ନୂଆଦିଲ୍ଲୀ,୦୪/୦୬: ‘ଏଲ୍ ନିନୋ’ ପ୍ରଭାବରେ ଭାରତ ସମେତ ବିଭିନ୍ନ ଦେଶରେ ବର୍ଷା ପରିମାଣ କମିଯିବା ନେଇ ଯେଉଁ ଆଶଙ୍କା ଉପୁଜିଛି, ତାହା ପ୍ରାୟତଃ ସତ ହେବାକୁ ଯାଉଛି। ମୌସୁମୀ ଦୁର୍ବଳ ପାଲଟିବ ଏବଂ ସ୍ୱଳ୍ପ ବୃଷ୍ଟି ସ୍ଥିତି ଦେଖାଦେବ । ଏହାଯୋଗୁ ଭାରତ ସମେତ ବିଶ୍ୱବ୍ୟାପୀ ୩ ମାସ ପର୍ଯ୍ୟନ୍ତ ମରୁଡ଼ି ପରିସ୍ଥିତି ସୃଷ୍ଟି ହେବ । ଏହା ଭୟଙ୍କର ଖାଦ୍ୟ ସଙ୍କଟକୁ ଡାକି ଆଣିବ ।
ଭାରତୀୟ ପାଣିପାଗ ବିଭାଗ ପରେ ଏବେ ବିଶ୍ୱ ପାଣିପାଗ ବିଜ୍ଞାନ ସଙ୍ଗଠନ (ଡବ୍ଲ୍ୟୁଏମ୍ଓ) ବୈଶ୍ୱିକ ଜଳବାୟୁକୁ ନେଇ ସତର୍କତା ଜାରି କରିଛି । ଜାତିସଂଘର ଏହି ପାଣିପାଗ ଏଜେନ୍ସି କହିଛି, ପ୍ରଶାନ୍ତ ମହାସାଗରରେ ଦ୍ରୁତ ଗତିରେ ଗରମ ହେଉଥିବା ଜଳ କାରଣରୁ ଜୁନ୍ରୁ ଅଗଷ୍ଟ ମଧ୍ୟରେ ଏଲ୍ ନିନୋ ସୃଷ୍ଟି ହେବା ଆଶଙ୍କା ୮୦% ରହିଛି । ନଭେମ୍ବର ସୁଦ୍ଧା ଏହାର ଉପସ୍ଥିତି ୯୦% ବା ତା’ଠାରୁ ଅଧିକ ହେବା ଆଶଙ୍କା ଉପୁଜିଛି । ଏହାଦ୍ୱାରା ଭୟଙ୍କର ପରିସ୍ଥିତି ଦେଖାଦେବ ।
ଅଧିକ ପଢ଼ନ୍ତୁ :- Flight Service : ଖୁବଶୀଘ୍ର ଭୁବନେଶ୍ୱର-ଜୟପୁର ବିମାନସେବା: ସାଂସଦ ଅପରାଜିତା
ଏଭଳି ପ୍ରତିକୂଳ ସ୍ଥିତି ସତ୍ତେ୍ବ ଭାରତ ଲାଗି ପାଣିପାଗ ବିଶେଷଜ୍ଞମାନେ କିଛି ସକାରାତ୍ମକ ରିପୋର୍ଟ ଦେଇଛନ୍ତି। ସେମାନଙ୍କ ଅନୁସାରେ ଭାରତରେ ୨ଟି ପ୍ରାଣାଳୀ ଇଣ୍ଡିଆନ୍ ଓସନ୍ ଡାଇପୋଲ୍ (ଆଇଓଡ଼ି) ଏବଂ ମ୍ୟଡେନ ଜୁଲିଆନ୍ ଓସିଲେସନ (ଏମ୍ ଜେଓ) ଏହାର ଦ୍ବାରା ମୌସୁମୀ ସୁରକ୍ଷିତ ରହିପାରେ । ‘ଇଣ୍ଡିଆନ ଓସନ୍ ଡାଇପୋଲ୍’କୁ ଭାରତ ମହାସାଗରର ‘ଏଲ୍ ନିନୋ’ ବି କୁହାଯାଏ । ଯଦି ଏହାର ପର୍ଯ୍ୟାୟ ସକାରାତ୍ମକ ହୁଏ, ତେବେ ଏହା ‘ଏଲ୍ ନିନୋ’ର ଶୁଷ୍କ ପ୍ରଭାବକୁ ସମ୍ପୂର୍ଣ୍ଣ ଭାବେ ଶେଷ କରିଦେଇ ଭାରତରେ ଭଲ ବର୍ଷା କରାଇପାରେ । ସେହିଭଳି ‘ମ୍ୟାଡେନ୍-ଜୁଲିଆନ ଓସିଲେସନ’ ବାଦଲ ଏବଂ ବାୟୁର ଏକ ବୈଶ୍ୱିକ ଚକ୍ର, ଯାହା କି ଭୂମଧ୍ୟ ରେଖାରେ ଘୂରି ବୁଲିଥାଏ । ଯେତେବେଳେ ଏହା ଭାରତ ଉପର ଦେଇ ଗତି କରେ, ସେତେବେଳେ ଦୁର୍ବଳ ମୌସୁମୀରେ ବି ଭଲ ବର୍ଷାର ପର୍ଯ୍ୟାୟ ସୃଷ୍ଟି ହୋଇଥାଏ । ତେଣୁ ଏହି ଦୁଇଟି ସିଷ୍ଟମ୍ ବା ପ୍ରଣାଳୀର ସଂଯୋଗ ହେଲେ ହିଁ ଭାରତ ଏଲ୍ ନିନୋ ପ୍ରଭାବକୁ ମାତ୍ ଦେଇପାରିବ ।
