ଖୁଣ୍ଟା,୬।୯(ଆପ୍ର): ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ନିକଟରୁ ଖୁଣ୍ଟା ପୋଲିସ ଏକ ନର କଙ୍କାଳ ଠାବ କରିଛି। ନରକଙ୍କାଳଟି ହେଉଛି ମାହାଲିବସା ଗ୍ରାମର ଟେମ୍ପା ମାଙ୍କିଡିଆ ।
ଖୁଣ୍ଟା ବ୍ଲକ ଅନ୍ତର୍ଗତ ଲକ୍ଷ୍ମଣାସାହି ପଞ୍ଚାୟତ ଅଧୀନସ୍ଥ ମାହାଲିବସା ଗ୍ରାମର ଟେମ୍ପା ମାଙ୍କିଡିଆ (୫୨) ଜୁଲାଇ ୧ ତାରିଖ ରୁ ନିଖୋଜ ଥିଲେ। ଘର ଲୋକ ଖୋଜାଖୋଜି କରି ନପାଇବାରୁ ଜୁଲାଇ ୩ ତାରିଖ ଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଶୁକ୍ରବାର ମହାଲିବସା ଗ୍ରାମର ମାଙ୍କିଡିଆ ସମ୍ପ୍ରଦାୟର କିଛି ଲୋକ ଅଭୟାରଣ୍ୟ ନିକଟକୁ ଶାଳପତ୍ର ଓ ଦାନ୍ତ କାଠି ସଂଗ୍ରହ କରିବାକୁ ଯାଇଥିବା ବେଳେ ସେଠାରେ ଏକ ନର କଙ୍କାଳ ପଡ଼ିଥିବା ଦେଖିବାକୁ ପାଇଥିଲେ। ତା ପାଖରେ ପିନ୍ଧା ସାର୍ଟ, ପ୍ୟାଣ୍ଟ୍ ଓ ଗାମୁଛା ଦେଖି ଦୁଇ ମାସ ପୂର୍ବେ ନିଖୋଜ ଥିବା ସେହି ଗ୍ରାମର ଟେମ୍ପା ମାଙ୍କିଡିଆ ବୋଲି ଅନୁମାନ କରି ଲକ୍ଷ୍ମଣାସାହି ପଞ୍ଚାୟତ ର ସମିତି ସଭ୍ୟ ସୁନିଲ କୁମାର ଟୁଡୁଙ୍କୁ ନର କଙ୍କାଳ ବାବଦରେ ଜଣାଇଥିଲେ।ପରେ ଶ୍ରୀ ଟୁଡୁ ଘଟଣା ବାବଦରେ ଖୁଣ୍ଟା ପୋଲିସକୁ ସୁଚନା ଦେଇଥିଲେ।
ଖୁଣ୍ଟା ପୋଲିସ ଗ୍ରାମବାସୀଙ୍କ ସହଯୋଗରେ ସାଇଣ୍ଟିଫିକ ଟିମ୍ ଧରି ଅଭୟାରଣ୍ୟ ନିକଟରେ ପହଞ୍ଚିଥିଲେ। ଘଟଣାସ୍ଥଳରେ ପହଂଚି ଛାନଭିନ କରିବା ସହ ଖୁଣ୍ଟା ପୋଲିସ ନର କଙ୍କାଳକୁ ଠାବ କରି ବାରିପଦା ପି ଆର୍ ଏମ କୁ ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି। ତେବେ ନିଖୋଜ ଥିବା ବ୍ୟକ୍ତିଙ୍କ ନର କଙ୍କାଳ ଅଭୟାରଣ୍ୟ ମଧ୍ୟରୁ ମିଳିବା ସମସ୍ତଙ୍କୁ ଚକିତ କରିଥିବା ବେଳେ ସେ ଅଭୟାରଣ୍ୟ ନିକଟକୁ କାହା ସହିତ ଯାଇଥିଲା। ଏବଂ ସେ କେମିତି ମୃତ୍ୟୁ ହେଲା, ନା ତାକୁ ବନ୍ୟଜନ୍ତୁ ଶିକାର କରିଛନ୍ତି, ତାହା ଏବେ ସନ୍ଦେହ ଘେରରେ ରହିଛି।