କଟକ, ୩୧/୧୦ : ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଆଜି ୧୫୦ତମ ଜନ୍ମ ଜୟନ୍ତୀ। ଏହି ଅବସରରେ କଟକସ୍ଥିତ ଷଷ୍ଠ ଓଏସଏପି ବାଟାଲିୟନ ପରିସରରେ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ଏକତା ଦିବସ ସମାରୋହ ପାଳିତ ହୋଇଛି। ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମବ୍ରାଞ୍ଚ) ବିନୟତୋଷ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି। ରାଷ୍ଟ୍ରର ଏକତା, ଅଖଣ୍ଡତା, ସୁରକ୍ଷା ତଥା ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁଦୃଢ କରିବା ପାଇଁ ଉପସ୍ଥିତ ପୁଲିସ ଅଧିକାରୀ, କର୍ମଚାରୀ ଏବଂ ପରେଡରେ ସାମିଲ ହୋଇଥିବା ଯବାନଙ୍କୁ ଶପଥ ପାଠ କରାଇଛନ୍ତି। ଏହା ସହ ସର୍ଦ୍ଦାର ପଟେଲଙ୍କ ଜୀବନ ଦର୍ଶନ ଉପରେ ଆଲୋକପାତ କରିବା ସହ ତାଙ୍କ କାର୍ଯ୍ୟଦକ୍ଷତା, ଦେଶପ୍ରେମ ଓ ସ୍ଵାଧୀନତା ସଂଗ୍ରାମରେ ଅତୁଳନୀୟ ଅବଦାନ ସମ୍ପର୍କରେ ମତବ୍ୟକ୍ତ କରିଛନ୍ତି। 

ଆରକ୍ଷୀ ମହାନିର୍ଦ୍ଦେଶକ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ସ୍ଵାଧୀନତା ପରେ ୫୬୨ଟି ଦେଶୀୟ ରାଜ୍ୟଗୁଡିକୁ ଭାରତରେ ମିଶାଇବା ପାଇଁ ସର୍ଦ୍ଦାର ପଟେଲ ଯେଉଁ ଅକ୍ଲାନ୍ତ ପରିଶ୍ରମ କରିଥିଲେ, ତାହା ଅତୁଳନୀୟ। ଯାହା ଫଳରେ ବିଶ୍ଵ ଦରବାରରେ ଭାରତ ଆଜି ଏକ ସ୍ଵତନ୍ତ୍ର ରାଷ୍ଟ୍ର ଭାବେ ପରିଚୟ ଲାଭ କରିଛି। ଦେଶର ପ୍ରତ୍ୟେକ ନାଗରିକ ଭାଇଚାରା, ବନ୍ଧୁତା ଏବଂ ଏକତାର ମନୋଭାବ ନେଇ କାର୍ଯ୍ୟ କରିବା ସହ ଭାରତର ଇତିହାସ ପାଇଁ ଏକ ସ୍ଵତନ୍ତ୍ର ଅଧ୍ୟାୟ ସୃଷ୍ଟି କରିବାକୁ ମଧ୍ୟ ସେ ଆହ୍ଵାନ ଦେଇଛନ୍ତି। ଆଗାମୀ ଦିନରେ ସମସ୍ତେ ମିଳିମିଶି ରାଜ୍ୟରେ ଆଇନଶୃଙ୍ଖଳା ନିୟନ୍ତ୍ରଣ, ଅପରାଧ ଦମନ ଓ ସମାଜରେ ଶାନ୍ତି ପ୍ରତିଷ୍ଠା କରିବାକୁ ଗୁରୁତ୍ଵାରୋପ କରିଛନ୍ତି।

​​​​​​​

ଏହି ଅବସରରେ ଓଡ଼ିଶା ପୁଲିସର ୩୪ ପୁଲିସ ଜିଲ୍ଲାର ସମସ୍ତ ଥାନାରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଥିବା ସମ୍ପର୍କରେ ସୂଚନା ଦେଇଥିଲେ। ଏହା ସହ ସମାଜର ସମସ୍ତ ବ୍ୟକ୍ତି ବିଶେଷଙ୍କୁ ନେଇ ଏକତା ପାଇଁ ଦୌଡ଼ ( Run for Unity), ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ପ୍ରବନ୍ଧ, ତର୍କ ଭଳି ପ୍ରତିଯୋଗିତା ଆୟୋଜନ କରାଯାଇ କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରାଯାଇଛି ବୋଲି ମତବ୍ୟକ୍ତ କରିଥିଲେ। ଆଜିର ସମ୍ମିଳିତ ପରେଡରେ ଓ.ଏସ.ଏ.ପି  ଷଷ୍ଠ ବାଟାଲିୟନ (କଟକ),  ଷଷ୍ଠ ଆଇ.ଆର ବାଟାଲିୟନ (ଖୋର୍ଦ୍ଧା), ତୃତୀୟ ଆଇ. ଆର. ବାଟାଲିୟନ, ପୁଲିସ କଲର ପାର୍ଟି (କଟକ), ବ୍ରାସବ୍ୟାଣ୍ଡ ପାର୍ଟି (କଟକ) ଅଂଶଗ୍ରହଣ କରିଥିଲେ। ୟାକୁବ ଖାନ ତୃତୀୟ ଆଇ.ଆର.ବାଟାଲିୟନ (Commandant) ପରେଡର ନେତୃତ୍ଵ ନେଇଥିଲେ।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ(ଆଧୁନିକୀକରଣ) ଏସ. କେ. ପ୍ରିୟଦର୍ଶୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଅରୁଣ ବୋଥ୍ରା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (କମୁନିକେସନ) ଦୟାଲ ଗଙ୍ଗୱାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏସଏପି) ରାଜେଶ କୁମାରଙ୍କ ସମେତ ପୁଲିସ ବିଭାଗର ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।