ପାଣିପାଗ ବିଭାଗ ମୁତାବକ, ଦେଶରେ ମୌସୁମୀ ବେଳେ ସ୍ୱାଭାବିକଠାରୁ କମ୍ ବର୍ଷା ହେବାର ଆଶଙ୍କା ରହିଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ଏବେ ବିଳମ୍ବରେ ଆସିପାରେ । ଏହା ଜୁନ ୪ରେ କେରଳ ପହଞ୍ଚିପାରେ । ଯେବେ କି ସ୍ୱାଭାବିକ ଭାବେ ଜୁନ୍ ୧ରେ ହିଁ ଏହା କେରଳ ଛୁଇଁଥାଏ । ଡବ୍ଲ୍ୟୁଏମ୍ଓର ଆକଳନ ଅନୁସାରେ, ଏଲ୍ ନିନୋ ଆଗକୁ ଆହୁରି ମଜଭୁତ ହୋଇପାରେ । ଏହାଦ୍ୱାରା ଭାରତ ସମେତ ବିଶ୍ୱବ୍ୟାପୀ ମରୁଡ଼ି, ବନ୍ୟା, ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଏବଂ ପାଣିପାଗର ବିପଜ୍ଜନକ ରୂପ ଦେଖିବାକୁ ମିଳିପାରେ ।
ଏଭଳି ସ୍ଥିତିରେ କେନ୍ଦ୍ର କୃଷି ମନ୍ତ୍ରଣାଳୟ ତମାମ ରାଜ୍ୟ ଏବଂ ପାଣିପାଗ ଏଜେନ୍ସ ଗୁଡ଼ିକୁ ଏଲ୍ ନିନୋ ପ୍ରଭାବରେ ସ୍ୱାଭାବିକଠାରୁ କମ୍ ବର୍ଷାକୁ ଦୃଷ୍ଟିରେ ରଖି ଆଗୁଆ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛି । ଜିଲ୍ଲା ସ୍ତରରେ ଯୋଜନା ବନାଇବାକୁ କୁହାଯାଇଛି । କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଚାଷୀମାନଙ୍କ ପାଖରେ ତୁରନ୍ତ ସୂଚନା ପହଞ୍ଚାଇବା ଲାଗି ଡିଜିଟାଲ ଏବଂ କଲ୍ ସେଣ୍ଟର ସେବା ସୁଦୃଢ଼ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଡବ୍ଲ୍ୟୁଏମ୍ଓର ବୈଜ୍ଞାନିକଙ୍କ ଅନୁସାରେ, ପ୍ରଶାନ୍ତ ମହାସାଗରର ଉପରି ଭାଗର ନିମ୍ନ ପାଣି ସ୍ୱାଭାବିକଠାରୁ ୬ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଅଧିକ ଗରମ ହୋଇଥିବା ଦେଖିବାକୁ ମିଳିଛି । ଏହା ବେଶ୍ ଚିନ୍ତାଜନକ ବିଷୟ । ସମୁଦ୍ରରେ ଜମା ହେଉଥିବା ଏହି ଅତିରିକ୍ତ ଉତ୍ତାପ ଉପରିଭାଗକୁ ଗରମ କରିଦେଉଛି । ଏହାଦ୍ୱାରା ଏଲ୍ ନିନୋକୁ ଅଧିକ ବଳ ମିଳୁଛି ।
ଉଲ୍ଲେଖଯୋଗ୍ୟ, ପାଣିପାଗ ବିଶେଷଜ୍ଞମାନେ ଏଥର ‘ସୁପର ଏଲ୍ ନିନୋ’କୁ ନେଇ ସତର୍କବାଣୀ ଜାରି କରିଛନ୍ତି । ମୌସୁମୀ କେରଳ ଛୁଇଁବା ବେଳକୁ ଏଲ୍ ନିନୋ ନିଜ ପ୍ରାରମ୍ଭିକ ପର୍ଯ୍ୟାୟରେ ପହଞ୍ଚିପାରେ । ଏଲ୍ ନିନୋ ଏକ ପ୍ରାକୃତିକ ଜଳବାୟୁ ଘଟଣା । ପ୍ରଶାନ୍ତ ମହାସାଗରର ମଧ୍ୟ ଓ ପୂର୍ବ ଭାଗ ସମୁଦ୍ର ପାଣି ସ୍ୱାଭାବିକଠାରୁ ଅଧିକ ଗରମ ହେବା ସ୍ଥିତିରେ ଏଲ୍ ନିନୋ ହୋଇଥାଏ । ସମୁଦ୍ରର ତାପମାତ୍ରାରେ ଏହି ପରିବର୍ତ୍ତନ ବିଶ୍ୱବ୍ୟାପୀ ବାୟୁ ଓ ପାଣିପାଗ ପଦ୍ଧତିକୁ ପ୍ରଭାବିତ କରିଥାଏ । ଏହାଯୋଗୁ ଅନେକ ଦେଶରେ ପାଣିପାଗ ଅଚାନକ ବଦଳିଯାଏ । କେଉଁଠି ମରୁଡ଼ି ତ କେଉଁଠି ଭୀଷଣ ବର୍ଷା ଏବଂ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଦେଖାଦିଏ ।