ଫିରିଙ୍ଗିଆ,୨୪/୧୦ :  ର୍ତ୍ତମାନ ଚାଲିଛି ପବିତ୍ର କାର୍ତ୍ତିକ ମାସ । ଏହି ମାସରେ ଗାଁ ଗାଁରେ ଉପବାସ ରହି ବ୍ରତ ପାଳନ କରୁଛନ୍ତି ବ୍ରତଧାରୀ ଶ୍ରଦ୍ଧାଳୁ l ଗାଁ ଗାଁରେ ମନ୍ଦିର, ମଣ୍ଡପମାନଙ୍କରେ ପଞ୍ଚୁକ ବ୍ରତ ପାଇଁ ପ୍ରସ୍ତୁତ ହେଉଥିବାବେଳେ ପ୍ରତ୍ୟେକ ସୋମବାର ମନ୍ଦିର ଦର୍ଶନ କରି ଉପବାସ ରହି ପ୍ରତିଦିନ ଗାଁ ଗାଁରେ, ମନ୍ଦିରରେ ଖୋଳ କୀର୍ତ୍ତନ କରିବା ସହ ଗ୍ରାମ ପରିକ୍ରମା କରୁଛନ୍ତି । ତେବେ ପରିକ୍ରମାରେ ଖୋଳ କୀର୍ତ୍ତନ, ନଦିଆର ଆବଶ୍ୟକ ହେଉଥିବାରୁ ବର୍ତ୍ତମାନ  ନଦିଆ ଖୋଳର ମରାମତି ହେଉ କି ନୂତନ ନଦିଆ ଖୋଳ ପ୍ରତ୍ୟେକ ଗାଁ ଗାଁରେ ଆବଶ୍ୟକ ହେଉଥିବାରୁ ଏହାର ଚାହିଦା ବଢ଼ିବାରେ ଲାଗିଛି l

ଏହି ପରିସ୍ଥିତିରେ ଫିରିଙ୍ଗିଆ ବ୍ଲକରେ ବିଭିନ୍ନ ସ୍ଥାନରେ ନଦିଆ ଖୋଳ ନିର୍ମାଣ କାରିଗରଙ୍କର ମଧ୍ୟ ଗୁରୁତ୍ୱ ବଢିଥିବାବେଳେ ସମସ୍ତେ ମରାମତି ଏବଂ ନୂତନ ଖୋଳ ନିର୍ମାଣରେ ନିମଗ୍ନ ରହି ବ୍ୟସ୍ତ ଥିବା ଦେଖିବାକୁ ମିଳିଛି l ଫିରିଙ୍ଗିଆ ବଜାରରେ, ସୁନାକାଡ଼ୁର ଦୁମ ଦୁମାରେ ଓ ମାଶ୍ରୀ ପଡ଼ା ଛକ ନିକଟରେ ମଧ୍ୟ ନଦିଆ ଖୋଳ ମରାମତି ଓ ନୂତନ ଖୋଳ ବିକ୍ରି ଓ ମରାମତି ହେଉଛି l ବିଶେଷ କରି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର କିଛି କାରିଗର ନଦିଆ ଖୋଳ ବିକ୍ରି ଓ ମରାମତି କରୁଥିବାବେଳେ ଜିଲ୍ଲା ବାହାରୁ ଆସି ଦୀର୍ଘ ଦିନ ଧରି ଫିରିଙ୍ଗିଆ ବ୍ଲକର ଫିରିଙ୍ଗିଆ ଓ ମାଶ୍ରୀ ପଡ଼ା ଛକଠାରେ ଏହି କାମ କରୁଛନ୍ତି l

ମାଶ୍ରୀ ପଡ଼ାରେ ଗତ ଏକ ବର୍ଷ ଧରି ସୋନପୁର ଜିଲ୍ଲା ତରଭା ବ୍ଲକର ଦେଉଳ ପଦର ଗାଁର ଅନିଲ ବାଘ ନାମକ ବାଦ୍ୟ କାରିଗର ଏହି କାମ କରୁଛନ୍ତି । ନିଜ ସହ ଆଉ ୩ଜଣ କାରିଗରକୁ ମଧ୍ୟ ରୋଜଗାର ଯୋଗାଇବା ସହ ଏହି କାମରେ ଲଗାଇଛନ୍ତି l ଫିରିଙ୍ଗିଆ ବ୍ଲକରେ ଅଧିକ ବାଦ୍ୟ ମରାମତି ଓ ବିକ୍ରି ହେଉଥିବାରୁ ଭଲ ଦୁଇ ପଇସା ରୋଜଗାର ହେଉଥିବା କହିଛନ୍ତି କାରିଗର ଅନିଲ ବାଘ l ଅଧିକ ବିକ୍ରି ହେବା ଆଶାରେ ନୂତନ ଖୋଳ ଅଧିକ ପରିମାଣରେ ଆଣି ରଖିଛନ୍ତି ଏବଂ ପୁରୁଣା ଖୋଳ ମଧ୍ୟ ମରାମତି ପାଇଁ ଆସୁଥିବାରୁ ଖୁସି ବ୍ୟକ୍ତ କରିଛନ୍ତି l ତେବେ ଭଲ ରୋଜଗାର ହେଉଥିବାବେଳେ ଆଗାମୀ ଦିନରେ ଅଧିକ ବିକ୍ରି ହେବା ସହ ଅଧିକ ରୋଜଗାର ହୋଇପାରିବ ବୋଲି ଆଶା ରଖିଛନ୍ତି ବାଦ୍ୟ ନିର୍ମାଣ କାରିଗର ଅନିଲ ବାଘ l