ପୁରୀ,୨୮/୦୯: ପୁରୀ ଜିଲ୍ଲା ଦେଇ ୧୯ଟି ନଦୀ ପ୍ରବାହିତ ହୋଇଛି । ହେଲେ ଜିଲ୍ଲାରେ ଲାଗି ରହିଛି ଜଳସେଚନ ଓ ପାନୀୟଜଳ ସମସ୍ୟା । ନଦୀର ଉପଯୋଗ କରିବାରେ ଫେଲ୍ ମାରିଛି ପ୍ରଶାସନ । ସେପଟେ  ସୁରକ୍ଷା ଅଭାବରୁ ଅନେକ ନଦୀ ପୋତି ହୋଇ ସତ୍ତା ହରାଇବାକୁ ବସିଥିବା ବେଳେ ଅନେକ ପ୍ରଦୂଷିତ । ଜିଲ୍ଲା ଜୀବନ ନାଟିକା ହୋଇଥିବା ନଦୀ ଜଳ ପ୍ରଦୂଷିତ ହେବା ଓ ଏହାର ପ୍ରକୃତିକ ଉତ୍ସ ବଜାୟ ରଖିବାରେ ପ୍ରଶାସନ ବିଫଳ ହେବା ବୁଦ୍ଧିଜୀବୀଙ୍କୁ  ଚିନ୍ତାରେ ପକାଇଛି । ଜିଲ୍ଲା ଦେଇ ୭୧ କିମି ଦୟା, ୮୭ କିମି ଭାର୍ଗବୀ, ୧୩ କିମି ମକରା୬୭ କିମି ମଲାଗୁଣି, ୧୬ କିମି ରାଜୁଆ, ୩୪ କିମି ଲୁଣା, ୨୩ କିମି ରତ୍ନଚିରା, ୯ କିମି ଜଗଦଳ, ୨୩ କିମି ଦକ୍ଷିଣ ନୂଆଗାଁ, ୧୦  କିମି ଆଳିପଡ଼ା, ୫୪ କିମି ଧନୁଆଁ, ୪୮କିମି କାଦୁଆ, ୭୮ କିମି ପ୍ରାଚୀ, ୧୨ କିମି  ବଡଗାଁ ନାଳ, ୨୦ କିମି ଦକ୍ଷିଣ କାଣିଆ, ୪କିମି ବେଙ୍ଗେଇ ନାଳ, ୧୦ କିମି ସୁନା ମୁହିଁ୫ କିମି ମୂଷା ନାଳ, ଆଢ଼େଇ କିମି ଜଣିଆ  ନଦୀ ପ୍ରବାହିତ । ପ୍ରାଚୀ ସାଙ୍ଗକୁ ଅନେକ ଉପନଦୀ ଓ ଏଥିରୁ ବାହାରି ଥିବା ନାଳ ପୋତି  ହୋଇ ଶୁଖି ଗଲାଣି । ସେପଟେ ଧନୁଆଁ, ଦୟା ନଦୀର ଉପଯୁକ୍ତ ବନ୍ଧ ନଥିବାରୁ ବଢ଼ି ଆସିଲେ ଲୋକେ ଜଳବନ୍ଦୀ ସମସ୍ୟାରେ ପଡ଼ୁଛନ୍ତି । ସୁରକ୍ଷା ନିମନ୍ତେ ଆବଶ୍ୟକ ନଦୀ ବନ୍ଧ ନଥିବାରୁ ପୁରୀ ଜିଲ୍ଲାରେ ପ୍ରାୟ ୪୪ ହଜାର ହେକ୍ଟର ଚାଷ ଜମି ବହୁ ସମୟରେ  ଜଳବନ୍ଦୀ ରହୁଛି । ମାତ୍ର ୩୫ ହଜାର ୨୮୮ ହେକ୍ଟର ଜଳବନ୍ଦୀ ମୁକ୍ତ ଚାଷ ଜମି ରହିଛି । 

