ବାଲେଶ୍ୱର/ଭୁବନେଶ୍ୱର/ ବ୍ରହ୍ମପୁର,୦୭/୧୦:  ପୁଲିସ ଏସ୍‌ଆଇ ଲିଖିତ ପରୀକ୍ଷା କେଳେଙ୍କାରୀ ଘଟଣାରେ ନୂଆ ତଥ୍ୟ ପଦାକୁ ଆସିଛି । ଓଡ଼ିଶା ପୁଲିସ୍‌  ନିଯୁକ୍ତି ବୋର୍ଡ (ଓପିଆରବି)  ସରକାର କରିଥିବା ଏସ୍‌ଓପିକୁ ମାନି ନଥିଲେ । ସେଥିପାଇଁ ଓପିଆରବିକୁ  କାରଣ ଦର୍ଶାସ ନୋଟିସ୍‌ ଜାରି  କରିଛନ୍ତି ସରକାର । ଖୁବ୍‌ଶୀଘ୍ର  ପକ୍ଷ ରଖିବାକୁ ସରକାର ନିର୍ଦ୍ଦେଶ  ଦେଇଛନ୍ତି ।  

ଓପିଆରବି ହେଉ କି ଷ୍ଟାଫ୍‌ ସିଲେକ୍ସନ୍‌ କମିଶନ କିମ୍ବା ଅନ୍ୟ  କେଉଁ ସଂସ୍ଥା ଯଦି ପରୀକ୍ଷା  କରୁଛନ୍ତି ତାହେଲେ ସେମାନଙ୍କ ପାଇଁ କିଛି ନିୟମାବଳୀ ତିଆରି କରିଛନ୍ତି ସରକାର । ଉକ୍ତ ସଂସ୍ଥା  ଗୁଡ଼ିକ ଯାହାକୁ ପରୀକ୍ଷା କରିବାକୁ ଟେଣ୍ଡର ଦେବେ କେବଳ ସେମାନେ  ହିଁ କରିବେ । ସେମାନେ ଟେଣ୍ଡର  ପାଇବା ପରେ ଅନ୍ୟ କାହାକୁ  ଦେଇ ପାରିବେ ନାହିଁ । ଏନେଇ ଗତ ସେପ୍ଟେମ୍ବର ୨୨ରେ ସରକାର  ଏସ୍‌ଓପି ଜାରି କରିଥିଲେ ।  ସେଥିରେ ଏ ବିଷୟରେ ସ୍ପଷ୍ଟ  ଉଲ୍ଲେଖ ରହିଥିଲା । ଓପିଆରବି  ଏହାକୁ ଖୋଲା ଖୋଲି ଉଲ୍ଲଙ୍ଘନ କରିଛି । ଏସ୍‌ଆଇ ପରୀକ୍ଷା ପାଇଁ  ଟେଣ୍ଡର ପାଇଥିଲା ଆଇଟିଆଇ ସଂସ୍ଥା । ନିଜେ ପରୀକ୍ଷା ନ କରି  ପ୍ରଥମେ ରିଚ୍‌ ନାମକ ଏକ ସଂସ୍ଥାକୁ ଦେଇଥିଲେ । କ’ଣ ହେଲା କେଜାଣି ଆଇଟିଆଇ ହଠାତ୍‌ ରିଚ୍‌କୁ ବାହାର କରି ଦେଇଥିଲା । ଆଇଟିଆଇ ପରେ ଏହାକୁ ସିଲିକନ୍‌ ଟେକ୍‌ଲାବ୍‌  ପ୍ରାଇଭେଟ୍‌ ଲିମିଟେଡ୍‌କୁ ହସ୍ତାନ୍ତର  କରିଥିଲା । ସିଲିକନ୍‌ ନିଜେ ପରୀକ୍ଷା  ନ କରି ଏହି ଦାୟିତ୍ୱ ପାନ୍‌ସଫ୍ଟ  ଟେକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌କୁ ଦେଇଥିଲା । ସରକାର ଗତ ମାସ  ୨୨ ତାରିଖରେ ଜାରି କରିଥିବା ଏସ୍‌ଓପିକୁ ହେୟଜ୍ଞାନ କରିଥିଲା ଓପିଆରବି । ଏ  ପର୍ଯ୍ୟନ୍ତ ଓପିଆରବିର କୌଣସି ଅଧିକାରୀଙ୍କୁ ଜେରା କରୁନାହିଁ କ୍ରାଇମ୍‌ବ୍ରାଞ୍ଚ ।  

