ବଲାଙ୍ଗିର,୨୬/୧୦: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ  ମାମଲାର ଦୋଷୀ ପୁଞ୍ଜିଲାଲ ମେହେର ଅସୁସ୍ଥ ହୋଇ ହସ୍ପିଟାଲରେ  ଭର୍ତ୍ତି ହୋଇଛି । ଗତ ୨୪ତାରିଖ ସଂଧ୍ୟାରେ ପୁଞ୍ଜିଲାଲର ସ୍ୱାସ୍ଥ୍ୟବସ୍ଥା ଅତି ଗୁରୁତର ହୋଇଯିବାରୁ ତାକୁ ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲର ପୁରୁଷ ମେଡ଼ିସିନ ୱାର୍ଡରେ ଭର୍ତ୍ତି କରାଯାଇଛି । ପୁଞ୍ଜିଲାଲ  ପୂର୍ବରୁ ଚାକିରି କରୁଥିବା ଭଇଁଷା କଲେଜର ବିଭିନ୍ନ କାଗଜପତ୍ର  ମାଗିଥିଲା । ହେଲେ ତାହା ମିଳୁନଥିବାରୁ ସେ ଅସନ୍ତୋଷ ପ୍ରକାଶ  କରି ଗତ ୨୧ତାରିଖରୁ ଅନଶନରେ ବସିଥିଲା । ଏପରିକି ସେ କ୍ରମାଗତ ଖାଇବା ପିଇବା ଛାଡ଼ି ଧାରଣା ଦେଇଥିବାରୁ ଗୁରୁତର ହୋଇପଡିଥିଲା । ତେଣୁ କଡ଼ା ସୁରକ୍ଷାବଳୟ ଭିତରେ ତାକୁ  ହସ୍ପିଟାଲ ନିଆଯାଇଥିବା ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୨୦୧୮ ମସିହା  ଫେବୃଆରୀ ୨୩ତାରିଖରେ ବଲାଙ୍ଗିର  ଜିଲ୍ଲା ପାଟଣାଗଡ଼ ବ୍ଲକଛକ ବାସିନ୍ଦା ରବିନ୍ଦ୍ର  ସାହୁଙ୍କ ପୁଅ ସୌମ୍ୟଶେଖର ଏବଂ ସ୍ତ୍ରୀ  ରୀମା ଓ ଜେଜେମା ମିଳିମିଶି ବିବାହ ଅଭ୍ୟର୍ଥନାରେ ମିଳିଥିବା ଉପହାରଗୁଡ଼ିକୁ  ଖୋଲି ଦେଖୁଥିଲେ । ଉପହାର ପ୍ୟାକେଟ ସହିତ ଆସିଥିବା ଏକ ପାର୍ସଲ ଖୋଲିବା ସମୟରେ ସେଥିରୁ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା । ସେଥିରେ ଉଭୟ ବର-କନିଆଁଙ୍କ ସହ ନିକଟରେ  ବସିଥିବା ଜେଜେମାଁ ଗୁରୁତର ଆହତ ହୋଇଥିଲେ । ଦେହର  ଅଧିକାଂଶ ଭାଗ ବିସ୍ପୋରଣରେ ଜଳିଯାଇଥିଲା । ତିନି ଜଣଙ୍କୁ  ଗୁରୁରୁତର ଅବସ୍ଥାରେ ପ୍ରଥମେ ପାଟଣାଗଡ଼ ହସପିଟାଲରେ  ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ  ବଲାଙ୍ଗିର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ବଲାଙ୍ଗିର  ହସପିଟାଲରେ ଜେଜେମାଁ ଜେମାଦେଇଙ୍କୁ ଡାକ୍ତର ମୃତ ଘୋଷଣା  କରିଥିଲେ । ପରେ ନବଦମ୍ପତିଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ  ସୌମ୍ୟଶେଖରଙ୍କୁ ରାଉରକେଲା ସ୍ଥିତ ଆଇଜିଏଚ ହସ୍ପିଟାଲ ଏବଂ  ରୀମାଙ୍କୁ ବୁର୍ଲା ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ  ରାଉରକେଲା ଯିବା ବାଟରେ ସୌମ୍ୟଶେଖରଙ୍କ ମୃତ୍ୟୁ ହୋଇଥିଲା ।  ରୀମାଙ୍କୁ ବୁର୍ଲା ଡାକ୍ତରଖାନାକୁ ନିଆଯାଇଥିଲା । ଦୀର୍ଘଦିନର ଚିକିତ୍ସା  ପରେ ରୀମା ସୁସ୍ଥହୋଇ ଫେରିଥିଲେ । ଏହାପରେ ବଲାଙ୍ଗିର  ପୁଲିସ ଏବଂ ପରେ କ୍ରାଇମବ୍ରାଞ୍ଚ ତଦନ୍ତ କରି ଦୁଇଟି ଦଫାରେ ପ୍ରାୟ  ୨ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ କରିଥିଲା । ଆଉ ପ୍ରାୟ ୭ବର୍ଷର  ନ୍ୟାୟିକ ପ୍ରକ୍ରିୟା ପରେ ଗତ ମେ ୨୯ତାରିଖରେ ଏହାର ଶୁଣାଣି  ହୋଇଥିଲା । ପୁଞ୍ଜିଲାଲକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇବା ସହ  ବିଭିନ୍ନ ଦଫାରେ ୧ଲକ୍ଷ ୪୦ହଜାର ଟଙ୍କାର ଆର୍ଥିକ ଜରିମାନା ପାଇଁ  ଆଦେଶ ଦିଆଯାଇଥିଲା । ଏବେ ସେ ବଲାଙ୍ଗିର ଜେଲରେ ରହିଛି ।