ନୂଆଦିଲ୍ଲୀ, ୨୦।୭: ସଂସଦର ମନସୁନ୍ ଅଧିବେଶନ ଆରମ୍ଭ ହେବା ମାତ୍ରେ ଦେଶର ରାଜନୈତିକ ପାଣିପାଗ ଗରମ ହେବାରେ ଲାଗିଛି । ବିଭିନ୍ନ ପ୍ରସଙ୍ଗର ଦାବିକୁ ନେଇ ବିରୋଧୀ ଦଳଗୁଡ଼ିକ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସମସ୍ତଙ୍କ ନଜର ବିପକ୍ଷ ମେଣ୍ଟ ଉପରେ ରହିଛି । ଏହି ସମୟରେ ସଂସଦ ଗୃହରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି, ଯାହା ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି । ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ପରେ ସଂସଦରେ କିଛି ବଡ଼ ହେବାକୁ ଯାଉଥିବା ନେଇ ସଙ୍କେତ ମିଳୁଛି ।

ରାହୁଲଙ୍କ ପ୍ରକୋଷ୍ଠରେ ଘଣ୍ଟାଏ କାଳ ମାନସ ମନ୍ଥନ:  

ସଂସଦ ଭବନରେ ଥିବା ବିରୋଧୀ ଦଳ ନେତାଙ୍କ ପ୍ରକୋଷ୍ଠରେ ଏହି ହାଇପ୍ରୋଫାଇଲ୍ ବୈଠକ ବସିଥିଲା । ପ୍ରାୟ ଘଣ୍ଟାଏ ଧରି ଚାଲିଥିବା ଏହି ଆଲୋଚନାରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ । ସୂତ୍ର ଅନୁସାରେ, ଏହି ବୈଠକରେ କେବଳ ସଂସଦୀୟ ରଣନୀତି ନୁହେଁ, ବରଂ 'ଇଣ୍ଡି' ମେଣ୍ଟକୁ ଅଧିକ ମଜଭୁତ କରିବା, ରାମ ମନ୍ଦିର ଜମି ଦୁର୍ନୀତି ଏବଂ ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ସମ୍ପର୍କରେ ମଧ୍ୟ ଗଭୀର ମନ୍ତ୍ରଣା ହୋଇଛି ।

ଏହା ବି ପଢ଼ନ୍ତୁ... Parliament Monsoon session: 'ମୌସୁମୀ ହେଉ ବା ମୌସୁମୀ ଅଧିବେଶନ ଉଭୟ ସକ୍ରିୟ ହେଲେ ଦେଶର କଲ୍ୟାଣ : ପିଏମ୍ ମୋଦି

ସମାଜବାଦୀ ପାର୍ଟି ଉପରେ କାହିଁକି ଫୋକସ୍ କରୁଛନ୍ତି ରାହୁଲ ?

ମନସୁନ୍ ଅଧିବେଶନର ପ୍ରଥମ ଦିନରୁ ହିଁ ବିରୋଧୀଙ୍କ ପ୍ରବଳ ହଙ୍ଗାମା ଯୋଗୁଁ ଗୃହର କାର୍ଯ୍ୟବାହୀକୁ ବାରମ୍ବାର ସ୍ଥଗିତ କରିବାକୁ ପଡ଼ିଛି । ବର୍ତ୍ତମାନର ରାଜନୈତିକ ସ୍ଥିତିରେ ସମାଜବାଦୀ ପାର୍ଟି ବେଶ୍ ମଜବୁତ ସ୍ଥିତିରେ ରହିଛି ଏବଂ କ୍ରମାଗତ ଭାବେ ବିଜେପି ସରକାରଙ୍କୁ ଆକ୍ରମଣ କରୁଛି । ଏଭଳି ପରିସ୍ଥିତିରେ ରାହୁଲ ଗାନ୍ଧୀ ଏବଂ ଅଖିଳେଶ ଯାଦବଙ୍କ ମଧ୍ୟରେ ହୋଇଥିବା ଏହି ବୈଠକ ଆଗାମୀ ଦିନରେ ଦେଶର ରାଜନୀତି ଏବଂ ସଂସଦର ଚିତ୍ର ବଦଳାଇବାକୁ ଯାଉଛି ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି । ଏବେ ଦେଖିବାକୁ ବାକି ରହିଲା, ଏହି ମେଗା ପ୍ଲାନ୍ ଆଧାରରେ ବିରୋଧୀ ଦଳ ଗୃହରେ ସରକାରଙ୍କୁ କେତେଦୂର ଘେରିବାରେ ସଫଳ ହେଉଛନ୍ତି ।