ସେପଟେ ପରୀକ୍ଷାର୍ଥୀଙ୍କୁ ନେଇ ଯାଉଥିବା ୩ଟି ବସ୍‌ ମଧ୍ୟରୁ  ଦୁଇଟି ଓଡ଼ିଶା ଏବଂ ଗୋଟିଏ ଆନ୍ଧ୍ରପ୍ରଦେଶ ପଞ୍ଜୀକରଣ ଥିବା ବେଳେ  ଭୁବନେଶ୍ୱରର ଗୋଟିଏ ଟ୍ରାଭେଲ ଏଜେନ୍‌ସି ଜରିଆରେ ବସ୍‌ ଭଡ଼ା  କରାଯାଇଥିଲା । ଟ୍ରାଭେଲ୍‌ ଏଜେନ୍‌ସିକୁ କିଏ ଯୋଗାଯୋଗ କରିଥିଲେ ତାହା ତଦନ୍ତ କରୁଛି କ୍ରାଇମ୍‌ବ୍ରାଞ୍ଚ । ଗୋଳନ୍ଥରା ଥାନାରେ ୩ଟି ବସ୍‌ ୬ଜଣ ଡ୍ରାଇଭରଙ୍କୁ ପଚରାଉଚରା କରାଯାଇଛି । ଡ୍ରାଇଭରମାନେ  ଯେତିକି ଘଟଣା ଜାଣିଥିଲେ ପୁଲିସ ନିକଟରେ ପ୍ରକାଶ କରିଛନ୍ତି ।  ପୁଲିସ ୬ ଡ୍ରାଇଭରଙ୍କୁ ଜେରା କରିବା ପରେ ନିଯୁକ୍ତି ରାକେଟ୍‌ର ଜଣେ ଦଲାଲ ଗାଡ଼ି ଭଡ଼ା କରିଥିବା ସୂଚନା ମିଳିଛି ।  

 ପୋଲସରା ବସ୍‌ଷ୍ଟାଣ୍ଡରୁ ଗୁପ୍ତପ୍ରସାଦ ନାୟକଙ୍କୁ  କ୍ରାଇମ୍‌ବ୍ରାଞ୍ଚ ଉଠାଇଛି । ତାଙ୍କୁ ଜେରା କରା ଯାଉଥିବାବେଳେ ଏଥିରେ ସଂପୃକ୍ତି ଅଛି କି ନାହିଁ କିଛି ସ୍ପଷ୍ଟ ହୋଇନାହିଁ । ରବିବାର ସନ୍ଧ୍ୟାରେ  କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଗୁପ୍ତପ୍ରସାଦଙ୍କ ମୋବାଇଲ୍‌ ଲୋକେସନ୍‌ ଟ୍ରାକ୍‌  କରିବାରୁ ପୋଲସରା ଲୋକେସନ୍‌ ଦେଖାଇଥିଲା । ଗୁପ୍ତପ୍ରସାଦର  ଘର ପୋଲସରା ଷଣ୍ଢସାହି ଛକରେ ହୋଇଥିବା ବେଳେ  ପୋଲସରାରେ କମ୍ପ୍ୟୁଟର ଇନ୍‌ଷ୍ଟିଚ୍ୟୁଟ୍‌ କରିଛନ୍ତି । ସେଠାରେ  ଏସ୍‌ଆଇ ନିଯୁକ୍ତି ପାଇଁ ଟ୍ରେନିଂ ଦିଆଯିବାକୁ ସ୍ଥିର ହୋଇଥିବା ସୁରାକ୍‌ ପାଇବା ପରେ କ୍ରାଇମ୍‌ବ୍ରାଞ୍ଚ ତାଙ୍କୁ ଉଠାଇ ନେଇ ଜେରା କରୁଛି ।  