ବୁର୍ଲା, ୨୪/୧୦; ମାକୁ ଶେଷ ମେସେଜେ ଦେଇ ନିଖୋଜ ହୋଇଗଲା ପୁଅ । ମାଙ୍କ ଅସହ୍ୟ ଯନ୍ତ୍ରଣା ସହିନପାରି କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି ୨୨ ବର୍ଷିୟ ପୁଅ । ମୋବାଇଲରେ ଶେଷ ମେସେଜେ ଅସିଛି, ମା’ ମୁଁ ତୁମ ଦୁଃଖ ଦେଖି ପାରୁନି...ବୁର୍ଲା କେନାଲକୁ ଡେଇଁ ମୋ ଜୀବନ ହାରିବି” । ବଲାଙ୍ଗୀର ଜିଲ୍ଲା ମହାନକ୍ଷ୍ମୀନଗର ପଡ଼ାର ସୌରଭ ସମ୍ବିତ ତ୍ରିପାଠୀ ନିଜ ମାଙ୍କୁ ଏଭଳି ହୃଦୟ ବିଦାରକ ମେସେଜେ ଲେଖି ଅକ୍ଟୋବର ୨୨ ତାରିଖ ସଂଧ୍ୟାରେ ବୁର୍ଲା ଭିମସାରରୁ କେଉଁ ଆଡ଼େ ନିଖୋଜ ହୋଇଯାଉଛନ୍ତି । ତାଙ୍କ ମେସେଜେକୁ ଆଧାର କରି ବୁର୍ଲା ପୁଲିସ ପାଓ୍ବାର କେନାଲ ଏବଂ ନିକଟସ୍ଥ ଅଞ୍ଚଳରେ ଖୋଜା ଖୋଜି କରୁଛି ।

ସୂଚନା ଅନୁଯାୟୀ, ନିଖୋଜ ସୌରଭ ସମ୍ବିତଙ୍କ ମା କର୍କଟ ରୋଗରେ ପୀଡ଼ିତ ହୋଇ ବୁର୍ଲା ଭିମସାରରେ ଚିକିତ୍ସିତ ହେଉଛନ୍ତି । ହସ୍ପିଟାଲରେ ରହି ପୁଅ ମା ସେବା ଶୁଶ୍ରୂଷା କରୁଥିଲେ । ମାତ୍ର ଦିନକୁ ଦିନ ମାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରେ ଲାଗି । ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ସୌରଭଙ୍କ ମା । ଏହାକୁ ସହି ନପାରି ସୌରଭ ସମ୍ବିତ୍ ନିଜ ମାଙ୍କ ମୋବାଇଲରେ ଏକ ହୃଦୟ ବିଦାରକ ମେସେଜେ ପଠାଇଥିଲେ । ସେ ଲେଖିଥିଲେ,  ମା’ ମୁଁ ତୁମ ଦୁଃଖ ଦେଖି ପାରୁନି...ବୁର୍ଲା କେନାଲକୁ ଡେଇଁ ମୋ ଜୀବନ ହାରିବି” । ଅକ୍ଟୋବର ୨୨ ତାରିଖରେ ଏହି ମେସେଜେ ମାଙ୍କୁ ପଠାଇବା ପରେ ହଠାତ୍ କେଉଁ ଆଡ଼େ ନିଖୋଜ ହୋଇଯାଇଥିଲେ ।

ମାତାଙ୍କୁ ବହୁ ଖୋଜାଖୋଜି କରିବା ପରେ ବି କୌଣସି ପତ୍ତା ପାଇନଥିଲେ । ପରିବାର ଲୋକ ମଧ୍ୟ ବହୁ ଖୋଜାଖୋଜି କରିଥିଲେ । ହେଲେ ସୌରଭଙ୍କ କୌଣସି ସନ୍ଧାନ ନମିଳିବାରୁ ଶେଷରେ ବୁର୍ଲା ଥାନାରେ ଯୁବକ ନିଖୋଜ ଥିବା ନେଇ ଲିଖିତ ଅଭିଯୋଗ କରିଥିଲେ । ବୁର୍ଲା ପୁଲିସ ତାଙ୍କ ଶେଷ ମେସେଜେକୁ ଆଧାର କରି ବୁର୍ଲା ପାୱାର କେନାଲ ଓ ନିକଟସ୍ଥ ଅଞ୍ଚଳରେ ସୌରଭଙ୍କୁ ଖୋଜା ଖୋଜି କରୁଛି । ତାଙ୍କ ମୋବାଇଲର ଲୋକେସନ ଟ୍ରେସ୍ କରାଯାଉଛି ଏବଂ ହସ୍ପିଟାଲର ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି ପୁଲିସ। ଶୁକ୍ରବାର ସକାଳୁ ପୁଲିସ ଏବଂ ବୁର୍ଲା ଅଗ୍ନିଶମ ବାହିନୀ ଏକ ବୋଟ୍ ଯୋଗେ ବିଷ୍ଣୁ ମନ୍ଦିର ପଡା ଘାଟରୁ ପାୱାର କେନାଲ ପର୍ଯ୍ୟନ୍ତ ନିଖୋଜ ଯୁବକକୁ ଖୋଜାଖୋଜି କରୁଛନ୍ତି । ​​​​​​​