କୋକସରା, : ଗାଁ ମଝିରେ ଖୁଲାମଖୁଲା ଦେଶୀ ବିଦେଶୀ ମଦ କୋଠି ଖୋଲା ଯାଇଛି। ଗ୍ରାମବାସୀ  ଅଭିଯୋଗ କଲେ ଓଲଟା ମଦ କୋଠି ମାଲିକମାନେ ଧମକ ଦେଉଛନ୍ତି। ଗାଁରେ ଭିତରେ ମଦ ବିକ୍ରି ଯୋଗୁ ଯୁବକ ଓ ଦିନ ମଜୁରିଆମାନେ ରୋଜଗାର ଟଙ୍କାକୁ ମଦରେ ଉଡାଇ ଦେଇଛନ୍ତି। ଏପରକି ନିଶାଗସ୍ତ ଅବସ୍ଥାରେ ରାସ୍ତାରେ ମହିଳାମାନଙ୍କୁ ଅଶାଳୀନ ବ୍ୟବହାର କରୁଛନ୍ତି। ଏଥିରେ ଅତିଷ୍ଠ ହୋଇ ଗାଁରେ ମଦ କୋଠି ବନ୍ଦ କରିବା ପାଇଁ କୋକସରା ବ୍ଲକ ଟେମରା ପଞ୍ଚାୟତ ଟେମରା ଗ୍ରାମର ସ୍ବୟଂ ସହାୟିକା ଗୋଷ୍ଠୀ ଅଣ୍ଟା ଭିଡିଛନ୍ତି।

ସୋମବାର କୋକସରା ବ୍ଲକ ଟେମରା ପଞ୍ଚାୟତ ଟେମରା ଗ୍ରାମର ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ସ୍ଥାନୀୟ ଯୁବନେତା ରାଜେନ୍ଦ୍ର ନାଏକଙ୍କ ନେତୃତ୍ୱରେ କୋକସରା ଥାନାରେ ପହଞ୍ଚିଥିଲେ। ଟେମରା ସରପଞ୍ଚ କ୍ଷିତିରାମ ପାତ୍ରଙ୍କ ଅନୁମୋଦନ ଦସ୍ତଖତ ଓ ମହିଳା ଗୋଷ୍ଠୀର ଶତାଧିକ ମହିଳାଙ୍କ ଦସ୍ତଖତ ଥିବା ଏକ ଲିଖିତ ଦାବିପତ୍ର ଥାନା ଅଧିକାରୀଙ୍କୁ ପ୍ରଦାନ କରି ଗାଁରେ ଥିବା ବେଆଇନ ମଦ କୋଠିକୁ ବନ୍ଦ କରିବାକୁ ଦାବି କରିଛନ୍ତି। ଯଦି ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରା ନ ଯାଏ ଆଗାମୀ ଦିନରେ ଗାଁ ରେ ଥିବା ମଦ କୋଠିକୁ ଉଚ୍ଛେଦ କରିବାକୁ ମହିଳା ଗୋଷ୍ଠୀ ବାଧ୍ୟ ହେବେ ବୋଲି ଟେମରା ଗ୍ରାମର ଶତାଧିକ ମହିଳା ଚେତାବନୀ ଦେଇଛନ୍ତି। ଏନେଇ କୋକସରା ଥାନା ଅଧିକାରୀ ଜୟ ପ୍ରକାଶ ନାରାୟଣ ହୋତାଙ୍କୁ ପଚାରିବାରୁ  ବେଆଇନ ମଦ କୋଠି ଉପରେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।