ଭାବେ ଆରମ୍ଭ ହୋଇଥିବା ମୋଦିଙ୍କ ଯାତ୍ରା ୨୦୧୯ ଓ ୨୦୨୪ ନିର୍ବାଚନ ପରେ ବିକଶିତ ଭାରତ ଯାତ୍ରାରେ ପରିଣତ ହୋଇଛି । କ୍ରମାଗତ ଭାବେ ସର୍ବାଧିକ ସମୟ ପ୍ରଧାନମନ୍ତ୍ରୀ ରହିବାରେ ସେ ଦେଶର ଦ୍ୱିତୀୟ ନେତା ହୋଇପାରିଛନ୍ତି । ବୈଶ୍ୱିକ ସର୍ଭେରେ ଏହା ପ୍ରମାଣିତ ହୋଇଛି ମୋଦି ହିଁ ବିଶ୍ୱର ସର୍ବାଧିକ ଲୋକପ୍ରିୟ, ଭରସାଯୋଗ୍ୟ ପ୍ରଧାନମନ୍ତ୍ରୀ । ତାଙ୍କ ଲୋକପ୍ରିୟତା କ୍ରମାଗତ ଶୀର୍ଷରେ ରହିଛି । ତାଙ୍କ ସପକ୍ଷରେ ୭୫% (ଡେମୋକ୍ରାଟିକ ଲିଡର ଆପ୍ରୁଭାଲ ରେଟିଂ ସୂଚୀ)ରେଟିଂ ଥିବା ବେଳେ ପାଖଆଖରେ ଆଉ କୌଣସି ନେତା ନାହାନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି (ବୁଧବାର) ମଧ୍ୟପ୍ରଦେଶର ଧାରା ଜିଲ୍ଲାରେ ଏକ ବିଶାଳ ଟେକ୍ସଟାଇଲ ପାର୍କ ଉଦ୍ଘାଟନ କରି ୭୫ତମ ଜନ୍ମଦିନ ମନାଇବେ । ଗୁଜରାଟର ମେହସାଣାରେ ଜନ୍ମିତ ମୋଦି ସବୁଠାରୁ ଅଧିକ ଦିନ ସେବା କରିବାରେ ଅଣ-କଂଗ୍ରେସ ପ୍ରଧାନମନ୍ତ୍ରୀ ଏବଂ ଅତିକମ୍ରେ ଦୁଇଟି ପୂର୍ଣ୍ଣ କାର୍ଯ୍ୟକାଳ ପୂରା କରିବାରେ ପ୍ରଥମ ଅଣ-କଂଗ୍ରେସ ନେତା ହୋଇଛନ୍ତି ।
ଜଣେ କ୍ରିକେଟର ଦଳର କଠିନ ସମୟରେ ଯେଭଳି ସଂଘର୍ଷ କରି ଦଳର ସ୍ଥିତିକୁ ସୁଧାରିଥାନ୍ତି, ଠିକ୍ ମୋଦିଙ୍କ କ୍ୟାରିୟର ମଧ୍ୟ ସେହି ଭଳି ସଂଘର୍ଷପୂର୍ଣ୍ଣ ରହିଥିଲା । ୨୦୧୪ରେ ସେ ଯେତେବେଳେ ପ୍ରଧାନମନ୍ତ୍ରୀ ହେଲେ ସେହି ସମୟରେ ଭାରତ ଦୁର୍ନୀତି, ଭ୍ରଷ୍ଟାଚାର, ଦିଶାହୀନ ତଥା ମୁଦ୍ରାସ୍ଫୀତି ହାର ବୃଦ୍ଧି ଭଳି ସମସ୍ୟାର ସାମ୍ନା କରୁଥିଲା । ମୋଦିଙ୍କ ୧୧ ବର୍ଷ ଶାସନ କାଳ ଭିତରେ ଭାରତ ବିଶ୍ୱରେ ଚତୁର୍ଥ ବୃହତ୍ ଅର୍ଥନୀତି ହେବା ସହ ସାମରିକ ଓ ବୈଶ୍ୱିକ କ୍ଷେତ୍ରରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି । ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର ଯେଉଁ ୧୩ ବର୍ଷ (୨୦୦୧- ୨୦୧୪)ର ପ୍ରଶାସନିକ ଅଭିଜ୍ଞତା ରହିଥିଲା ତାକୁ ସେ କାର୍ଯ୍ୟରେ ଲଗାଇଥିଲେ । ଫଳରେ ଅବିଶ୍ୱାସକୁ ବିଶ୍ୱାସ ଓ ଅନାସ୍ଥାକୁ ଆସ୍ଥାରେ ପରିଣତ କରିବା ସହ ସୁଶାସନ ଦେବାରେ ସକ୍ଷମ ହୋଇଥିଲେ ।
ଇତିହାସ ସବୁବେଳେ ଦୁଇପ୍ରକାର ନେତାଙ୍କୁ ମନେପକାଏ । ଜଣେ ଯୁଦ୍ଧରେ ବିଜୟୀ ହୋଇଥିବା ନେତା ଏବଂ ଅନ୍ୟ ଜଣକ ଦେଶକୁ ସମୃଦ୍ଧି ଆଣିଥିବା ନେତା । କିନ୍ତୁ ମୋଦି ଉଭୟ କ୍ଷେତ୍ରରେ ନେତା । ସେ ଯୁଦ୍ଧ ସମୟରେ କଠୋର ନିଷ୍ପତ୍ତି ନେଇଛନ୍ତି ଏବଂ ଶାନ୍ତି ସମୟରେ ଦୀର୍ଘକାଳୀନ ଅର୍ଥନୈତିକ ସଂସ୍କାର ଆଣି ଦେବାକୁ ସମୃଦ୍ଧି ପଥରେ ଆଗେଇ ନେଇଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହରୁ ଓ ଇନ୍ଦିରା ଗାନ୍ଧୀଙ୍କ ଠାରୁ ସେ ନିଜକୁ ଭିନ୍ନ ବୋଲି ପ୍ରମାଣିତ କରିଛନ୍ତି । ୧୯୬୨ ଚୀନ୍ ସହ ଯୁଦ୍ଧ ବେଳେ ନେହରୁ ହତାଶ ହୋଇପଡ଼ିଥିଲେ । ୧୯୭୧ ଯୁଦ୍ଧରେ ବିଜୟୀ ହୋଇଥିଲେ ମଧ୍ୟ ପାକିସ୍ତାନ ସହ ଶାନ୍ତି ରାଜିନାମାରେ ଇନ୍ଦିରାଙ୍କୁ ବହୁତ କିଛି ତ୍ୟାଗ କରିବାକୁ ପଡ଼ିଥିଲା । ୨୦୦୮ ମୁମ୍ବାଇ ଆକ୍ରମଣ ବେଳେ ପାକିସ୍ତାନକୁ ଦଣ୍ଡିତ କରିବାରେ ତତ୍କାଳୀନ ଡକ୍ଟର ମନମୋହନ ସିଂହଙ୍କ ସରକାର ବିଫଳ ହୋଇଥିଲା । କିନ୍ତୁ ମୋଦି ୨୦୧୬ ସର୍ଜିକାଲ ଷ୍ଟ୍ରାଇକ୍ ଓ ୨୦୧୯ ବାଲାକୋଟ ଏୟାର ଷ୍ଟ୍ରାଇକ୍ ମାଧ୍ୟମରେ ଆତଙ୍କବାଦୀ ଆକ୍ରମଣର ଦୃଢ଼ ଜବାବ ଦେଇଥିଲେ । ନିକଟରେ ପହଲଗାମ ଆକ୍ରମଣ ଘଟଣାରେ ଭାରତ ପ୍ରତିଶୋଧ ମଧ୍ୟ ନେଇଥିଲା । ମୋଦି ଏକଥା ପ୍ରମାଣିତ କରିଥିଲେ ଯେ ଆତଙ୍କବାଦୀମାନେ ଯେଉଁ ଠାରେ ଲୁଚିଲେ ବି ସେମାନଙ୍କୁ ନିପାତ କରାଯିବ ।
ବିଶ୍ୱ ରାଜନୀତିରେ ମଧ୍ୟ ଭାରତର ପରାକାଷ୍ଠାକୁ ପ୍ରତିପାଦିତ କରିଛି ମୋଦିଙ୍କ ନେତୃତ୍ୱ । ଯେକୌଣସି ବିଶ୍ୱ ସମ୍ମିଳନୀରେ ମୋଦିଙ୍କ ଉପସ୍ଥିତି ଜଣାଇଥାଏ ଭାରତର ଗୁରୁତ୍ୱ, ଭାରତର ମହାନତା । ତାଙ୍କ ସହ ହାତ ମିଳାଇବାକୁ ବିଶ୍ୱ ନେତାଙ୍କ ଧାଡ଼ି ଲାଗିଥାଏ । ତାଙ୍କ ଉଦବୋଧନର ଊତ୍କଣ୍ଠିତ ମୁହୂର୍ତ୍ତକୁ ଅପେକ୍ଷା କରିଥାନ୍ତି ସମସ୍ତେ । ତିନି ଡଜନରୁ ଅଧିକ ରାଷ୍ଟ୍ର ତାଙ୍କୁ ନିଜ ନିଜ ଦେଶର ସର୍ବୋଚ୍ଚ ପୁରସ୍କାରରେ କରିଛନ୍ତି ସମ୍ମାନିତ । ୟୁକ୍ରେନ ଯୁଦ୍ଧ ହେଉ କି ମଧ୍ୟପ୍ରାଚ୍ୟ ବିବାଦ ହେଉ, ପ୍ରତ୍ୟେକ ସ୍ଥାନରେ ତାଙ୍କ ମତର ରହିଛି ଗୁରୁତ୍ୱ । ଜଣେ ବିଶ୍ୱ ନେତା ଭାବେ ଏହାହିଁ ତାଙ୍କର ପରିଚୟ, ଯାହା ପାଇଁ ଭାରତ ଆଜି ଗର୍ବିତ ।