ପ୍ରାଚୀ ନଦୀ ପୋତି ହୋଇପଡ଼ିଥିବାରୁ  ଏହାର ପୁନରୁଦ୍ଧାର ପାଇଁ ପ୍ରାରମ୍ଭିକ ସର୍ବେକ୍ଷଣ କରାଯାଇ ବାଲିଅନ୍ତା, ବାରଙ୍ଗକଣ୍ଟାପଡ଼ା, ନିଆଳି, କାକଟପୁର ଓ ଅସ୍ତରଙ୍ଗ ବ୍ଲକ୍ ଅଧୀନରେ ରିଜୁଭିନେସନ୍‌ ଅଫ୍‌ ରିଭର ପ୍ରାଚୀ ଆଣ୍ଡର ଖୋର୍ଦ୍ଧା, କଟକ ଓ  ପୁରୀ ଫେଜ୍‌-୧ ପ୍ରକଳ୍ପ ପ୍ରସ୍ତୁତ କରାଯାଇଛି ।  ପ୍ରାଚୀ ନଦୀ ଏହି ୩ ଜିଲ୍ଲା ଦେଇ ଅସ୍ତରଙ୍ଗର  କେଳୁଣୀ ମୁହାଣ ଠାରେ ବଙ୍ଗୋପସାଗରେ ପଡ଼ିଛି । ଏହି ନଦୀର ଶଯ୍ୟା ପ୍ରାୟ ୪୬ କିମି ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ଥିବା ବେଳେ ପ୍ରାୟ ୩୧ କିମି ପୁରୀ ଜିଲ୍ଲାରେ ରହିଛି ।  ଏହି ପ୍ରକଳ୍ପ ଲାଗି ସମୁଦାୟ ୧୬୪ କୋଟି  ୬୮ ଲକ୍ଷ ୯୩ ହଜାର ଟଙ୍କା ଖର୍ଚ୍ଚ  ଆକଳନ କରାଯାଇଛି । ଏଥିମଧ୍ୟରୁ  ୧୨୦ କୋଟି ୯୧ ଲକ୍ଷ ୪୮ ଲକ୍ଷ  ଟଙ୍କା ପୁରୀ ଜଳ ସମ୍ପଦ ବିଭାଜନ ପାଇଁ ଓ ୪୩ କୋଟି ୭୭ ଲକ୍ଷ ୪୫ ହଜାର  ଟଙ୍କା କଟକ ଜଳ ସମ୍ପଦ ବିଭାଜନ ପାଇଁ ଆକଳନ କରାଯାଇଛି । ଏହାର ବୈଷୟିକ ଅନୁମୋଦନ ମିଳିଥିବା ନେଇ ଚଳିତ  ବିଧାନସଭାରେ ବିଧାୟକ ନବକିଶୋର  ମଲ୍ଲିକଙ୍କ ଲିଖିତ ପ୍ରଶ୍ନର ଉତ୍ତର ରଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୁରୀର ମଙ୍ଗଳା ନଦୀକୁ ପୁରୀ ସହରରୁ ବାହାରୁଥିବା ମଳ ଜଳ ୧୫ ଏମ୍‌ଏଲ୍‌ଡି ଏସ୍‌ଟିପି ଯୋଗେ ବିଶୋଧନ କରାଯାଇ ବଙ୍ଗୋପସାଗରକୁ ଛଡ଼ା ଯାଉଛି । ଯେତେବେଳେ କି ବାଙ୍କି ମୁହାଁଣ ନଦୀ ଦେଇ ୧୦ ଏମ୍‌ଏଲ୍‌ଡି ଏସ୍‌ଟିପି ଯୋଗେ ବର୍ଜ୍ୟଜଳ  ବିଶୋଧନ କରାଯାଇ ବଙ୍ଗୋପସାଗରକୁ ଛଡ଼ା  ଯାଉଛି । ଏହାଛଡ଼ା ବେଆଇନ ଭାବେ କିଛି  ସ୍ଥାନରେ ଡ୍ରେନ୍‌ ଓ ସ୍ୱେରେଜ୍‌ ଜଳ ଏହି  ନଦୀ ଦେଇ ସମୁଦ୍ରରେ ମିଶୁଛି । ମୂଷା ନାଳ ବା ମୂଷା ନଦୀର  ଉପର ମୁଣ୍ଡ ପୋତି ହୋଇପଡ଼ିଥିବା ବେଳେ  ତଳମୁଣ୍ଡରେ ସହରର ନର୍ଦ୍ଦମା ଜଳ ଜମି ରହୁଥିବାରୁ ଏହା ସହରରେ  ରୋଗ ସୃଷ୍ଟିର କାରଣ ସାଜିଛି । ରାଜଧାନୀ ଭୁବନେଶ୍ୱରରୁ ୧୧ ନାଳର  ନର୍ଦ୍ଦମା ପାଣି କଣାସ ଦେଇ ପ୍ରବାହିତ  ଦୟା ନଦୀ ଜଳରେ ମିଶି ଏହାକୁ ପ୍ରଦୂଷିତ  କରି ରଖିଛି । କିଛି ମାସ ତଳେ ଏହି ପାଣି  ବ୍ୟବହାର କରି କଣାସର ୭ ଜଣଙ୍କ ମୃତ୍ୟୁ ହେବା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ସରକାର ୱାଟର  ଟ୍ରିଟମେଣ୍ଟ କରି ନର୍ଦ୍ଦମା ଜଳ ଏହି ନଦୀରେ  ଛାଡ଼ିବାକୁ ପଦକ୍ଷେପ ଆରମ୍ଭ କରିଛନ୍ତି । ୱାଟକୋ ଏହି ଟେଣ୍ଡର ଡାକି ସାରିଥିବା ବେଳେ  ଆସନ୍ତା ୨ ବର୍ଷ ଭିତରେ ଏହା ସରିବ ବୋଲି  ବିଧାନସଭାରେ ବିଧାୟକ ଓମ୍‌ପ୍ରକାଶ ମିଶ୍ରଙ୍କ  ଏକ ଲିଖିତ ପ୍ରଶ୍ନର ଉତ୍ତର ରଖିଥିଲେ ନଗର  ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର ।

ସେହିପରି ଧନୁଆ ନଦୀର ପୁନରୁଦ୍ଧାର  ଲାଗି ରିନୋଭେସନ ଆଫ୍‌ ଧନୁଆ ଡିସି ନାମରେ ୭୦ କୋଟି ଟଙ୍କା ବ୍ୟୟ ଅଟକଳ  ହୋଇଛି । ଏହାର ବୈଷୟିକ ଅନୁମୋଦନ କରାଯାଇ କାର୍ଯ୍ୟ ହାତକୁ ନିଆଯିବାର ପ୍ରସ୍ତାବ ରହିଥିବା ଚଳିତ ବିଧାନସଭାରେ ମୋହନ ଚରଣ ମାଝୀ ଲିଖିତ ଉତ୍ତର ରଖିଥିଲେ । ସେହିପରି ପୁରୀ ଜିଲ୍ଲାର ସତ୍ୟବାଦୀ ଓ  କଣାସ ବ୍ଲକ ଦେଇ ପ୍ରବାହିତ ଦୟା, ଭାର୍ଗବୀ, ଲୁଣା, ମକରା, ରାଜୁଆ, ରତ୍ନଚିରା, ମଲାଗୁଣି ନଦୀଗୁଡ଼ିକ ଶଯ୍ୟାରେ କଲିକତି ଦଳ ଓ  ଚିଙ୍ଗୁଡିଆ ଦଳ ଜମି ଅଞ୍ଚଳରେ ଜମି ରହୁଛି ।  ଫଳରେ ସାଧାରଣ ଦିନମାନଙ୍କରେ ଜଳ ପ୍ଲାବନ ସମସ୍ୟା ଦେଖାଦେଉଛି । ହେଲେ  ଏପର୍ଯ୍ୟନ୍ତ ଏଗୁଡ଼ିକର ପ୍ରାକୃତିକ ଉତ୍ସ ବଜାୟ  ରଖିବା ନିମନ୍ତେ ଡ୍ରେଜିଂ କାର୍ଯ୍ୟ ଉପଯୁକ୍ତ ଭାବେ ହାତକୁ ନିଆଯାଇନି । ବାରମ୍ବାର ପୁରୀ ଜିଲ୍ଲାର ନଦୀ ସମସ୍ୟା ନେଇ ବିଧାନସଭାରେ ପ୍ରଶ୍ନ  ଉଠୁଛି । ସରକାରଙ୍କ ଦାୟିତ୍ୱହୀନତା ନେଇ ବୁଦ୍ଧିଜୀବୀ ଓ ବିରୋଧ ପ୍ରଶ୍ନ ଉଠାଉଛନ୍ତି । ମାତ୍ର ଜିଲ୍ଲାର ଜୀବନ ନାଟିକା ନଦୀଗୁଡ଼ିକର ସୁରକ୍ଷା ନିମନ୍ତେ ପ୍ରଶାସନିକ ପଦକ୍ଷେପ ଶୂନ ।