ମାଲକାନଗିରି,୧୧/୧୦ (ଆପ୍ର ) : ପୁଣି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ। ରାସ୍ତା କାଦୁଅ ପଚପଚ ହୋଇଥିବାରୁ ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ । ଦେଢ କିଲୋମିଟର ଚାଲି ଚାଲି ଆମ୍ବୁଲାନ୍ସ ନିକଟକୁ ଗଲେ ଗର୍ଭବତୀ । ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ କତାପାଲି ପଞ୍ଚାୟତ ଅଧିନସ୍ଥ ବେଦୁରୁପାଲି ଆଦିବାସୀ ଗାଁରେ ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣାର ଏପରି ଚିତ୍ର ।
ଗାଁର କନକ ଦେଈ ଦୁରୁଆଙ୍କ ଗର୍ଭଯନ୍ତ୍ରଣା ହେବାରୁ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ଆଶା ଦିଦି । କିନ୍ତୁ କାଦୁଅ ରାସ୍ତା ପାଇଁ ଗାଁ ନିକଟକୁ ଯାଇପାରିନଥିଲା ଆମ୍ବୁଲାନ୍ସ । ଦେଢ କିଲୋମିଟର ଦୂରରେ ଆମ୍ବୁଲାନ୍ସ ଅଟକି ରହିଥିଲା। ଗାଁ ଭିତରୁ କାଦୁଅ ରାସ୍ତାରେ ଦେଢ କିଲୋମିଟର ଚଲାଇ ଚଲାଇ କତାପାଲି ଛକରେ ଥିବା ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ ପରିବାର ଏବଂ ଆଶାଦିଦି । ସେଠାରୁ ଆମ୍ବୁଲାନ୍ସରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା।