ନୂଆଦିଲ୍ଲୀ,୨୦/୦୭: ଦେଶର ରାଜନୈତିକ ବାତାବରଣରେ ଗତ ୩ ମାସରେ ଆସିଛି ବଡ଼ ପରିବର୍ତ୍ତନ । ସାମ୍ନାରେ ଭିନ୍ନ ଏକ ନୂଆ ସମୀକରଣ । ନିର୍ବାଚନରେ ପରାଜୟ, ଦଳବଦଳ ଓ ବିଭାଜନ କାରଣରୁ ବିରୋଧୀ ଦଳ ଦୁର୍ବଳ ହୋଇପଡ଼ିଛନ୍ତି । ଏନଡିଏ ନିଜ ଆସନ ସଂଖ୍ୟା ବୃଦ୍ଧି କରି ପୂର୍ବାପେକ୍ଷା ହୋଇଛି ମଜଭୁତ । ଏଭଳି ଘଟଣାକ୍ରମେ ଆଜିଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ ।

ନୂଆ ସମୀକରଣ ଦୃଷ୍ଟିରୁ ଏଥର ଗୃହରେ ଭିନ୍ନ ସ୍ଥିତି ଦେଖିବାକୁ ମିଳିବ । ପ୍ରମୁଖ ବିରୋଧୀ ଦଳ ସରକାରଙ୍କୁ କିଭଳି ଘେରିବେ ତାହା ଉପରେ ନଜର ରହିବ । ଟିଏମସି ଏବଂ ଶିବସେନା (ଉଦ୍ଧବ ଗୋଷ୍ଠୀ) ଭଳି ପ୍ରମୁଖ ବିରୋଧୀ ଦଳରେ ବଡ଼ ଧରଣର ବିଦ୍ରୋହ ହୋଇଛି । ଟିଏମସିର ୨୦ ବିଦ୍ରୋହୀ ସାଂସଦ ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟି ଅଫ୍ ଇଣ୍ଡିଆ (ଏନ୍‌ସିପିଆଇ)ରେ ବିଲୟ ହୋଇ ଏନଡିଏକୁ ସମର୍ଥନ ଦେଇଛନ୍ତି । ଉଦ୍ଧବ ଠାକରେଙ୍କ ଦଳର ୬ ସାଂସଦ ଏକନାଥ ସିନ୍ଦେଙ୍କ ଶିବସେନାରେ ସାମିଲ ହୋଇଛନ୍ତି, ଯାହା ଏନଡିଏକୁ ଅଧିକ ବଳ ଦେଇଛି । ଏହାଛଡ଼ା ପଶ୍ଚିମବଙ୍ଗରେ ଟିଏମ୍‌ସି, ତାମିଲନାଡୁରେ ଡିଏମ୍‌କେ ଏବଂ ଓଡ଼ିଶାରେ ବିଜେଡିର ପରାଜୟ ବିରୋଧୀଙ୍କ ସ୍ଥିତି ଦୁର୍ବଳ କରିଦେଇଛି ।

ଦଳବଦଳ ଓ ବିଭାଜନ ଯୋଗୁ ଲୋକସଭାରେ ବିଜେପି ନେତୃତ୍ୱାଧୀନ ଏନଡିଏର ସଦସ୍ୟ ସଂଖ୍ୟା ବଢ଼ିଛି ଯାହା ସରକାରଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ୍ କରାଇବାରେ ଅଧିକ ଶକ୍ତି ପ୍ରଦାନ କରିବ । ତେବେ ବିଦ୍ରୋହୀ ସାଂସଦଙ୍କୁ ସ୍ୱତନ୍ତ୍ର ଆସନ ମିଳିବାକୁ ନେଇ ଅଧିବେଶନ ଆରମ୍ଭରୁ ହିଁ ହଟ୍ଟଗୋଳର ଆଶଙ୍କା ଦେଖାଦେଇଛି । ଏହି ଅଧିବେଶନ କେବଳ ଆଇନ ପ୍ରଣୟନ ପାଇଁ ନୁହେଁ, ବରଂ ବଦଳୁଥିବା ଦଳୀୟ ସମୀକରଣ ଏବଂ ବିରୋଧୀ ଦଳଗୁଡ଼ିକର ଅସ୍ତିତ୍ୱ ରକ୍ଷା ଲଢ଼େଇ ଲାଗି ଭାରତୀୟ ରାଜନୀତିରେ ଏକ ନୂଆ ମୋଡ଼ ଆଣିବା ନେଇ ଆଶା କରାଯାଉଛି ।