ଗୁପ୍ତପ୍ରସାଦଙ୍କ ସହ ଏହି ରାକେଟ୍‌ର ମୁଖ୍ୟ ଶଙ୍କର ପୃଷ୍ଟିଙ୍କ କ’ଣ  ସମ୍ପର୍କ ରହିଛି ତାହାର ଲିଙ୍କ୍‌ ଖୋଜୁଛି ପୁଲିସ। ସେପଟେ ଶଙ୍କର ରାଜ୍ୟ ଛାଡି ଫେରାର ହୋଇଯାଇଛି । ସେ ନେପାଳରେ ଥିବା  କ୍ରାଇମ୍‌ବ୍ରାଞ୍ଚ ସୂଚନା ପାଇଛି । ମଙ୍ଗଳବାର କ୍ରାଇମ୍‌ବ୍ରାଞ୍ଚର ଏକ  ଟିମ୍‌ ଆନ୍ଧ୍ରପ୍ରଦେଶ ଯିବ ।  

ଏହି ଘଟଣାର ୬ଷ୍ଠ ଦଲାଲ ଭାବେ କ୍ରାଇମବ୍ରାଞ୍ଚ ସଦର  ବ୍ଲକ ଚାନ୍ଦିପୁର ଥାନା ଅନ୍ତର୍ଗତ ରଣସାହିର ଚନ୍ଦନ ମଳିକକୁ ଗିରଫ  କରିଛି । ସମାଜସେବୀ ଭାବେ ଚନ୍ଦନ ଜଣାଶୁଣା । ଏମିତିକି ବିଜେଡି  କର୍ମୀ ଭାବେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ ।  ଗତ ସାଧାରଣ ନିର୍ବାଚନରେ ରେମୁଣା ବିଧାନସଭା ଆସନରେ  ବିଧାୟକ ଟିକଟ ପାଇଁ ସେ ଆଶାୟୀ ଥିଲେ । ଦଳ ତାଙ୍କୁ ଟିକଟ ନ  ଦେବାରୁ ସେ ସ୍ୱାଧୀନ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ ।  ଶେଷ ମୁହୂର୍ତ୍ତରେ ସେ ନାମାଙ୍କନ ପତ୍ର ମଧ୍ୟ ପ୍ରତ୍ୟାହାର କରି  ନେଇଥିଲେ । ଚନ୍ଦନଙ୍କ ଗିରଫ ପରେ ଏହି ଘଟଣାର ମାଷ୍ଟର  ମାଇଣ୍ଡ କୁହାଯାଉଥିବା ଶଙ୍କର ପୃଷ୍ଟି ସହ ତାଙ୍କର ନିବିଡ଼ ସମ୍ପର୍କ  ଥିବା ପ୍ରମାଣିତ ହୋଇଛି । ଚନ୍ଦନଙ୍କ ଗିରଫ ପରେ ଏବେ ଜିଲ୍ଲା  ରାଜନୀତି ମଧ୍ୟ ସରଗରମ ହୋଇଛି ।   ଏହି ର‌୍ୟାକେଟ୍‌ର ଚେର  ରାଜ୍ୟବ୍ୟାପି ଥିବାବେଳେ କ୍ରାଇମ୍‌ବ୍ରାଞ୍ଚ ବିଭିନ୍ନ ଜାଗାରେ ଚଢ଼ଉ  ଜାରି ରଖିଛି । ବର୍ତ୍ତମାନ ପର୍ଯ୍ୟନ୍ତ ୧୧୪ ଜଣ ପରୀକ୍ଷାର୍ଥୀ ଓ ୬  ଜଣ ଦଲାଲଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ।