ନୂଆଦିଲ୍ଲୀ,୨୩/୦୯: ସମାଜବାଦୀ ପାର୍ଟି ନେତା ଆଜମ ଖାନ ଆଜି ଜେଲରୁ ମୁକୁଳିଛନ୍ତି  । ତାଙ୍କ ନାମରେ ଥିବା ୭୨ ମାମଲାରେ ବେଲ୍‌ ମିଳିବା ପରେ ସୀତାପୁର ଜେଲ୍‌ରୁ ବାହାରିଛନ୍ତି ସମାଜବାଦୀ ପାର୍ଟିର ବରିଷ୍ଠ ନେତା । ଗତ ୨୩ ମାସ ଧରି ଉତ୍ତରପ୍ରଦେଶ ସୀତାପୁର ଜେଲରେ ବନ୍ଦୀ ଥିଲେ । ନିକଟରେ, ଆଜମ ଖାନଙ୍କୁ କ୍ୱାଲିଟି ବାର୍ ଜମି ଦଖଲ ମାମଲାରେ ଆହ୍ଲାବାଦ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ । ଆଜମ୍ ଜେଲରୁ ବାହାରିବା ପରେ ସମର୍ଥକ ଜୋରଦାର ସ୍ୱାଗତ କରିଛନ୍ତି । ଦଳୀୟ କର୍ମୀଙ୍କ ମହଲରେ ଖୁସିଲ ଲହରୀ ଖେଳି ଯାଇଛି । ଆଇନ ପ୍ରକ୍ରିୟା ସରିବା ପରେ କଡ଼ା ସୁରକ୍ଷାବଳ ଭିତରେ ଜେଲରୁ ବାହାରିବା ପରେ ପୁଅଙ୍କ ସହ ରାମପୁର ଅଭିମୁଖେ ଯାତ୍ରା କରିଛନ୍ତି ଆଜମ୍ । ଏବେ ଆଜମଙ୍କ ପରବର୍ତ୍ତୀ ରଣନୀତି କ'ଣ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ଉତ୍ତର ପ୍ରଦେଶ ରାମପୁରର ଆଜମ ଖାନ କ୍ୱାଲିଟି ବାର୍ ମାମଲା ଦୀର୍ଘ ଦିନ ଧରି ବିବାଦରେ ରହିଛି ।  ଅଭିଯୋଗ ଥିଲା ଯେ ସେ ୨୦୧୩ରେ ମନ୍ତ୍ରୀ ଥିବା ସମୟରେ କ୍ୱାଲିଟି ବାର୍‌ର ଜମିକୁ ଅବୈଧ ଭାବେ ଦଖଲ କରି ପତ୍ନୀ ଓ ପୁଅଙ୍କ ନାମରେ କରିଥିଲେ । ୨୦୧୯ ଜମି ମାଲିକ ଗଗନ ଅରୋଡାଙ୍କ ଅଭିଯୋଗ ପରେ ଏଫଆଇଆର ଦାୟର ହୋଇଥିଲା । ୨୦୨୪ରେ ଆଜମଙ୍କୁ ମୁଖ୍ୟ ଅଭିଯୁକ୍ତ ଘୋଷଣା କରାଯାଇଥିଲା । ୨୦୨୫ ମେରେ ଏମପି-ଏମଏଲଏ କୋର୍ଟ ଜାମିନ ଖାରଜ କରିଥିଲେ । ହେଲେ ସେପ୍ଟେମ୍ବରରେ ଆହ୍ଲାବାଦ ହାଇକୋର୍ଟ ତାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ସେବେଠୁ ସେ ସୀତାପୁର ଜେଲରେ ବନ୍ଦୀ ଥିଲେ । ଆଜମଙ୍କ ମକୁଳିବାକୁ ନେଇ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି, ଆଜି ଖୁସିର ଦିନ । ରାଜ୍ୟରେ ଆମ ସରକାର ଆସିଲେ ଆଜମଙ୍କ ନାମରେ ଥିବା ସବୁ ମାମଲା ପ୍ରତ୍ୟାହାର କରାଯିବ । 

ଆଜମ ଖାନଙ୍କ ବିରୁଦ୍ଧରେ ଜମି ହଡ଼ପ, ଠକେଇ ଏବଂ ଧମକ ସହିତ ଜଡିତ ଅନେକ ମାମଲା ରହିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତାଙ୍କ ଏବଂ ତାଙ୍କ ପରିବାର ବିରୁଦ୍ଧରେ ୨୦୦ ରୁ ଅଧିକ ମାମଲା ରୁଜୁ ହୋଇଛି । ଯେଉଁଥିରେ କେବଳ ଆଜମ ଖାନଙ୍କ ବିରୁଦ୍ଧରେ ୧୦୦ ରୁ ଅଧିକ ମାମଲା ରହିଛି । ଏହି ମାମଲା ମଧ୍ୟରୁ ଅଧିକାଂଶ ୨୦୧୭ ମସିହାରେ ସମାଜବାଦୀ ପାର୍ଟି ସରକାରକୁ ଗାଦିଚ୍ୟୁତ କରିବା ପରେ ରୁଜୁ କରାଯାଇଥିଲା । ଗତ କିଛି ଦିନ ମଧ୍ୟରେ ଅନେକ ମାମଲାରେ ଆଶ୍ୱସ୍ତି ମିଳିଛି । ଆଜମଙ୍କ ବିରୁଦ୍ଧରେ ୧୦୪ ମାମଲା ମଧ୍ୟରୁ ୧୨ଟିରେ ନିଷ୍ପତ୍ତି ଆସିଛି । ୭ କେସ୍‌ରୁ ମୁକୁଳିଛନ୍ତି ଆଜାମ । ବର୍ତ୍ତମାନ ତାଙ୍କ ନାମରେ ୫୯ ମାମଲା ସେସନ କୋର୍ଟ ଓ ୧୯ ମାମଲା ମାଜିଷ୍ଟ୍ରେଟ୍ କୋର୍ଟରେ ରହିଛି ।