ଅଧିକ ପଢ଼ନ୍ତୁ :-  ନାଗାଲାଣ୍ଡରେ ପ୍ରବଳ ବର୍ଷା ପାଇଁ ଭୂସ୍ଖଳନ, ୮ ମୃତ, ୧୨ ଆହତ…​​​​​​​

ସଂସଦର ମୌସୁମୀ ଅଧିବେଶନ ସୋମବାରଠାରୁ ଆରମ୍ଭ ହେଉଛି । ପ୍ରଥମ ଦିନରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ବନ୍ଦେ ମାତରମ୍ ସହ ଜଡ଼ିତ ବିଲ୍ ଆଗତ କରିପାରନ୍ତି । ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୧୯ଟି ବୈଠକ ବସିବ । ତାହା ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୪୦ ଦଳ ସାମିଲ ହୋଇଥିଲେ। ଏହାପରେ ଲୋକସଭା ବିଜନେସ ଆଡଭାଇଜରି କମିଟି (ବିଏସି) ବୈଠକ ବସିଥିଲା । କେଉଁ ବିଲ୍ ଉପରେ କେତେ ସମୟ ଚର୍ଚ୍ଚା ହେବ, ତାହା ସ୍ଥିର ହୋଇଥିଲା । ମୌସୁମୀ ଅଧିବେଶନରେ ୫ଟି ନୂଆ ଏବଂ ୨ଟି ପୁରୁଣା ବିଲ୍ ଆଗତ ପାଇଁ ସରକାର ଯୋଜନା ରଖିଛନ୍ତି ।

୫ଟି ନୂଆ ବିଲ୍ ମଧ୍ୟରେ ଆୟକର (ସଂଶୋଧନ) ବିଲ୍ ୨୦୨୬, ସୁପ୍ରିମ୍‌କୋର୍ଟ (ବିଚାରପତି ସଂଖ୍ୟା) ସଂଶୋଧନ ବିଲ୍ ୨୦୨୬,ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ (ସଂଶୋଧନ) ବିଲ୍ ୨୦୨୬, ଜାତୀୟ ସମ୍ମାନର ଅପମାନ ନିବାରଣ (ସଂଶୋଧନ) ବିଲ୍ ୨୦୨୬ ଏବଂ ଏମ୍ଏସ୍ଏମ୍ଇ (ସଂଶୋଧନ) ବିଲ୍ ୨୦୨୬ ଅନ୍ତର୍ଭୁକ୍ତ । ଏହିସବୁ ବିଲ୍ ଉପରେ ୪-୫ ଘଣ୍ଟା ଚର୍ଚ୍ଚା ହେବ । ଏହାଛଡ଼ା ଚଳିତବର୍ଷ ପ୍ରାରମ୍ଭରେ ଆଗତ କରାଯାଇଥିବା ବୈଦେଶିକ ଅନୁଦାନ (ନିୟନ୍ତ୍ରଣ) ସଂଶୋଧନ (ଏଫ୍‌ସିଆର୍‌ଏ) ବିଲ୍ ୨୦୨୬ ଏବଂ ଦୀର୍ଘଦିନରୁ ବିଚାରାଧୀନ ଥିବା ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ (ଭିବିଏସ୍ଏ) ବିଲ୍ ୨୦୨୫କୁ ପୁନର୍ବାର ଆଗତ କରାଯିବ । ଭିବିଏସ୍ଏ ବିଲ୍‌କୁ ୨୦୨୫ ଡିସେମ୍ବର ୧୫ରେ ଲୋକସଭାରେ ଆଗତ କରାଯାଇ ଯୁଗ୍ମ ସଂସଦୀୟ କମିଟି ନିକଟକୁ ପଠାଯାଇଥିଲା । ସବୁଠୁ ଗୁରୁତ୍ୱପୂର୍ଣ୍ଣ ମହିଳା ସଂରକ୍ଷଣ ବିଲ୍ ଏବଂ ସୀମା ପୁନଃ ନିର୍ଦ୍ଧାରଣ ବିଲ୍ ଆଗତ ହୋଇପାରେ । ଏଥିପାଇଁ ସରକାର ୧୩୧ତମ ସମ୍ୱିଧାନ ସଂଶୋଧନ ବିଲ୍ ଆଣିବା ସମ୍ଭାବନା ରହିଛି । ଏଥିରେ ମହିଳା ସଂରକ୍ଷଣର କାର୍ଯ୍ୟକାରିତାକୁ ସହଜ ନିମନ୍ତେ ଲୋକସଭା ଆସନର ସୀମା ନିର୍ଦ୍ଧାରଣ (ଡିଲିମିଟେସନ) ପ୍ରସ୍ତାବ ରହିଛି । ସେହିଭଳି ୧୩୦ତମ ସମ୍ୱିଧାନ ସଂଶୋଧନ ବିଲ୍ ମଧ୍ୟ ଆଗତ ହେବାର ସମ୍ଭାବନା ରହିଛି । ଏହି ବିଲ୍‌ରେ ୩୦ ଦିନ ଜେଲରେ ରହିବା ପରେ ଯେକୌଣସି ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କୁ ପଦରୁ ହଟାଯିବା ନେଇ ପ୍ରସ୍ତାବ ଅଛି । ତେବେ ସରକାରଙ୍କ ପକ୍ଷରୁ ସାଂସଦମାନଙ୍କୁ ବଣ୍ଟାଯାଇଥିବା ବିଧାୟୀ କାର୍ଯ୍ୟସୂଚୀରେ ଏହି ଦୁଇଟି ସମ୍ବିଧାନ ସଂଶୋଧନ ବିଲ୍ ସାମିଲ ନାହିଁ ।

