ଭୁବନେଶ୍ୱର,୧୪/୦୯: ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି  ୨୦୨୫’ ଆସନ୍ତା ନଭେମ୍ବର ୧୨ ତାରିଖରୁ ୧୪ ତାରିଖ ଯାଏ ଅନୁଷ୍ଠିତ ହେବ ।  ୟୁନିଟ୍‌-୩ ସ୍ଥିତ କ୍ୟାପିଟାଲ ହାଇସ୍କୁଲ ପରିସରରେ ଏହି ମହୋତ୍ସବ ହେବ ।  ଚଳିତବର୍ଷ ‘ମୋ ସ୍ୱପ୍ନର ଓଡ଼ିଶା ୨୦୩୬’ ଥିମ୍‌କୁ ନେଇ ଏହି କାର୍ଯ୍ୟକ୍ରମ  କରାଯିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ  ତଥା ସମଗ୍ର ଶିକ୍ଷା ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି ।  

ବିଭାଗ ପକ୍ଷରୁ ହୋଇଥିବା ଚିଠିରେ କୁହାଯାଇଛି, ଏହି କାର୍ଯ୍ୟକ୍ରମ  ବିଦ୍ୟାଳୟ, କ୍ଲଷ୍ଟର, ବ୍ଲକ ଓ ଜିଲ୍ଲାସ୍ତରରେ ଗୋଟିଏ ଦିନ ଲେଖାଏଁ ଆୟୋଜନ  ହେବ । ବିଦ୍ୟାଳୟ ସ୍ତରରେ ଆସନ୍ତା ୧୭ ତାରିଖରୁ ୧୯ ତାରିଖ ମଧ୍ୟରେ  କରାଯିବ । କ୍ଲଷ୍ଟରସ୍ତରରେ ଅକ୍ଟୋବର ୯ରୁ ୧୧ ତାରିଖ, ବ୍ଲକସ୍ତରରେ  ଅକ୍ଟୋବର ୧୪ରୁ ୧୭ ଓ ଜିଲ୍ଲାସ୍ତରରେ ଅକ୍ଟୋବର ୨୨ରୁ ୩୦ ତାରିଖ ମଧ୍ୟରୁ  ଯେ କୌଣସି ଗୋଟିଏ ଦିନ ଆୟୋଜିତ ହେବ ।

ଏହି ଅବସରରେ ବିତର୍କ, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, କୁଇଜ୍‌,ସୃଜନଶୀଳ ଲିଖନ, ବକ୍ତୃତା, ସଂଗୀତ, ଓଡ଼ିଆ ହସ୍ତାକ୍ଷର ପ୍ରତିଯୋଗିତା ହେବ। ଲୋକକଳା,  ସମୃଦ୍ଧ ଓଡ଼ିଶାକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ । କୃତ୍ରିମ ବୁଦ୍ଧିମତା  ଶିକ୍ଷଣ ଶିକ୍ଷାଦାନରେ ଶିକ୍ଷକଙ୍କ ଭୂମିକା ନେଇପାରିବେ କି? ଏହା ଉପରେ  ବିତର୍କ ପ୍ରତିଯୋଗିତା କରାଯିବ । ସେହିପରି ଏକବିଂଶ ଶତାବ୍ଦୀର ଦକ୍ଷତା  ବିକାଶରେ ବିଦ୍ୟାଳୟ ଶିକ୍ଷାର ଭୂମିକା ଉପରେ ପ୍ରବନ୍ଧ ଲିଖନ ହେବ । ମଡେଲ୍‌ ୟୁନାଇଟେଡ୍‌ ନେସନ୍‌ ପାଭିଲିୟନ କରାଯିବ।