ନୂଆଦିଲ୍ଲୀ,୩୦/୦୯: ପାକିସ୍ତାନରେ ବଡ଼ ଧରଣର ବିସ୍ଫୋରଣ । କ୍ବେଟା ସହରରେ ଥିବା ସେନା ମୁଖ୍ୟାଳୟ ନିକଟରେ ଭୟଙ୍କର ବ୍ଲାଷ୍ଟ । ଏହି ଆତ୍ମଘାତୀ ହମଲାରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସଂକଟାପନ୍ନଙ୍କ ସଂଖ୍ୟା ଅଧିକ ଥିବାରୁ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି । 

ସୂଚନା ଅନୁଯାୟୀ, ମଙ୍ଗଳବାର ଏକ ଜୋଦଦାର ବିସ୍ଫୋରଣ ପରେ ଅଚାନକ ଗୁଳିମାଡ଼ ହୋଇଥିଲା । ଏହି ବିସ୍ଫୋରଣ ପୂର୍ବ କ୍ବେଟାର ଫ୍ରଣ୍ଟିୟର କାପ୍‌ର୍ସ ମୁଖ୍ୟାଳୟ ନିକଟରେ ହୋଇଥିଲା । ବିସ୍ଫୋରଣର ଶବ୍ଦ ମଡେଲ ଟାଉନ ଏବଂ ଏହାର ଅଖପାଖ ଅଞ୍ଚଳକୁ ଶୁଭିଥିଲା । ଭୟଙ୍କର ବିସ୍ଫୋରଣରେ ଲୋକଙ୍କ ଝରକା ଭାଙ୍ଗିଯାଇଥିବା ଜଣାପଡ଼ିଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇପିଛନ୍ତି । ଅନ୍ୟପଟେ ଏହି ଆତଙ୍କୀ ହମଲାରେ ବର୍ତ୍ତମାନ ସୁଦ୍ଧା ୧୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।

​​​​​​​ବିସ୍ଫୋରଣ ପରେ ବେଲୁଚିସ୍ତାନର ସ୍ୱାସ୍ଥ୍ୟ ମନ୍ତ୍ରୀ ବଖ୍‌ତ ମହମ୍ମଦ କାକର ଏବଂ ସ୍ୱାସ୍ଥ୍ୟ ସଚିବ ମୁଜିବ-ଉର-ରେହମାନ ସିଭିଲ୍ ହସ୍ପିଟାଲ୍ କ୍ୱେଟା, ବିଏମ୍ସି ହସ୍ପିଟାଲ୍ ଏବଂ ଟ୍ରମା ସେଣ୍ଟରରେ ଜରୁରୀକାଳୀନ ସ୍ଥିତି ଘୋଷଣା କରିଛନ୍ତି। ସ୍ୱାସ୍ଥ୍ୟ ବିଭାଗ ଅନୁଯାୟୀ, ସମସ୍ତ ପରାମର୍ଶଦାତା, ଡାକ୍ତର, ଫାର୍ମାସିଷ୍ଟ, ଷ୍ଟାଫ୍ ନର୍ସ ଏବଂ ପାରାମେଡିକାଲ୍ କର୍ମଚାରୀ ଡ୍ୟୁଟିରେ ରହିଛନ୍ତି । ଉଦ୍ଧାରକାରୀ ଟିମ୍ ସୁନିଶ୍ଚିତ କରି ଯେ ଆହତ ଏବଂ ମୃତକଙ୍କୁ ସିଭିଲ୍ ହସ୍ପିଟାଲ୍ ପଠାଯାଇଛି।