ମୌସୁମୀ ଅଧିବେଶନ ପୂର୍ବରୁ ରବିବାର ସଂସଦ ଭବନର ଆନେକ୍ସ ବିଲ୍ଡିଂରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ୩ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅଧ୍ୟକ୍ଷତା କରିଥିଲେ । ଏଥିରେ ବିଜେପି, କଂଗ୍ରେସ, ସପା, ଟିଏମ୍‌ସି, ଡିଏମ୍‌କେ ସମେତ ୪୦ ଦଳର ୫୮ ନେତା ଯୋଗଦେଇଥିଲେ । ତେବେ ବୈଠକ ମଝିରେ ବିରୋଧୀ ଦଳଗୁଡ଼ିକ ସାଙ୍କେତିକ କକ୍ଷତ୍ୟାଗ କରିଥିଲେ ।

ସର୍ବଦଳୀୟ ବୈଠକକୁ ଟିଏମ୍‌ସି ବିଦ୍ରୋହୀ ଗୋଷ୍ଠୀ ସାଂସଦଙ୍କୁ ଡକାଯିବାକୁ ନେଇ ବିରୋଧୀମାନେ ଆପତ୍ତି ଉଠାଇଥିଲେ । ବାଚସ୍ପତି ଓମ୍ ବିର୍ଲା ଅଦ୍ୟାବଧି ଏହି ଗୋଷ୍ଠୀକୁ ଔପଚାରିକ ଭାବେ ସ୍ୱୀକୃତି ଦେଇ ନ ଥିବାରୁ ସେମାନଙ୍କୁ କାହିଁକି ଡକାଗଲା, ତାହାକୁ ନେଇ ବିରୋଧୀ ସାଂସଦ ପ୍ରଶ୍ନ କରିଥିଲେ । ଏହାକୁ ନେଇ ବିରୋଧୀ ଦଳଗୁଡ଼ିକ ବୈଠକ ଛାଡ଼ି ପଳାଇଥିଲେ ।

ଏହା ଉପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି, ଏନ୍‌ସିପିଆଇର ୨୦ ଲୋକସଭା ସାଂସଦ (ଟିଏମ୍‌ସି ବିଦ୍ରୋହୀ ସାଂସଦ) ଲୋକସଭା ବାଚସ୍ପତିଙ୍କ ପାଖରେ ଆବେଦନ କରି ନୂଆ ଦଳ ଭାବେ ମାନ୍ୟତା ଏବଂ ସଂସଦରେ ପୃଥକ ବସିବାର ବ୍ୟବସ୍ଥା ପାଇଁ ଦାବି କରିଛନ୍ତି । ଏହି ମାମଲା ବାଚସ୍ପତିଙ୍କ ନିକଟରେ ବିଚାରାଧୀନ ରହିଥିବାରୁ ସେମାନଙ୍କୁ ବୈଠକକୁ କେମିତି ଡକାଯିବ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି, ଲୋକସଭା ସମସ୍ତଙ୍କର । ସବୁ ଦଳ ସହ ଆଲୋଚନା କରିବା ସରକାରଙ୍କ ଦାୟିତ୍ୱ । ସହମତି ପାଇଁ ସମସ୍ତଙ୍କୁ ଆମନ୍ତ୍ରଣ କରାଯିବା ଜରୁରି।

ମମତା ବାନାର୍ଜୀଙ୍କ ଠାରୁ ଅଲଗା ହୋଇଥିବା ଟିଏମ୍‌ସିର ଏହି ୨୦ ବିଦ୍ରୋହୀ ସାଂସଦଙ୍କୁ ଲୋକସଭାରେ ପୃଥକ ବସିବା ପାଇଁ ଶନିବାର ମଞ୍ଜୁରି ମିଳିଥିଲା । ଜୁନ ୧୫ରେ ଏମାନେ ଏନ୍‌ସିପିଆଇ (ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟି ଅଫ ଇଣ୍ଡିଆ) ସହ ବିଲୟ ହୋଇଥିଲେ । ସେହିଭଳି ଲୋକସଭା ବାଚସ୍ପତି ଉଦ୍ଧବ ଗୋଷ୍ଠୀର ସମସ୍ତ ୬ ବିଦ୍ରୋହୀ ସାଂସଦଙ୍କୁ ମଞ୍ଜୁରି ଦେଇଛନ୍ତି । ଜୁନ ୨୨ରେ ସେମାନେ ଉଦ୍ଧବଙ୍କ ସାଥ୍ ଛାଡ଼ି ସିନ୍ଦେ ଗୋଷ୍ଠୀରେ ସାମିଲ ହୋଇଥିଲେ । ଏମାନେ ଏବେ ସିନ୍ଦେ ଗୋଷ୍ଠୀ ସାଂସଦଙ୍କ ସହ ଏକାଠି ଲୋକସଭାରେ ବସିବେ।