ନୂଆଦିଲ୍ଲୀ: ଅମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ H-1B ଭିସା ଫିରେ ବିପୁଳ ବୃଦ୍ଧି ଓ କଡ଼ା ନିୟମ ଘୋଷଣା କରିବା ପରେ ଭାରତୀୟ ଆଇଟି ପ୍ରଫେଶନାଲଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହାରି ମଧ୍ୟରେ ଭାରତରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଏହି ନିଷ୍ପତ୍ତିକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ ତୀବ୍ର ବିରୋଧ କରିଛନ୍ତି। ଉଭୟେ ଟ୍ରମ୍ପଙ୍କ ଏହି ନିଷ୍ପତ୍ତିକୁ ଭାରତୀୟ ପ୍ରତିଭା ବିରୋଧୀ ବୋଲି କହିଛନ୍ତି।
ସୂଚନା ମୁତାବକ, ଟ୍ରମ୍ପ ପ୍ରଶାସନ H-1B ଭିସା ଫିକୁ ୧ ଲକ୍ଷ ଡଲାର (ପ୍ରାୟ ୮୮ ଲକ୍ଷ ଟଙ୍କା)କୁ ବଢ଼ାଇ ଦେଇଛି। ଏହା ସହିତ, ସେପ୍ଟେମ୍ବର ୨୧ ତାରିଖ ରାତି ୧୨ଟା ୦୧ (ଅମେରିକୀୟ ସମୟ) ପରେ ନୂତନ H-1B ଭିସାଧାରୀ ନାଗରିକଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯିବ ବୋଲି ମଧ୍ୟ ଘୋଷଣା କରାଯାଇଛି।
ଆପଣଙ୍କୁ ଜଣାଇ ରଖୁ ଯେ, ଭାରତୀୟ ଆଇଟି ପ୍ରଫେଶନାଲମାନେ, H-1B ଭିସାରେ ଅମେରିକାର ବିଭିନ୍ନ ଆଇଟି ଫାର୍ମ ଓ କମ୍ପାନୀରେ କାର୍ଯ୍ୟ କରିଥାନ୍ତି। ଆମେରିକାର ଏହି ନୂଆ ନିୟମ ଯୋଗୁଁ ସେମାନେ ଘୋର ଅନିଶ୍ଚିତତାର ସମ୍ମୁଖୀନ ହେଉଛନ୍ତି। ଆମେରିକାର ଅନେକ କମ୍ପାନୀ ଏହି ବଡଧରଣର ଫି ଦେବାକୁ ସକ୍ଷମ ନୁହନ୍ତି, ଯାହା କାରଣରୁ ଲକ୍ଷ ଲକ୍ଷ ଭାରତୀୟଙ୍କ ଚାକିରି ବିପଦରେ ପଡ଼ିବାର ସମ୍ଭାବନା ରହିଛି।
ଏହି ଘୋଷଣା ପରେ ଅମେରିକାର ବିମାନବନ୍ଦରଗୁଡ଼ିକରେ, ବିଶେଷତଃ ନ୍ୟୁୟର୍କ ଓ ସାନ୍ ଫ୍ରାନ୍ସିସ୍କୋରେ ବିପୁଳ ପରିମାଣରେ ଭିଡ଼ ପରିଲକ୍ଷିତ ହୋଇଛି। ଭାରତୀୟ ଟେକିମାନେ ଏଥିରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଯାହାକୁ ନେଇ ଦେଶରେ ରାଜନୀତି ଆରମ୍ଭ ହୋଇଯାଇଛି। ଗୋଟିଏ ପଟେ କଂଗ୍ରେସ ଶାସକ ଦଳ ବିଜେପିକୁ ଘେରିଥିବା ବେଳେ ଅନ୍ୟପଟେ ବିଜେପି ଲୋକମାନଙ୍କ ସହ ରହିଛି ବୋଲି ଘୋଷଣା କରିଛି।
ଏହି ପରିପ୍ରେକ୍ଷିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟ କରି କହିଛନ୍ତି, "ଏହି ନିଷ୍ପତ୍ତି ଭାରତୀୟ ଯୁବକଙ୍କ ସ୍ୱପ୍ନକୁ ଧ୍ୱଂସ କରୁଛି। ଏହାସହ ଅମେରିକା-ଭାରତ ସମ୍ପର୍କ ଉପରେ ଏହା ନକାରାତ୍ମକ ପ୍ରଭାବ ପକାଇବ।" ସେ ଭାରତ ସରକାରଙ୍କୁ ଏହି ବିଷୟରେ ଦୃଢ଼ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।
ସେହିଭଳି ମଲ୍ଲିକାର୍ଜୁନ ଖଡ୍ଗେ ମଧ୍ୟ ଏହାକୁ ଅନ୍ୟାୟ ଓ ବୈଷମ୍ୟମୂଳକ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, "ଭାରତୀୟ ଟେକ୍ ପ୍ରଫେଶନାଲମାନେ ଅମେରିକାର ଅର୍ଥନୀତିରେ ବଡ଼ ଯୋଗଦାନ ଦେଇଛନ୍ତି। ଏହି ନିୟମ ସେମାନଙ୍କୁ ଅସମ୍ମାନ କରୁଛି।"
ସେହିଭଳି ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ସେମାନେ ଏହି ବିଷୟରେ ଅମେରିକୀୟ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି ଏବଂ ଭାରତୀୟ ନାଗରିକଙ୍କୁ ସମର୍ଥନ ପ୍ରଦାନ କରିବେ।
ଆମେରିକା ଜାରି କରିଥିବା ମୋଟ୍ H-1B ଭିସାର ପ୍ରାୟ ୭୦% ଭାରତୀୟ ଅମେରିକାରେ ଆଇଟି କ୍ଷେତ୍ରରେ କାର୍ଯ୍ୟ କରନ୍ତି। ଏହି ନିୟମ କାରଣରୁ ଭାରତୀୟ ଆଇଟି କମ୍ପାନୀଗୁଡ଼ିକ, ଯେପରିକି TCS ଓ Infosys, ବିପୁଳ ଆର୍ଥିକ ଚାପର ସମ୍ମୁଖୀନ ହେବେ। ଏନେଇ ନାସ୍କମ୍ ଚେତାବନୀ ଦେଇଛି ଯେ ଏହା ଅମେରିକାର ଟେକ୍ ଇଣ୍ଡସ୍ଟ୍ରୀରେ ଭାରି ଚାପ ସୃଷ୍ଟି କରିବ। ତେବେ ଏହି ଖବର ସାମ୍ନାକୁ ଆସିବା ପରେ ଅନେକ ପ୍ରଫେଶନାଲ ବର୍ତ୍ତମାନ କାନାଡା ଓ ଇଉରୋପରେ ନିଜନିଜର ବିକଳ୍ପ ଖୋଜିବାରେ ଲାଗିପଡିଛନ୍ତି।
ଏହି ନିୟମ ଜାରି କରିବା ପରେ ଟ୍ରମ୍ପ ଘୋର ବିରୋଧର ସମ୍ମୁଖିନ ହୋଇଛନ୍ତି। ସେ ଏନେଇ ଫେଇ ଦେଇ କହିଛନ୍ତି ଯେ, "ଏହି ନିୟମ ଅମେରିକୀୟ କର୍ମଚାରୀଙ୍କୁ ସୁରକ୍ଷା ଦେବା ପାଇଁ ଆବଶ୍ୟକ।" କିନ୍ତୁ ବିଶେଷଜ୍ଞମାନେ କହିଛନ୍ତି ଯେ ଏହା ଅମେରିକାର ଟେକ୍ ଇକୋସିଷ୍ଟମକୁ ଦୁର୍ବଳ କରିଦେବ। କାରଣ ଭାରତୀୟ ପ୍ରଫେଶନାଲମାନେ ଏହାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ।