ଦୁବାଇ,୦୪/୧୦: ନାମିବିୟା ଏବଂ ଜିମ୍ବାୱେ କ୍ରିକେଟ୍‌  ଦଳ ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ୍‌-୨୦୨୬କୁ ଯୋଗ୍ୟତା ଅର୍ଜନ  କରିଛନ୍ତି । ଚଳିତ ଆଫ୍ରିକୀୟ ଯୋଗ୍ୟତା ଟୁର୍ଣ୍ଣାମେଣ୍ଟରେ ଉଭୟ  ଦଳ ଫାଇନାଲ୍‌ରେ ପ୍ରବେଶ କରି ଟିକେଟ୍‌ ହାସଲ କରିଛନ୍ତି ।  ଏଥିସହ ମୋଟ ୧୭ଟି ଦଳ ବିଶ୍ୱକପ୍‌ ଯୋଗ୍ୟତା ହାସଲ  କରି ସାରିଥିବାବେଳେ ଆଉ ୩ଟି ସ୍ଥାନ ବାକି ରହିଛି । ଗତ  ଗୁରୁବାର ପ୍ରଥମ ସେମି ଫାଇନାଲ୍‌ରେ ନାମିବିୟା ୬୩ ରନ୍‌ରେ  ତାଞ୍ଜାନିଆକୁ ଏବଂ ଦ୍ୱିତୀୟ ସେମି ଫାଇନାଲ୍‌ରେ ଜିମ୍ବାୱେ  ୭ ୱିକେଟ୍‌ରେ କେନିଆକୁ ହରାଇ ଫାଇନାଲ୍‌ରେ ପ୍ରବେଶ  କରିଥିଲା।  ଉଭୟ ଦଳ ମଧ୍ୟରେ ଫାଇନାଲ୍‌  ମୁକାବିଲା ଖେଳାଯିବ । ଆୟୋଜକ ଭାବେ ଡିଫେଣ୍ଡିଂ ଚାମ୍ପିଅନ୍‌  ଭାରତ ଓ ଶ୍ରୀଲଙ୍କା ବିଶ୍ୱକପ୍‌ ଟିକେଟ୍‌ ହାସଲ କରିଥିଲେ ।  

ସେହିପରି ୨୦୨୪ ବିଶ୍ୱକପ୍‌ର ଶ୍ରେଷ୍ଠ ପ୍ରଦର୍ଶନକାରୀ ୭ଟି  ଦଳ ଯଥା ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ,  ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଆମେରିକା, ୱେଷ୍ଟଇଣ୍ଡିଜକୁ  ଟିକେଟ୍‌ ମିଳିଥିବାବେଳେ ଗତ ବର୍ଷ ଜୁନ୍‌ ୩୦ରେ ପ୍ରକାଶିତ  ମାନ୍ୟତା ତାଲିକା ଆଧାରରେ ଆୟର୍ଲାଣ୍ଡ, ନ୍ୟୁଜିଲାଣ୍ଡ ଓ  ପାକିସ୍ତାନ ଯୋଗ୍ୟତା ଅର୍ଜନ କରିଥିଲେ । ଆମେରିକୀୟ  ଯୋଗ୍ୟତା ଟୁର୍ଣ୍ଣାମେଣ୍ଟରେ କାନାଡ଼ା, ୟୁରୋପରୁ ଇଟାଲୀ ଓ  ନେଦରଲାଣ୍ଡ୍‌ସ ବିଶ୍ୱକପ୍‌ ଟିକେଟ୍‌ ହାସଲ କରିଥିଲେ । ଚଳିତ  ମାସ ଏସିଆ-ପାସିଫିକ୍‌ ଯୋଗ୍ୟତା ଟୁର୍ଣ୍ଣାମେଣ୍ଟ (ଓମାନ) ରୁ ୩ଟି ଦଳ ବିଶ୍ୱକପ୍‌କୁ ଯୋଗ୍ୟତା ହାସଲ କରିବେ ।